• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମେ ୧୩, ସୋମବାର, ସକାଳ ୭ଟା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍ । ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ଭୋଟ୍ ହେବାକୁ ଥିବା ବେଳେ, ଆଜି ସେଠାରେ ସରିଛି ପ୍ରଚାର ପର୍ବ । ତେବେ ଚଳଚଞ୍ଚଳ ହୋଇ ଉଠିଛି ଷ୍ଟ୍ରଙ୍ଗରୁମ ଥିବା ଭୋଟିଂ କିଟ୍ ବିତରଣ କେନ୍ଦ୍ର ଗୁଡ଼ିକ । ସେଠାରୁ ଆଜିଠୁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ । ଆଉ ଦିନକ ପରେ ଭୋଟ୍ ଦେବ ଏଇ ୪ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ । ସେଥିପାଇଁ ଇଭିଏମ୍, ଭିଭିପାଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଧରି ବୁଥ୍ ମୁହାଁ ପୋଲିଂ ପାର୍ଟି... ସବୁଠି କଡ଼ା ସୁରକ୍ଷା, ଚଳଚଞ୍ଚଳ ସ୍ଥିତି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୧୩ ତାରିଖରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ସାଧାରଣ ନିର୍ବାଚନ ।

ଯନ୍ତ୍ରୀ ଓ ସନ୍ୟାସୀଗୁଡ଼ାରେ ହୋଇଛି ମତଦାନ କେନ୍ଦ୍ର । ଜିଲ୍ଲାରେ ରହିଛି ମୋଟ ୧୧୪ ସମ୍ବେଦନଶୀଳ ବୁଥ୍ । ସେହିପରି ନବରଙ୍ଗପୁର ଜିଲ୍ଲାରେ ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ, ଦୁର୍ଗମ ତଥା ଜିଲ୍ଲା ମୁଖ୍ୟାଳୟରୁ ଅଧିକ ଦୂର ଉମରକୋଟ ଓ ଝରିଗାଁକୁ ଆଜି ବାହାରିଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ । ବାକି ଦୁଇଟିକୁ ଆସନ୍ତାକାଲି ପଠାଯିବ ।

୧୩ ତାରିଖ ସକାଳ ୭ଟାରେ ସବୁଠି ଆରମ୍ଭ ହେବ ମତଦାନ । କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ପାଇଁ ୧୫ ଟି କାଉଣ୍ଟର ଖୋଲାଯାଇ ଶୃଙ୍ଖଳିତ ଭାବେ ହୋଇଛି ଭୋଟିଂ କିଟ୍ ବଣ୍ଟନ । ଆଜି ଏଠାରୁ ୩ଟି ନିର୍ବାଚନ ମଣ୍ଡଳୀର ବୁଥକୁ ପୋଲିଂ ପାର୍ଟି ଯାଇଥିବା ବେଳେ, ତେଣେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରୁ ଜୟପୁର ଓ କୋଟପାଡ଼ ଅଭମୁଖେ ଯାଇଛନ୍ତି ।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ଏଥିପାଇଁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ପୂର୍ବ ଭଳି ଟ୍ରକରେ ନଯାଇ ବସ୍ ଓ ଛୋଟ ଗାଡ଼ିରେ ଯାଇଥିଲେ ପୋଲିଂ କର୍ମଚାରୀ । ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥ୍ ଅଭିମୁଖେ ମଧ୍ୟ ଆଜିଠୁ ଯାଇସାରିଛି ପୋଲିଂ ପାର୍ଟି । ନୂଆପଡ଼ାର ନ୍ୟାସନାଲ କଲେଜ ପରିସରରୁ ଖଡ଼ିଆଳ ଅଭିମୁଖେ ପୋଲିଂ ପାର୍ଟି ବାହାରିଥିବା ବେଳେ, କାଲି ପଡ଼ିବ ନୂଆପଡ଼ା ବିଧାନସଭାର ବୁଥ ଗୁଡ଼ିକର ପାଳି ।

କିଛି ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ମଧ୍ୟ ଯିବେ ପୋଲିଂ ଟିମ୍ । ଏଣେ ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରଶାସନ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥର ବହୁ ପୋଲିଂ ଅଧିକାରୀ ପ୍ରଥମ ଥର ଇଲେକ୍ସନ ଡ୍ୟୁଟିରେ ଯାଉଥିବା ବେଳେ, ଅନେକେ ବଖାଣିଛନ୍ତି ନିଜର ଅଭୁଲା ଅଭିଜ୍ଞତା ।

ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ହୋଇଛି ୭ ହଜାର ୩୦୩ ବୁଥ୍ । ୩୭ ଲୋକସଭା ଓ ୨୪୩ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର୍ । ଫାଷ୍ଟ୍ ଫେଜରେ ପୁରୁଷଙ୍କ ଠାରୁ ପ୍ରାୟ ୧ ଲକ୍ଷ ଅଧିକ ମହିଳା ଭୋଟର ଅଛନ୍ତି । ୭୧୫ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ୧୨୭୬ଟି ଆଦର୍ଶ ବୁଥ୍ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ବ୍ରହ୍ମପୁର ବିଧାନସଭା ନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥୀ ଥିବାରୁ, ସେଠାରେ ଦୁଇଟି ଇଭିଏମ୍ ବ୍ୟବହୃତ ହେବ । ୬୦ ପ୍ରତିଶତ ବୁଥରୁ ଲାଇଭଷ୍ଟ୍ରିମ୍ ବ୍ୟବସ୍ଥା କରାଯାଇଥିବା ବେଳେ, ୧୨୬୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ଫୋର୍ସର ୨ଶହରୁ ଅଧିକ କଂପାନୀ ଯବାନ ମୁତୟନ ହୋଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now