Advertisment

ନାମାଙ୍କନ ବେଳେ ବି ନାରାବାଜି ! ବିଜେପି କହିଲା ମୋଦି ମୋଦି, ବିଜେଡି କହିଲା ନବୀନ

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।

author-image
Manoranjan Behera
undefined

Election Nomination

ନୋମିନେସନ୍.. ନାରାବାଜି.. ଶକ୍ତିପ୍ରଦର୍ଶନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା। ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ, ଉପୁଜିଥିଲା ଗରମାଗରମ ପରିସ୍ଥିତି। ଶେଷରେ ପୁରୀ ଏସପିଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ହାତକୁ ହାତ ଧରି ଜଣେ ବୟସ୍କ ମହିଳାଙ୍କ ସହ ନାଚରେ ମଜ୍ଜି ଯାଇଥିଲେ ସମ୍ବିତ। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଆଜି ବିଜ୍ଞପ୍ତି ପ୍ରକାଶ ପାଉ ପାଉ ନାମାଙ୍କନ ଭରିଛନ୍ତି ସମ୍ବିତ ଓ ବିଜେପିର ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥ ଓ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା ପରେ, ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ମା ଦୁଲାଦେଇଙ୍କ ଆଶୀର୍ବାଦ ନେଇ ବିଶାଳ ରାଲିରେ ବାହାରିଥିଲେ ଉଭୟ ନେତା ଓ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ବିଜେପି ପକ୍ଷରୁ ଆଜି ବହୁ ହେଭିୱେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ, ଶକ୍ତି ପ୍ରଦର୍ଶନ ସହ ବିଧିବଦ୍ଧ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି। ରାଉରକେଲା ପ୍ରାର୍ଥୀ ଦିଲୀପ ରାୟ ଘରେ ପ୍ରଭୁ ଜଗନ୍ନାଥ ଏବଂ ପିତାମାତାଙ୍କ ଫଟୋଚିତ୍ରକୁ ମୁଣ୍ଡିଆ ମାରି ନୋମିନେସନ ପାଇଁ ବାହାରିଥିଲେ। ତାଙ୍କ ରାଲିରେ ପ୍ରବଳ ଖରା ସତ୍ତ୍ୱେ ସାମିଲ ହୋଇଥିଲେ ହଜାର ହଜାର ସମର୍ଥକ। ବିର୍ସାମୁଣ୍ଡା ଛକରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ସୃଷ୍ଟି ହୋଇଥିଲା ଲୋକାରଣ୍ୟ ପରିବେଶ।

Advertisment

ବୀରମିତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ରାଉରକେଲା ସିଂହାସନୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ, ତାଙ୍କୁ ପୂଜା ହୋଇଥିବା ଫୁଲମାଳ ପିନ୍ଧାଇ ଦେଇଥିଲେ ତାଙ୍କ ପତ୍ନୀ। ତାଙ୍କ ରାଲିରେ ଆଦିବାସୀ ନାଚ ଜମିଥିଲା। ବଲାଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ତଥା ପାଟଣାଗଡ଼ ମହାରାଣୀ ସଂଗୀତା କୁମାରୀ ସିଂଦେଓ ମା ଦଶମତି, ଇଷ୍ଟଦେବୀ ପାଟଣେଶ୍ୱରୀ, ସମଲେଶ୍ୱରୀଙ୍କ ସହ ହନୁମାନଙ୍କ ଦର୍ଶନ କରି ହାତରେ ପଦ୍ମଫୁଲ ଧରି ସ୍ୱାମୀ କେଭିଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ ନାମାଙ୍କନ ପାଇଁ। ଅନ୍ୟ ବିଜେପି ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଲୋଇସିଂହାର ମୁକେଶ ମହାଲିଙ୍ଗ ଏବଂ ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ ପ୍ରମୁଖ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ନିଜ ୪୦ ବର୍ଷ ପୁରୁଣା ସ୍କୁଟରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଲଗାତାର ଅଷ୍ଟମ ଥର ପାଇଁ ସ୍କୁଟରକୁ ଚଲାଇ ନାମାଙ୍କନ ଦାଖଲ ପାଇଁ ଯାଇଛନ୍ତି ଆଠଗଡ଼ ବିଧାୟକ ପ୍ରାର୍ଥୀ ଭାବରେ। ଧବଳେଶ୍ୱର ପୀଠରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ବାଇକ ରାଲି। ଅନ୍ୟ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମାଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ଲୁପ୍ତପ୍ରାୟ ଘୋଡ଼ାନାଚ। ସାକ୍ଷୀଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ବାହାରିଥିଲେ।

ସେହିପରି ପୁରୀ ସଦରରୁ ବିଧାୟକ ପ୍ରାର୍ଥୀ ଭାବେ ନାମାନଙ୍କ ଭରିଛନ୍ତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି। ସେପଟେ ବରଗଡ଼ ପଦ୍ମପୁର ପ୍ରାର୍ଥିନୀ ବର୍ଷା ସିଂ ବରିହା ବାପା ବିଜୟ ରଞ୍ଜନଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପରେ ନଗର ଭ୍ରମଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ବାପାଙ୍କ ଦେହାନ୍ତ ପରେ ୨୦୨୨ରେ ଉପନିର୍ବାଚନ ଜିତିଥିଲେ ବି, ଏଥର ଅସଲ ଲଢ଼େଇର ସାମ୍ନା କରିବେ ବର୍ଷା।

ଆଜି ନୋମିନେସନ କରିଥିବା କଂଗ୍ରେସ ପ୍ରାର୍ଥୀ ଝାରସୁଗୁଡ଼ାର ଅମିତା ବିଶ୍ୱାଳ, ବ୍ରଜରାଜନଗରର କିଶୋର ପଟେଲ ପ୍ରମୁଖ ସମର୍ଥକଙ୍କ ସହ ପଟୁଆରରେ ଯାଇଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗିରରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ହାତରେ ବଇଁଶୀ ଧରି ନାମାଙ୍କନ ଭରିବାକୁ ଯିବା ରୋଚକ ଦୃଶ୍ୟ ସୃଷ୍ଟି କରିଥିଲା। ସେହିପରି ପୁରୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ସେବକ ହରେକୃଷ୍ଣ ସିଂହାରୀ।

ପୁରୀରେ ସମ୍ବିତ ପାତ୍ର ସମର୍ଥକ ଓ ଦାସବର୍ମା ସମର୍ଥକଙ୍କ ମୁହାଁମୁହିଁ
ରାଉରକେଲାରେ ରାଲିରେ ଆସି ଦିଲୀପ ରାୟଙ୍କ ନୋମିନୋସନ
୪୦ବର୍ଷ ପୁରୁଣା ସ୍କୁଟରରେ ଆସିଲେ ରାଜା ସ୍ବାଇଁ

BJD BJP Congress Nomination Filing Odisha Politics General Election 2024
Advertisment
Advertisment