• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇଦିନିଆ ଗସ୍ତରେ କାଲି ଆସିବେ। ୪ ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। ୨୪ ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା। ଥରେ ନୁହେଁ, ଆସନ୍ତା ୩୦ ତାରିଖ ଭିତରେ ୫ରୁ ୬ ଥର ଓଡ଼ିଶା ଆସି ଧୂଆଁଧାର ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ତେବେ କାଲି ରାତିରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବାକୁ ଥିବା ବେଳେ ତା ପୂର୍ବରୁ ଅପରାହ୍ଣରେ ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ଏଭଳି ଘନ ଘନ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି।

ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥରେ ନୁହେଁ, ରାଜ୍ୟରେ ଚାରି ପର୍ଯ୍ୟାୟ ଭୋଟ୍ ଲଢ଼େଇ ଭିତରେ ବାରମ୍ବାର ଓଡ଼ିଶା ଆସି ନିର୍ବାଚନୀ ସଭା କରିବେ। ରାତି ବିତେଇବେ।

୧୯ ନିର୍ବାଚନ ଭଳି ରୋଡ୍ ସୋ କରି ମାହୋଲ୍ ବନେଇବେ ପ୍ରଧାନମନ୍ତ୍ରୀ। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି ରାତି ପ୍ରାୟ ସାଢ଼େ 9ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିବେ। ପରଦିନ ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଯାଇ ଦୁଇ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

ଏ ତ ଥିଲା ୫ ଓ ୬ ତାରିଖର ସିଡ୍ୟୁଲ୍। ଏହାର ମାତ୍ର ୩ ଦିନ ପରେ ଅର୍ଥାତ୍ ୧୦ ତାରିଖରେ ବି ପୁଣି ଆସିବେ ମୋଦି। ବର୍ତ୍ତମାନର ସାଂସଦ ତଥା ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ଏହି ଦିନ ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଲକ୍ଷାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେପି ସପକ୍ଷରେ ଜନତାଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ। ଯେମିତି ହୋଇଥିଲା ୧୯ ନିର୍ବାଚନ ବେଳେ ଅର୍ଥାତ୍ ୨୦୧୯ ଏପ୍ରିଲ ୧୬ ତାରିଖରେ। ୧୦ ତାରିଖ ରୋଡ୍ ସୋ ପରେ ଭୁବନେଶ୍ୱରରେ ରାତ୍ରି ଯାପନ କରି ତହିଁ ଆରଦିନ ଅର୍ଥାତ୍ ୧୧ ତାରିଖରେ ବଲାଙ୍ଗିର ଯାଇଁ ସେଠି ମଧ୍ୟ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ମାତ୍ର ୪ ଦିନ ଅନ୍ତରାଳରେ ମୋଦିଙ୍କ ଦୁଇ ଦୁଇଥରର ଦୁଇ ଦିନିଆ ଗସ୍ତକୁ ନେଇ ଅତି ଉତ୍ସାହରେ ରାଜ୍ୟ ବିଜେପି ଶିବିର।

କେବଳ ଏତିକି ନୁହେଁ, ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଦେଉଥିବା ପ୍ରଧାନମନ୍ତ୍ରୀ ଆସନ୍ତା ୩୦ ତାରିଖ ଭିତରେ ୫ରୁ ୬ ଥର ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ହେଲେ ସମସ୍ତଙ୍କ ନଜର ଓଡ଼ିଶାରେ ମୋଦିଙ୍କ ପ୍ରଥମ ନିର୍ବାଚନୀ ଭାଷଣ ଉପରେ। ୬ ତାରିଖ ବ୍ରହ୍ମପୁର ଓ ନବରଙ୍ଗପୁରର ସଭାରେ ରାଜ୍ୟ ସରାକରଙ୍କୁ କିଭଳି ଢଙ୍ଗରେ ନିଶାନା କରିବେ ମୋଦି ?

କାରଣ ଏହାପୁର୍ବରୁ ସୋନପୁର ସଭାରେ ଶାହ ଓ ବ୍ରହ୍ମପୁର ସଭାରେ ନଡ୍ଡା ଓଡ଼ିଆ ଅସ୍ମିତାଠୁ ନେଇ ଭ୍ରଷ୍ଟାଚାର, ଅଫିସର ରାଜ୍, କେନ୍ଦ୍ରୀୟ ଯୋଜନାର ହାଇଜାକିଂ ଭଳି ଏକାଧିକ ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ଜୋରଦାର ହମଲା କରି ସାରିଛନ୍ତି। ଏମିତିକି ଓଡ଼ିଆ ଅସ୍ମିତା ସଙ୍କଟରେ ଥିବା ଏବଂ ଓଡ଼ିଆ ଭାଷା ବିପଦରେ ପଡ଼ିଥିବାରୁ ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ଆଉ ବରଦାସ୍ତ କରିବେନି ବୋଲି ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତି ପାରାକୁ ଉପରମୁହାଁ କରିଛି। ଏଭଳି ସ୍ଥିତିରେ ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ମୋଦି କି ବାଣ ମାରୁଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା।

ସେପଟେ କାଲି ଅପରାହ୍ମ ତିନିଟାରେ ଭୁବନେଶ୍ୱର ଆସି ଓଡ଼ିଶା ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଏହାପରେ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ। ପରେ କଟକ ଗସ୍ତରେ ଯାଇ ସେଠି ବି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ।

  • Reported by:
  • ASHOK BRAHMA , T GOURISHANKAR , SOUMYA RANJAN SAHOO