• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାତି ପାହିଲେ ଶେଷ ପାଳି ଭୋଟ, ତା’ପୂର୍ବରୁ କିନ୍ତୁ ଜାରି ରହିଛି ନୋଟ୍ ବଣ୍ଟନର ପର୍ବ । ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରୁ । SHG ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଅଭିଯୋଗ ହୋଇଛି । ଏ ସଂପର୍କରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଅଭିଯୋଗ ପରେ ପହଞ୍ଚିଥିଲା ଫ୍ଲାଇଂ ସ୍କ୍ବାଡ୍ । ଏହି ସମୟରେ ଘଟଣାସ୍ଥଳରୁ ୩ SHG ମହିଳା ଚମ୍ପଟ ମାରିଥିବା କୁହାଯାଉଛି ।

ତେବେ ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି। ଜବତ ନୋଟର ପରିମାଣ ମୋଟ୍ ୧ ଲକ୍ଷ ୧୮ ହଜାର ଟଙ୍କା ବୋଲି ସୂଚନା ମିଳିଛି । ତେବେ ଏହି ଘଟଣା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ।...ଶୁଭିବ ଇଭିଏମର ଶବ୍ଦ...ପଡ଼ିବ ୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ବୁଥ୍ ଗୁଡ଼ିକରେ ପୋଲିଂ କର୍ମଚାରୀ ପହଞ୍ଚି ଭିଭିପ୍ୟାଟ୍, ଇଭିଏମ୍, କଣ୍ଟ୍ରୋଲ୍ ୟୁନିଟ୍ ସହ ଆବଶ୍ୟକୀୟ ସରଞ୍ଜାମକୁ ଧରି ଚୂଡ଼ାନ୍ତ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ପର୍ଯ୍ୟାୟରେ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ସହ ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେବ ମତଦାନ । ୮ଟି ଜିଲ୍ଲାର ୬ଟି ଲୋକସଭା ଆସନ ପାଇଁ ୬୬ ଓ ୪୨ ବିଧାନସଭା ଆସନ ପାଇଁ ୩୯୪ ଏହିଭଳି ମୋଟ୍ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର ।

ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୮୮୨ଟି ବୁଥର ବ୍ୟବସ୍ଥା କରାଯାଇଛି । ଯେଉଁଥିରୁ ୧୪ ଶହ ବୁଥ୍ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଏଥିପାଇଁ ମୋଟ୍ ୭୦ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ମତଦାନ ହେବାକୁ ଥିବା ମୋଟ୍ ବୁଥରୁ ୨୧ ପ୍ରତିଶତ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବାରୁ ଏସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁକ୍ତ ଓ ଅବାଧ ମତଦାନ ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୬ ହଜାର ପୋଲିସ ଫୋର୍ସ ସହ, ୧୩୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୮୬ ପ୍ଲାଟୁନ ଓଡ଼ିଶା ଆର୍ମଡ୍‌ ପୋଲିସ ନିୟୋଜିତ ଅଛନ୍ତି । ସେହିଭଳି ୨୦ ହଜାର ୫୦୦ ସିଭିଲ୍‌ ପୋଲିସ ଫୋର୍ସଙ୍କୁ ବି ମୁତୟନ କରାଯାଇଛି । ୨ ହଜାର ୨୮୦ ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଏହାବାଦ୍ ୮୮୩ଟି ମୋବାଇଲ ପାର୍ଟି ମୁତୟନ ହୋଇଛନ୍ତି । ବାଲେଶ୍ୱର ଓ ମୟୂରଭଞ୍ଜ ଆନ୍ତଃ ରାଜ୍ୟ ସୀମାବର୍ତି ଜିଲ୍ଲା ହୋଇଥିବାରୁ ଏହି ୨ ଜିଲ୍ଲାରେ ୨୧ଟି ବୋର୍ଡର ଚେକ୍ ପୋଷ୍ଟ କରାଯାଇଛି । ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହରୁ ଅଂଶୁଘାତ ସ୍ଥିତିକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଥ୍ ଗୁଡ଼ିକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିପାରେ ହାଇ ଭୋଲଟେଜ୍ ଟକ୍କର । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଭିତରେ ସିଧା ଟକ୍କର ହେଉଥିଲା ବେଳେ ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ହେଉଛି ତ୍ରିମୁଖୀ ଲଢ଼େଇ ।

ସେହିପରି ଚାନ୍ଦବାଲି ବିଧାନସଭା ଆସନରୁ ଲଢୁଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗରର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ପ୍ରମିଳା ମଲ୍ଲିକ, ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି, ସୁଦାମ ମାରାଣ୍ଡି, ବିଭୁ ପ୍ରସାଦ ତରାଇ, ପ୍ରତାପ ଦେବ, ଅନନ୍ତ ପ୍ରସାଦ ସେଠୀ, ଗୀତାଞ୍ଜଳି ରାଉତରାୟ, ସଂଧ୍ୟାରାଣୀ ଦାସ, ଆକାଶ ଦାସ ନାୟକ, ଅରିନ୍ଦମ ରାୟ, ବର୍ଷା ପ୍ରିୟଦର୍ଶିନୀ ଭଳି ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

OTV is now on Whatsapp

Join and get latest news update delivered to you via whatsapp

Join Now