Advertisment

ସମ୍ବଲପୁରରେ ନାହିଁ ଜୟଙ୍କ ବିକଳ୍ପ ! ରାସେଶ୍ୱରୀଙ୍କ ରାସ୍ତାର କଣ୍ଟା ଦଳୀୟ ନେତା

ଜୟନାରାୟଣଙ୍କୁ ମାତ୍ର ୯ ହଜାର ୯୫୮ ଭୋଟରେ ହରାଇ ଇତିହାସ ରଚିଥିଲେ ରାସେଶ୍ୱରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sambalpur

Sambalpur

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପଲିଟିକାଲ ଗ୍ରାଉଣ୍ଡ ସମ୍ବଲପୁର । ଏଠୁ ୪ ଥର ବିଧାୟକ ହୋଇ ରେକର୍ଡ କରିଛନ୍ତି ଜୟ। ଏଥର ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଲେ ତାଙ୍କ ନାଁକୁ ଯିବ ୫ ଥର ବିଧାୟକ ହେବାର ରେକର୍ଡ। ହେଲେ ଏଠୁ ବିଜେପିରୁ ପ୍ରାର୍ଥୀ କିଏ ହେବ, ତାହା ଅସ୍ପଷ୍ଟ ଥିବା ବେଳେ ବିଜେଡିରୁ ଆଶାୟୀ ରାସେଶ୍ୱରୀଙ୍କ ରାସ୍ତାରେ ବି ଅନେକ ପ୍ରତିଦ୍ୱନ୍ଦ୍ୱୀ । ତେବେ ସମ୍ବଲପୁରରେ କେଉଁ ଦଳରୁ କାହାକୁ ମିଳିବ ମୌକା, ତାକୁ ଅପେକ୍ଷା କରିଛନ୍ତି ଭୋଟର।

Advertisment

ପଶ୍ଚିମ ଓଡ଼ିଶାର ଦମଦାର ବିଧାନସଭା କ୍ଷେତ୍ର ସମ୍ବଲପୁର । ଆଗରୁ କଂଗ୍ରେସ ଆଉ ପରେ ବିଜେପିର ଗଡ଼ । ପୂର୍ବତନ ମନ୍ତ୍ରୀ ତଥା ଏବେକା ବିଧାୟକ ଜୟନାରାୟଣଙ୍କ ମିଶ୍ରଙ୍କ ରାଜନୈତିକ ପଡ଼ିଆ । ଏଠୁ ଚାରିଥର ବିଧାୟକ ହେବାର ରେକର୍ଡ କରିଛନ୍ତି ଜୟ । ୨୦୦୦- ୨୦୦୪-୨୦୦୯ରେ ତିନିଥର ଲଗାତର ବିଜୟ ପରେ ୨୦୧୪ରେ ଜୟଙ୍କ ବିଜୟ ଯାତ୍ରାରେ ବ୍ରେକ୍ ଲଗାଇଥିଲେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ଜୟନାରାୟଣଙ୍କୁ ମାତ୍ର ୯ ହଜାର ୯୫୮ ଭୋଟରେ ହରାଇ ଇତିହାସ ରଚିଥିଲେ ରାସେଶ୍ୱରୀ ।

ହେଲେ ୨୦୧୯ରେ ରାସେଶ୍ୱରୀ ଓ ଜୟଙ୍କ ଭିତରେ ହୋଇଥିବା କଡ଼ା ଟକ୍କରରେ ଫେଲ ମାରିଥିଲା ବିଜେଡି। ଆଉ ଚତୁର୍ଥ ଥର ପାଇଁ ପୁଣି କ୍ଷମତାକୁ ଆସିଥିଲେ ଜୟ। ସମ୍ବଲପୁରରେ ଜୟନାରାୟଣଙ୍କ ଏ ଚିରାଚରିତ ବିଜୟ ଧାରା, ଅଞ୍ଚଳରେ ତାଙ୍କର ଦୃଢ଼ ସଂଗଠନ ଏବଂ ବିରୋଧୀ ଦଳ ନେତା ଭାବେ ତାଙ୍କ ପତିଆରା ପାଇଁ ସେ ୨୦୨୪ରେ ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବା ସମ୍ଭାବନା ଅଧିକ। ସମ୍ବଲପୁରରେ ଜୟଙ୍କ ବିରୋଧରେ ବିଜେପିରୁ ଟିକେଟ୍ ଆଶା ରଖିଥିବା ଆଉ ସେଭଳି କେହି ଟାଣୁଆ ନେତା ନଥିଲେ ବି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନାଁ ଚର୍ଚ୍ଚା ହେଉଛି।

