• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୧୮ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ବେଳେ, ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍, ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ ସେଣ୍ଟରକୁ ପଠାଇଥିବା ସୂଚନା ମିଳିଛି । ଗତରାତି ପ୍ରାୟ ୯ଟା ବେଳେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ର ଭୋଟ୍ ସାରି ୧୮ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ୫୩ ନଂ ଜାତୀୟ ରାଜପଥ ବଡ଼ରମା ବୁଲାଣି ଠାରେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ ।

ତେବେ ଗତକାଲି ନିର୍ବାଚନ ଡ୍ୟୁଟି ବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିଲା । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଏଯାଏ ହୋଇନି ।

ସେହିପରି ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିଲେ। । ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆନୁଆ ଗାଁ ଭୋଟଗ୍ରହଣ କେନ୍ଦ୍ରରେ ଧାଡ଼ିରେ ଛିଡା ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ କୁମୁଦିନୀ ଦଳାଇ । ବୟସ ପ୍ରାୟ ୬୫ ବର୍ଷ । କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁର। ମତଦାନ କେନ୍ଦ୍ରରେ ଠିଆ ହୋଇଥିବା ବେଳେ ପ୍ରବଳ ଖରାରୁ ତାଙ୍କ ମୁଣ୍ଡ ବୁଲାଇଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ଖଣ୍ଡପଡ଼ା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ଭୋଟିଂ ସରିଛି । ଇଭିଏମରେ ସିଲ୍ ହୋଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ବିଭିନ୍ନ ସ୍ଥାନରୁ ଗଣ୍ଡଗୋଳ, ହିଂସା ସହ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆସିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now