• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ବିଧାନସଭା ଆସନ । ହେଭିୱେଟ୍ ମାନଙ୍କ ହୋମ୍ ଗ୍ରାଉଣ୍ଡ୍ । ନର୍ଲା, ଏମ୍. ରାମପୁର, କର୍ଲାମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତ ଏବଂ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ରାଜନୀତି କ୍ଷେତ୍ରରେ ବେଶ୍ ଆଗୁଆ । କିନ୍ତୁ ବିକାଶ କ୍ଷେତ୍ରରେ ଖୁବ୍ ପଛୁଆ । ଏଥର ନିର୍ବାଚନରେ ସେଠି ହେବ ତ୍ରିମୁଖୀ ଲଢ଼େଇ ।

ସେଠାରେ ବିଜେପି ନିଜ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନଙ୍କୁ ରିପିଟ୍ କରିଛି । ଗତଥର ୪୪ ହଜାରରୁ ଅଧିକ ଭୋଟ୍ ପାଇ, ବିଜେଡିର ଭୂପିନ୍ଦର ସିଂଙ୍କୁ କଡ଼ା ଟକ୍କର ଦେଇଥିବା କୃଷକ ନେତା ଅନିରୁଦ୍ଧଙ୍କ ଉପରେ ପୁଣି ଭରସା କରିଛି ପଦ୍ମ ଦଳ । ତେବେ ବିଜେଡି ଖେଳିଛି ନୂଆ ଚାଲ୍ । ବହୁ ଅଙ୍କ କଷା କଷି ପରେ ଭେଟେରାନ୍ ତଥା ସିଟିଂ ଏମଏଲଏ ଭୂପିନ୍ଦର ସିଂଙ୍କ ଟିକେଟ୍ କାଟି ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ।

ସେପଟେ ନର୍ଲାରେ ପୁଣି ହାତକୁ କ୍ଷମତାକୁ ଆଣିବା ପାଇଁ, ଅଣ୍ଟା ଭିଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ସଂସଦ ମୋହ ଛାଡ଼ି କଂଗ୍ରେସରୁ ହୋଇଛନ୍ତି ବିଧାୟକ ପ୍ରାର୍ଥୀ । କୁହାଯାଏ, ଦଳ ନୁହେଁ ପ୍ରାର୍ଥୀ ଦେଖି ନେତା ବାଛେ ନର୍ଲା । ୨୦୧୯ ଓ ୨୦୧୪ରେ ଏଠି ବିଜେଡିର ଜିତ୍ ହୋଇଥିବା ବେଳେ, ୨୦୦୯ରେ କିନ୍ତୁ ବାଜି ମାରିଥିଲା କଂଗ୍ରେସ ।

୨୦୦୯ରେ କଂଗ୍ରେସରୁ ଭୂପିନ୍ଦର ସିଂ ବିଧାୟକ ଭାବେ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ହୋଇଥିଲେ । ତେବେ ପରେ ଦଳ ତ୍ୟାଗ କରିଥିଲେ । ୨୦୧୪ରେ ବିଜେଡିରେ ମିଶିବା ପରେ ରାଜ୍ୟସଭା ଯାଇଥିଲେ ଭୂପିନ୍ଦର । ୨୦୧୯ରେ ପୁଣି ତାଙ୍କୁ ବିଜେଡିରୁ ଟିକେଟ ମିଳିଥିଲା। ଆଉ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ଅନିରୁଦ୍ଧ ପ୍ରଧାନଙ୍କୁ ହରାଇ ଭୂପିନ୍ଦର ବିଜୟୀ ହୋଇଥିଲେ ।

ତେବେ ଏଥର ଭୂପିନ୍ଦରଙ୍କ ଟିକେଟ୍ କାଟି ମହିଳା କାର୍ଡ ଖେଳିଛି ବିଜେଡି । ବର୍ତ୍ତମାନର ନର୍ଲା ବ୍ଲକ୍ ଅଧ୍ୟକ୍ଷ ଥିବା ମନୋରମା ମହାନ୍ତିଙ୍କୁ ବିଜେଡି ଟିକେଟ୍ ଦେଇଛି । ସେହିପରି ୨୦୧୪ରେ ଏ ଆସନରୁ ବିଜେଡିର ଧନେଶ୍ୱର ମାଝୀ ବିଜୟୀ ହୋଇଥିଲେ । ଏ ଆସନ କଥା ଦେଖିଲେ ବଳଭଦ୍ର ମାଝୀ ଏଠାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

୧୯୯୦ ଓ ୧୯୯୫ରେ ଜନତା ଦଳରୁ ଦୁଇଥର ଏବଂ ୨୦୦୦ ଓ ୨୦୦୪ରେ ବିଜେଡିରୁ ଦୁଇଥର ବିଜୟୀ ହୋଇଛନ୍ତି ବଳଭଦ୍ର ମାଝୀ । ବିଜେଡି ଓ କଂଗ୍ରେସ ଏହି ଆସନରେ ୪ ଥର ଲେଖାଏଁ ବିଜୟୀ ହୋଇଥିବା ବେଳେ ସ୍ୱତନ୍ତ୍ର ପାର୍ଟି ୩ ଥର ଏବଂ ଜନତା ଦଳ ଦୁଇ ଥର ବିଜୟୀ ହୋଇଛି ।