• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତାଙ୍କୁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ମନ୍ତବ୍ୟ ବିରୋଧରେ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଡ଼ା ମନ୍ତବ୍ୟ ରଖି ସୀମା ଭିତରେ ରହିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି । କହିଛନ୍ତି, ପାଣ୍ଡିଆନ୍ ଜାଣିବା ଉଚିତ୍ ରାଜନୀତିରେ ବି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ବି ସେ ନକରାତ୍ମକ ଟିପ୍ପଣୀ ଦେଉଛନ୍ତି। ଏଭଳି ନକରାତ୍ମକ ଟିପ୍ପଣୀ ନ କରନ୍ତୁ । ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା ।

କେବଳ ଏତିକି ନୁହେଁ, ବିଜେପି ସାଂସଦଙ୍କ କାର୍ଯ୍ୟଧାରାକୁ ପ୍ରଶ୍ନ ଉଠାଇଥିବା ଅଭିଯୋଗ ଆଣି ପାଣ୍ଡିଆନଙ୍କୁ ଅପରାଜିତା ଆହ୍ୱାନ ବି ଦେଇଛନ୍ତି । ଯଦି ସତସାହସ ଅଛି ତ, ବିଜେଡିର ୧୨ ସାଂସଦଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖନ୍ତୁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସଂସଦରେ ବିଜେଡି ସାଂସଦଙ୍କ ଅନୁପସ୍ଥିତି ପ୍ରସଙ୍ଗ ବି ଉଠାଇ ସମାଲୋଚନା କରିଛନ୍ତି ଅପରାଜିତା। ତା’ସହ ୱାର୍ଡମେମ୍ବର ନିର୍ବାଚନ ବି ଲଢ଼ିନଥିବା ବ୍ୟକ୍ତି ମୁଁ କ’ଣ କରିଛି ବୋଲି ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ ବୋଲି ଅପରାଜିତା କହିଛନ୍ତି ।

ସେହିପରି ଆଜି ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନାଥ । ସେ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ସମ୍ବଲପୁର ରେଢ଼ାଖୋଲ ସଭାରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତା’ର ତଦନ୍ତ ହେବ । ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି ।

ସେପଟେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ନାକଟିଦେଉଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ରାଜନାଥ କେନ୍ଦୁଝରର ପାଟଣା ଏବଂ ଶେଷରେ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ।

OTV is now on Whatsapp

Join and get latest news update delivered to you via whatsapp

Join Now