Advertisment

ସମ୍ବଲପୁରରେ ବିଜେଡିର ଇତିହାସ ନୂଆ। ୨୦୧୪ରେ ଦଳ ପାଇଁ ଏଠି ପ୍ରଥମେ ଖାତା ଖୋଲିଥିଲେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀ ଡାକ୍ତରୀ ବୃତ୍ତିରୁ ରାଜନୀତିକୁ ଲମ୍ଫ ଦେଇ ଏଇଠୁ କ୍ୟାରିୟର ଆରମ୍ଭ ସହ ବିଜେଡିକୁ ଦେଇଥିଲେ ସରପ୍ରାଇଜ୍ । ତେବେ ୨୦୧୯ରେ ପୁଣି ପଲଟିଥିଲା ବାଜି । ରାସେଶ୍ୱରୀ ଜୟନାରାୟଣଙ୍କୁ ମୁକାବିଲା କରି ମାତ୍ର ୪ ହଜାର ୩୮୦ ଭୋଟରେ ହାର ମାନିଥିଲେ। ସେ ଦୃଷ୍ଟିରୁ ରାସେଶ୍ୱରୀ ଏଥର ସମ୍ବଲପୁରରୁ ପୁଣି ପ୍ରାର୍ଥୀ ହେବା ସମ୍ଭାବନା ରହିଛି। କିନ୍ତୁ ସମ୍ବଲପୁର ଆସନକୁ ନେଇ ବିଜେଡିରେ ବହୁ ନେତାଙ୍କ ଭିତରେ ଛକାପଂଝା ଲାଗି ରହିଛି।

ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାଶ, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ଯୁବ ନେତା ସଂଜୟ ବାବୁ ଏବଂ ସଂଜୀତ ମହାନ୍ତିଙ୍କ ଭଳି ବହୁ ନେତା ଟିକେଟ ପାଇଁ ଆଶାୟୀ ଥିବା କୁହାଯାଉଛି। ସେପଟେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଥିବା ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ଏଇ ଆସନରୁ ପ୍ରାର୍ଥୀ ହେବା କଥା ବି ଉଠୁଛି।

ସମ୍ବଲପୁର ବିଧାନସଭା ଆସନକୁ ମୋଟ ୭ ଥର ଦଖଲ କରିଥିବା କଂଗ୍ରେସ ସ୍ଥିତି ସମ୍ପୂର୍ଣ୍ଣ ଦୂର୍ବଳ କହିଲେ ଚଳେ। ଗତ ନିର୍ବାଚନରେ ଦଳର ପ୍ରଦର୍ଶନ ଥିଲା ଖୁବ୍ ନୈରାଶଜନକ। ଗତଥର ବୁର୍ଲା ଭୀମସାରର ପୁର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୁଜାରୀଙ୍କୁ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ କରିଥିଲା ଦଳ। ଏପଟେ ପୂର୍ବରୁ ଚୂଡାନ୍ତ ହୋଇଥିବା ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କୁ ବାଦ ଦେବାରୁ ଦଳରେ ଦେଖାଦେଇଥିଲା ବିବାଦ। ଫଳରେ କଂଗ୍ରେସ ମାତ୍ର ୧୧ ହଜାର ଭୋଟ ପାଇବାକୁ ସମର୍ଥ ହୋଇଥିଲା । ଏଥର ସମ୍ବଲପୁରରୁ ପ୍ରାର୍ଥୀ ହେବାକୁ ଅଶ୍ୱନୀ ଗୁରୁ ଆଶାୟୀ ଥିବା ବେଳେ ଦଳର ଯୁବ ନେତା ଦୁଲାଲ ପ୍ରଧାନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

BJD BJP Congress Odisha Politics General Election 2024 Sattara Satranj
Advertisment
Advertisment