/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709292063.jpg)
Naveen Niwas
ପାଖଉଛି ନିର୍ବାଚନ ତାରିଖ, ଆଉ ତାସହ ବଢ଼ୁଛି ନବୀନ ନିବାସରେ ନେତାଙ୍କ ଭିଡ଼। ଆଜି ମୁଖ୍ୟମନ୍ତ୍ରୀଙ୍କ ଆବାସରେ ବିଜେଡି ନେତାଙ୍କ ପ୍ରବଳ ଭିଡ଼ ଜମିଛି। ନିଜ ସମର୍ଥକଙ୍କ ସହ ଆସି ପହଞ୍ଚୁଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନେତା। ବିଧାୟକ ରାଜେନ୍ଦ୍ର ସାହୁ ଓ ଭୁବନେଶ୍ୱରର କର୍ପୋରେଟର ଅମରେଶ ଜେନା ନିଜ ସମର୍ଥକଙ୍କ ସହ ଆସି ପହଞ୍ଚିଛନ୍ତି ନବୀନ ନିବାସରେ।
ବାହାନା ଅଲଗା ଅଲଗା କିନ୍ତୁ ରାଜନୈତିକ ଉଷ୍ଣତା ଦେଖିଲେ ଠିକ୍ ବାରି ହେଉଛି କି ଏହା ଟିକେଟ୍ ପାଇଁ ଲବି। କେହି ଏଦିଗରେ ସ୍ପଷ୍ଟ ଭାବେ ଜବାବ ଦେଇନଥିଲେ ବି ଇସାରା ଇସାରାରେ ନିଜ ଦାବି ଜଣାଇଛନ୍ତି । ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ରାଜେନ୍ଦ୍ର ସାହୁ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ, ଯାହା ସେ ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ ବୋଲି ସେ କହିଛନ୍ତି। ସେହିପରି ଗତ କିଛିଦିନ ଧରି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ନିଜକୁ ଦାବିଦାର ଦର୍ଶାଉଥିବା ଅମରେଶ ଜେନା ବି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ବଲ୍ ଫିଙ୍ଗିଛନ୍ତି । ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ, ସମସ୍ତେ ଆସୁଛନ୍ତି ମୁଁ ବି ଆସିଛି ବୋଲି କହିଛନ୍ତି ଅମରେଶ ।
ଗୋଟିଏ ପଟେ ନବୀନ ନିବାସରେ ନେତାଙ୍କ ଭିଡ଼ ଜମୁଥିବା ବେଳେ ଅନ୍ୟପଟେ ବିଜେପିଙ୍କୁ ଲମ୍ଫ ମାରିଲେଣି ଅନେକ ବିଜେଡି ନେତା । ଯାହାକୁ ଟିକେଟ ନମିଳିବା ନେଇ ସାମାନ୍ୟ ଆଭାସ ମିଳୁଛି, ସେମାନେ ବିଜେଡି ଛାଡ଼ି ବିଜେପିକୁ ଡେଉଛନ୍ତି । ନିକଟରେ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ନବୀନ ନନ୍ଦଙ୍କ ଭଳି ଟାଣୁଆ ନେତା ବିଜେପିରେ ସାମିଲ ହୋଇଛନ୍ତି । ଆଗକୁ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛି । ଅନେକ ବଡ଼ ବଡ଼ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେବେ ବୋଲି ବଜେପି ମହଲରେ ଚର୍ଚ୍ଚା ସୃଷ୍ଟି ହେଲାଣି ।
ସେପଟେ କଂଗ୍ରେସ ସ୍ଥିତି ବି ଭଲ ନଥିବା କୁହାଯାଉଛି । ଓଡ଼ିଶା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ଶୁକ୍ରବାର କଂଗ୍ରେସର ଯୁବ ନେତା ତଥା ପିସିସି ଉପସଭାପତି ରଜତ ଚୌଧୁରୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ରଜତ ଚୌଧୁରୀ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ୨୦୧୪ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଳାଇଥିଲେ। ପରେ ପିସିସି ସାଧାରଣ ସଂପାଦକ ପଦ ମଧ୍ୟ ତାଙ୍କୁ ମିଳିଥିଲା।
ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ। ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ଡିଆଁ ଏବେ ବିଭିନ୍ନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)