Advertisment

ନୂଆପଡ଼ାରେ ଏକ୍-ସେ-ବଢ଼କର୍-ଏକ୍ ପ୍ରାର୍ଥୀ; ମୈଦାନରେ ହେବ ଦମଦାର ଫାଇଟ୍

ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ।

author-image
Manoranjan Behera
undefined

Nuapada Politics

ଉଭୟ, ଉପାନ୍ତ ଓ ସୀମାନ୍ତ ବିଧାନସଭା କ୍ଷେତ୍ର ହୋଇଥିଲେ ବି ଭୋଟ୍ ଆସିଲେ ଚର୍ଚ୍ଚାକୁ ଆସେ ନୂଆପଡ଼ା। ହେଲେ ଏଥରର ଚିତ୍ର ସେଠି ଅଧିକ ରୋଚକ। ଏଠି ତିନି ପ୍ରମୁଖ ଦଳରୁ ଲଢୁଥିବା ପ୍ରାର୍ଥୀମାନେ ଏକ୍-ସେ-ବଢ଼କର-ଏକ୍। ଜଣେ ତିନିଥରର ବିଧାୟକ, ତ ଜଣେ ଏବେକା ସାଂସଦଙ୍କ ପୁଅ ଓ ଅନ୍ୟ ଜଣେ ଖୋଦ୍ ପିସିସି ସଭାପତି। ରୋଚକ ଲଢ଼େଇର ଆଭାସ ମିଳୁଥିବା ଏ ଆସନର ରାଜନୈତିକ ପାଣିପାଗକୁ ନେଇ ହୋଇପାରେ ଦମଦାର ଫାଇଟ୍।

Advertisment

ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଆଗୁଆ ଯୋଦ୍ଧା ଘୋଷଣା କରିଥିବାରୁ ଏବେ ବଳ କଷାକଷିର ବେଳ।

ବିଜେଡି ଏଥର ନୂଆପଡ଼ାରେ ପ୍ରାର୍ଥୀ ରିପିଟ୍ କରିଛି। ୨୦୦୪, ୦୯ ଓ ୧୯ରେ ତିନି ଥରର ବିଧାୟକ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ପୁଣି ଭରଷା କରିଛି। ଢୋଲକିଆ ନବୀନଙ୍କ ଯୋଜନାର ତାଲିକା ଧରି ଭୋଟରଙ୍କ ପାଖକୁ ଯିବେ ବୋଲି କହୁଛନ୍ତି। ତାଙ୍କୁ ଟକ୍କର ଦେବାକୁ ବିଜେପି କରିଛି ନୂଆ ଗେମ୍ ପ୍ଲାନ୍। ମୋଦି ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଯୁବ ଚେହେରା ଭାବେ ମଇଦାନକୁ ଛାଡ଼ିଛି ଅଭିନନ୍ଦନ ପଣ୍ଡାଙ୍କୁ। ଅଭିନନ୍ଦନ ହେଉଛନ୍ତି ୨୦୧୪ରେ ନୂଆପଡ଼ାର ବିଧାୟକ, ଏବେର କଳାହାଣ୍ଡି ସାଂସଦ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁଅ।

Advertisment

ଯେହେତୁ ବସନ୍ତ ପଣ୍ଡା ରାଜନୀତିରେ ପୁରୁଣା ଖେଳୁଆଡ଼, ତେଣୁ ପୁଅଙ୍କୁ ଜିତାଇବାକୁ ଉଭୟ ସଂଗଠନ ଓ କୌଶଳ ଦୁଇଟି ଯାକ କାମରେ ଲଗାଇବେ। ସେପଟେ ଅଭିନନ୍ଦନ ବି ନୂଆପଡା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଛନ୍ତି, ତେଣୁ ତୃଣମୂଳ ସ୍ତରରେ ଭୋଟରଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏ ଦୁଇଜଣଙ୍କ ବାଦ୍ ନୂଆପଡ଼ା ଆସନରେ ଯେଉଁ ଅନ୍ୟ ପ୍ରାର୍ଥୀ ଜଣକ ଅଧିକ ଚର୍ଚ୍ଚାରେ, ସେ ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ। ପୂର୍ବରୁ ନୂଆପଡ଼ା ବିଧାନସଭା ଆସନ, ବଲାଙ୍ଗିର ଲୋକସଭା କ୍ଷେତ୍ର ଅଧୀନରେ ଥିଲା। ୧୯୯୧ରେ ଶରତ ପଟ୍ଟନାୟକ ବଲାଙ୍ଗିର ସାଂସଦ ହେବା ପରଠୁ ନୂଆପଡ଼ା ସହ ତାଙ୍କର ଗଭୀର ସଂପର୍କ ରହିଛି।

ଦଳୀୟ ଟିକେଟ୍ ଘୋଷଣା ପରେ ନୂଆପଡ଼ା ବିଧାନସଭା ଆସନରେ ତିନି ପ୍ରମୁଖ ଦଳର ଯୋଦ୍ଧାମାନେ ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କଲେଣି। କିନ୍ତୁ ଏଥର ପ୍ରାର୍ଥୀ ଏକ୍ ସେ ବଢକର ଏକ୍ ଥିବାରୁ କାହାରି ଏକତରଫା ବିଜୟର ଆଦୌ ସମ୍ଭାବନା ନାହିଁ। ଏସବୁ ଭିତରେ ନୂଆପଡ଼ା ଜିଲ୍ଲା ଆଦିବାସୀ ସଂଘ, ପୂର୍ବତନ ବିଧାୟକ ଘାସିରାମ ମାଝୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ସମ୍ମତି ଦେବା ପରେ, ସବୁ ଦଳର ପ୍ରାର୍ଥୀଙ୍କ ଟେନସନ୍ ବଢ଼ିଛି। ଭୋଟର ବି ପ୍ରାର୍ଥୀଙ୍କ ଦକ୍ଷତା ପରଖୁଥିବାବେଳେ ରାଜନୀତି ସମୀକ୍ଷକଙ୍କ ଅନୁମାନ, ନୂଆପଡ଼ାରେ ଏଥର ତ୍ରିମୁଖୀ ନୁହେଁ ଚତୁର୍ମୁଖୀ ଲଢ଼େଇ ହୋଇପାରେ।

ଯୋଦ୍ଧା ପ୍ରସ୍ତୁତ, ମତଦାତା ବି ଉତ୍କଣ୍ଠାରେ। ଏବେ ନଜର ନୂଆପଡ଼ା ମୈଦାନରେ ଅଭିଜ୍ଞ, ନବାଗତ ନା ପୋଖତ ରାଜନେତାଙ୍କ ମଧ୍ୟରୁ, କିଏ ମାରୁଛି ବାଜି ?

Odisha Politics General Elections 2024
Advertisment
Advertisment