Advertisment

ଥମୁନି ମେଣ୍ଟ ଚର୍ଚ୍ଚା; ବିଜେପି କହିଲା, ଦଳ ଡିଆଁ ଉପରେ ରୋକ୍ ପାଇଁ ବିଜେଡି କରୁଛି ଚକ୍ରାନ୍ତ

ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।

author-image
Santosh Kumar Sahoo
undefined

BJD-BJP Alliance

ଥମୁନି ମେଣ୍ଟ ଚର୍ଚ୍ଚା। ତାତିଲେଣି ଜନତା। ରାଜ୍ୟରେ ମେଣ୍ଟକୁ ନେଇ ସସପେନ୍ସ ହଟୁ ନ ଥିବାରୁ କ୍ଷୁବ୍ଧ ହେଲେଣି ଭୋଟର। କେଇ ଘଣ୍ଟା ପରେ ଘୋଷଣା ହେବ ନିର୍ବାଚନ ତାରିଖ। ହେଲେ ଏଯାଏ ମେଣ୍ଟ ଚର୍ଚ୍ଚାରେ ଭଟ୍ଟା ପଡୁନି। ରାଜନୀତିର ଏ ଗୋଳିଆ ପାଣିରୁ ଫାଇଦା ନେଉଛି କିଏ ? ମେଣ୍ଟ ହେବ ନା ନାହିଁ? କାହିଁକି ଆସିପାରୁନି ସ୍ପଷ୍ଟତା? ଯାହାକୁ ନେଇ ଦ୍ୱନ୍ଦ୍ୱରେ ସମସ୍ତେ। ଆଉ ଭୋଟରଙ୍କ ଏଇ ଦ୍ୱନ୍ଦ୍ବ, ଆଗାମୀ ନିର୍ବାଚନରେ ଡାର୍ଟି ପଲିଟିକ୍ସ କରୁଥିବା ରାଜନେତାଙ୍କୁ ଭାରି ପଡ଼ିବନି ତ ?

Advertisment

ସେପଟେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡିରେ କିନ୍ତୁ ବିଦ୍ରୋହ ଥମିବାର ନାଁ ଧରୁନି। ବୀରମହାରାଜପୁରରେ ବିଧାୟକ ପଦ୍ମନାଭ ବେହେରାଙ୍କ ବିରୋଧରେ ବିଶାଳ ବାଇକ ଶୋଭାଯାତ୍ରା କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ତଥା ଆଶାୟୀ ନାରାୟଣ ଲୁହାଙ୍କ ସମର୍ଥକ। ସେହିପରି ପାରାଦ୍ୱୀପରେ ବି ତେଜିଛି ବିଜେଡି କଳି। ଖୋଲାଖୋଲି ଭାବେ ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ। ଜଗତସିଂହପୁର ରାହାମାରେ ସମ୍ବିତ ବିରୋଧୀ, ମେଳି କରି ବିଧାୟକଙ୍କ ବିରୋଧରେ ବିଷ ଉଦଗାରିଛନ୍ତି। ଏଠି କୁଜଙ୍ଗ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକାଠି ହୋଇଥିଲେ। ଆଉ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଲଗାତର ଭାବେ ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡାଙ୍କୁ ବିରୋଧ କରି ଆଶାୟୀ ବିରଞ୍ଚି ମହାସୁପକାର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଦୁଇ ଦିନ ତଳେ ବନ୍ଧୁ ମିଳନ ନାଁରେ ବିରଞ୍ଚି କର୍ମୀଙ୍କୁ ଏକାଠି କରି ଟିକେଟ ଲବିକୁ ଜୋରଦାର କରିଛନ୍ତି। ତେବେ ବିଦ୍ରୋହୀ ମେଳି ନେଇ ତିନି ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନି।

ବିଜେଡିରେ ଏମିତି ମାଳ ମାଳ ଆଶାୟୀଙ୍କ ପ୍ରତିଦିନର ହରକତକୁ ଦେଖି ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି। ଆଉ ବିଜେଡି ନାଁରେ ବିଜେପି ଆଣିଛି ସାଂଘାତିକ ଅଭିଯୋଗ। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ମେଣ୍ଟ ଚର୍ଚ୍ଚା ବିଜେଡିର ହିଁ ସୃଷ୍ଟି। ଆଶାୟୀଙ୍କ ଦଳ ଡିଆଁ ଉପରେ ରୋକ୍ ଲଗାଇବାକୁ ବିଜେଡି ଏଭଳି ଚକ୍ରାନ୍ତ କରୁଛି। ତେବେ କିଛି ଦିନ ତଳେ ସଂଗଠନ ସମ୍ପାଦକ ୧୦ ହଜାର ଟିକେଟ ଆବେଦନ କାରୀଙ୍କ ବିଷୟରେ ଯେଉଁ ସୂଚନା ଦେଇଥିଲେ ସେହି ୧୦ ହଜାର ଟିକେଟ ଆଶାୟୀ ହେଲେ ୧୦ ହଜାର ବୋମା। କେଉଁ ବି ମୁହୂର୍ତ୍ତରେ ବିସ୍ଫୋରଣ ହୋଇପାରନ୍ତି। ବିଜେଡି କହିଛି ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ମେଣ୍ଟ ବିଷୟରେ କେହି ଅବଗତ ନାହାଁନ୍ତି। ଆଉ କଂଗ୍ରେସର ଅଭିଯୋଗ ଉଭୟ ବିଜେଡି ଓ ବିଜେପି ମିଶିକି ଏଭଳି କରୁଛନ୍ତି ଯେମିତି କୌଣସି ବିଦ୍ରୋହୀ କଂଗ୍ରେସକୁ ଆକର୍ଷିତ ହୋଇ ନଆସନ୍ତୁ ବୋଲି। ମେଣ୍ଟକୁ ନେଇ ଓଡ଼ିଶା ରାଜନୀତି ସରଗରମ। ତେବେ ଏଥିରେ ପୂର୍ଣ୍ଣଚ୍ଛେଦ କେବେ ପଡୁଛି ତା ଉପରେ ନଜର।

Advertisment
BJD BJP General Elections 2024
Advertisment
Advertisment