ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ହତ୍ୟା କରାଯାଇଥିବା ସୂଚନା । ତେବେ କେଉଁମାନେ ହତ୍ୟା କରିଛନ୍ତି ଏବଂ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ଭୋଟ୍‌ ବେଳେ ହତ୍ୟା

ବରଗଡ଼ରେ ନିର୍ବାଚନ ବେଳେ ହିଂସାକାଣ୍ଡ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ୩୫ ବର୍ଷୀୟ ବିଶ୍ୱନାଥ ମିର୍ଦ୍ଧା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ ବିଶ୍ୱନାଥ । ଭୋଟ୍ ପାଇଁ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ଗାଁ ମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବରଗଡ଼ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବରଗଡ଼ ଏସପି, ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଖୋଳତାଡ଼ କରିଛନ୍ତି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା ବିଜେପି କର୍ମୀଙ୍କ ମୁଣ୍ଡ

ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ । ବୁଥ୍‌ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ତୁରୁମ ପଞ୍ଚାୟତ ବେରୁଆଁବାଡ଼ି ଗାଁର ୪୭ ନଂ ବୁଥରେ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀ ଅଟକାଇବା ବେଳେ ହାତାହାତି ଓ ଧସ୍ତାଧସ୍ତି ହୋଇଛନ୍ତି । ତେବେ ଖବର ପାଇବା ପରେ ତାରାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି। ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଓ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି ।

୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ସେହିପରି ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପ୍ରାର୍ଥୀ ଭାଗ୍ୟ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

ଏମାନଙ୍କ ମଧ୍ୟରେ ୪୦ ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି ।

ଏହି ପର୍ଯ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଏବଂ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି । ୧ ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ବାରା ପରିଚାଳିତ । ୧ ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର ହୋଇଛି। ତେବେ ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି।

ଅଧିକ ପଢ଼ନ୍ତୁ: ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