/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713622101.jpg)
Amar Satpathy
୬ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କଟିବା ପରେ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ । ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ଶତାଧିକ ସମର୍ଥକ ମେଳି ବାନ୍ଧିଛନ୍ତି । ଅସନ୍ତୋଷ ପ୍ରକାଶ କରିବା ସହ ବଡ଼ଚଣା ଟିକେଟ୍ ନେଇ ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି। ଏପରିକି ଅମରଙ୍କୁ ଟିକେଟ୍ ଦେବାକୁ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏଭଳି ନିଷ୍ପତ୍ତି କାହିଁକି ହେଲା ଜାଣିନି ବୋଲି କହିଛନ୍ତି ବିଧାୟକ ଅମର ଶତପଥୀ। 'ମୁଁ ଦଳରେ ଅଛି ଏବଂ ମୋର ଦଳ ପରିବର୍ତ୍ତନ କରିବାର ନାହିଁ ବୋଲି କହିଛନ୍ତି ବଡ଼ଚଣା ବିଧାୟକ ଅମର ଶତପଥୀ ।
ଆଜି ବିଜେଡି ଘୋଷଣା କରିଥିଲା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ପର୍ଯ୍ୟାୟରେ ସରପ୍ରାଇଜ୍ କାର୍ଡ ଖେଳିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡ଼ଚଣା ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍ କାଟିଛି ବିଜେଡି। ଅମରଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି ଦଳ । ଦୁଇ ଦିନ ତଳେ ହିଁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ବର୍ଷା । ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବାବେଳେ ଚଳିତ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ।
ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରାଙ୍କୁ ମିଳିଲା ଟିକେଟ । ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କଲା ବିଜେଡି । ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ଓ ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ସେପଟେ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୫ ବିଧାୟକଙ୍କ ଟିକେଟ କାଟିଛି ବିଜେଡି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ କଟିଥିବା ବେଳେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ ମଧ୍ୟ କଟିଛି । ସେହିପରି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରାଙ୍କୁ ମିଳିନି ଟିକେଟ । ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଲାନି ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)