Advertisment

ବିଜେଡିରେ ଏବେ ଦ୍ବିମତ ! ରାଜ୍ୟରେ ଗଡ଼ ଭୁଶୁଡ଼ିବା ପରେ ଦୁଇ ଫାଳ କି ଦଳ ?

୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ପରାଜୟ ବରଣ କରିବାପରେ ଦଳରେ ଏବେ ଦ୍ବିମତ। କହିବାକୁ କଲେ ଦଳ ଏକପ୍ରକାର ଦୁଇ ଭାଗ ।

author-image
Sujit kumar Swain
undefined

BJD

ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ ନବୀନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ସେପଟେ ପାଣ୍ଡିଆନଙ୍କ ଗୋଷ୍ଠୀରେ ଥିବା କିଛି ନେତା କିନ୍ତୁ ଏବେ ବି ତାଙ୍କର ପ୍ରଶଂସା କରିବାକୁ ପଛାଉନାହାନ୍ତି । ସେମାନେ କହିଛନ୍ତି ରାଜ୍ୟର ହିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ପାଣ୍ଡିଆନ୍।

Advertisment

୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ପରାଜୟ ବରଣ କରିବାପରେ ଦଳରେ ଏବେ ଦ୍ବିମତ। କହିବାକୁ କଲେ ଦଳ ଏକପ୍ରକାର ଦୁଇ ଭାଗ । କେଉଁ କାରଣ ପାଇଁ ଦଳର ଏଭଳି ଶୋଚନୀୟ ପରାଜୟ ହେଲା, ତାର ହିସାବ ନିକାଶ କରିବା ପାଇଁ କମିଟି ଗଢାଯିବ ବୋଲି ଦଳପତି ନବୀନ ପଟ୍ଟନାୟକ କହିସାରିଛନ୍ତି।

ସେପଟେ ଦଳ ପରାଜୟର ସାମ୍ନା କରିବା ପରଠାରୁ ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଭି. କେ. ପାଣ୍ଡିଆନଙ୍କ ଦେଖା ନାହିଁ। ପାଣ୍ଡିଆନଙ୍କ ଅନୁପସ୍ଥିତିରେ ଗଲା ଦୁଇଦିନରେ ନବୀନ, ସିଧାସଳଖ ଦଳର ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କୁ ନବୀନ ନିବାସ ଡକାଇ, ସେମାନଙ୍କ ସହ ଖୋଲା ଆଲୋଚନା କରିଛନ୍ତି । ଦଳର କିଛି ପୁରୁଖା ନେତା, ପରାଜୟ ସଂପର୍କରେ ମୁହଁ ଖୋଲି କହିଛନ୍ତି, ପରିଚାଳନାରେ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା। ନିର୍ବାଚନ ପରିଚାଳନାରେ ବରିଷ୍ଠମାନଙ୍କୁ ଦୂରେଇ ରଖାଗଲା, ଯାହାକି ସାଧାରଣରେ ଗ୍ରହଣ ଯୋଗ୍ୟ ହେଲାନି। 

Advertisment

ବରିଷ୍ଠ ନେତାଙ୍କ ଏପରି ବୟାନ୍ ବାଜିରୁ ସ୍ପଷ୍ଟ ବୁଝା ପଡୁଛି, ସେମାନଙ୍କର ଏବେ ବି ନବୀନଙ୍କ ନେତୃତ୍ବ ଉପରେ ଭରସା ରହିଛି। କିନ୍ତୁ ମୁହଁ ଖୋଲିବାରେ ବିଳମ୍ବ ହୋଇଯାଇଛି। ସେପଟେ କିନ୍ତୁ ପୁରା ନିର୍ବାଚନୀ ପ୍ରକ୍ରିୟାରେ ଯାହାକୁ ନେଇ ବିଜେପି ବଡ଼ ଇସ୍ୟୁ କଲା, ଓଡ଼ିଆ ଅସ୍ମିତା କଥା କହି ତୁହାକୁ ତୁହା ଆକ୍ରମଣ କଲା, ଅର୍ଥାତ ପାଣ୍ଡିଆନ୍‌ଙ୍କ ହଠାତ୍ ଦିଲ୍ଲୀ ଗସ୍ତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଦଳର ବିପର୍ଯ୍ୟୟ ସମୟରେ ଯେଉଁଠି ତାଙ୍କର 
ସବୁଠାରୁ ଅଧିକ ଆବଶ୍ୟକତା ରହିଥିଲା, ସେତେବେଳେ ସେ ଅନୁପସ୍ଥିତ କାହିଁକି ? ଦଳ ପକ୍ଷରୁ ଗତକାଲି ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ, ସେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସେ ଦିଲ୍ଲୀ ଯାଇଛନ୍ତି।

 ତେବେ ଦଳ ଯେତେବେଳେ ଲୋକସଭାରେ ଖାତା ଖୋଲି ପାରିନାହିଁ, ଆଉ ନିର୍ବାଚନ ସରିବା ପରେ ଏମିତି କେଉଁ ଗୁରୁତ୍ବପୂର୍ଣ୍ଣ କାମରେ ସେ ଦିଲ୍ଲୀ ଯାଇଛନ୍ତି ?  ନା ପାଣ୍ଡିଆନଙ୍କୁ ସମାଲୋଚନାର ଶରବ୍ୟରୁ ଦୂରେଇ ରଖିବା ଲାଗି ଏହା ତାଙ୍କ ଅନୁଗତଙ୍କ ଏକ ସୁଚିନ୍ତିତ ଚାଲ୍ ? ସେପଟେ ଯଦି ପାଣ୍ଡିଆନ୍‌ଙ୍କ ଅନୁପସ୍ଥିତିରେ ନବୀନ ଏକା ଏକା ଦଳର ନେତାଙ୍କ ସହ ଏଭଳି କଥାବାର୍ତ୍ତା କରି ପରାମର୍ଶ ଦେଇପାରୁଛନ୍ତି, ତାହେଲେ ପୂର୍ବରୁ ସବୁ ସ୍ଥାନରେ କାହିଁକି ଛାଇ ଭଳି ରହୁଥିଲେ ପାଣ୍ଡିଆନ୍? ଏସବୁ ନବୀନଙ୍କ ଇଛା ମୁତାବକ ହେଉଥିଲା, ନା କେହି ତାଙ୍କୁ ବାଧ୍ୟ କରୁଥିଲା ? ଯାହା ଉପରେ ସ୍ପଷ୍ଟୀକରଣ ରଖି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ହିଁ ସବୁ ନିଷ୍ପତ୍ତି ନେଉଥିଲେ। ନବୀନ କାହାକୁ କେତେବେଳେ ରଖିବେ, ନରଖିବେ ସବୁ ତାଙ୍କର ଇଚ୍ଛାଧୀନ। 

ବରିଷ୍ଠ ନେତାଙ୍କ ଭିତରୁ ଜଣଙ୍କ ପରେ ଜଣେ ମୁହଁ ଖୋଲିବା ଆରମ୍ଭ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏବେ ବି ପାଣ୍ଡିଆନଙ୍କ ଦୋଷକୁ ଲୁଚାଇବାରେ ଲାଗିପଡିଛନ୍ତି। ଆଗକୁ ଏହା କେଉଁ ରୂପ ନେଉଛି, ତା ଉପରେ ନଜର।

BJD General Elections 2024
Advertisment
Advertisment