• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲାଙ୍ଗିର ଲୋକସଭା.. ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ । ସୁବର୍ଣ୍ଣପୁର ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।

୨୦୧୯ରେ ଏଠାରେ ମୋଟ ଭୋଟର ଥିଲେ ୧୭ ଲକ୍ଷ ୪୪ ହଜାର ୪୪୬ । ଏଥର ଭୋଟର ସଂଖ୍ୟା ବଢ଼ି ୧୭ ଲକ୍ଷ ୯୩ ହଜାର ୨୧୧ରେ ପହଞ୍ଚିଛି । ବିଗତ ଦିନରେ ଏ ଆସନରେ ସବୁ ଦଳର ଶାସନର ସ୍ୱାକ୍ଷର ରହିଛି । ଅନେକ ଥର କାଣ୍ଟେ କେ ଟକ୍କର ବି ଦେଖିବାକୁ ମିଳିଛି । ବିଜେଡି ଏଠୁ ମାତ୍ର ଦୁଇ ଥର ୨୦୦୯ ଓ ୨୦୧୪ରେ ଶାସନକୁ ଆସିପାରିଛି ।

ବିଜେପି ବଲାଙ୍ଗିର ଆସନରୁ ମୋଟ ୪ ଥର ବିଜୟୀ ହୋଇଛି । ସେହିଭଳି କଂଗ୍ରେସକୁ ମଧ୍ୟ ୪ ଥର ଶାସନର ସୁଯୋଗ ମିଳିଛି । ଏହି ଆସନରେ ରାଜପରିବାରର ଦବଦବା ଦେଖିବାକୁ ମିଳିଆସିଛି । ବିଜେପି ଓ ବିଜେଡିରୁ ଏଠୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନେତା କେବଳ ରାଜପରିବାରର ସଦସ୍ୟ । ବିଜେପିରୁ ୪ ଥର ଯାକ କେବଳ ଜଣେ ନେତ୍ରୀ ସଙ୍ଗୀତା କୁମାରୀ ସିଂ ଦେଓ ହିଁ ସାଂସଦ ହୋଇଛନ୍ତି ।

ଅନ୍ୟପଟେ ବିଜେଡିରୁ ମଧ୍ୟ କେବଳ ଜଣେ ନେତା ହିସାବରେ ସେହି ରାଜପରିବାରର ସଦସ୍ୟ କଳିକେଶ ନାରାୟଣ ସିଂଦେଓ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ଏ ଆସନରେ ବିଜେପି କ୍ଷମତାରେ ଥିବା ବେଳେ ୨୦୨୪ ପାଇଁ ବିଜେପିରୁ ଅଷ୍ଟମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା କୁମାରୀ ସିଂହଦେଓ ।

ସେହିଭଳି ବିଜେଡି ଏଥର କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ ଏଥର ପ୍ରଥମ କରି ଜଣେ ନାଁ କରା ଅଭିନେତା ମନୋଜ ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । ସବୁ ଦଳରେ ଏଥର ଦମଦାର ପ୍ରାର୍ଥୀ ଥିବାରୁ ବଲାଙ୍ଗିର ଲୋକସଭା ଲଢେଇ ଏଥର ଜୋରଦାର ହେବା ଅନୁମାନ କରାଯାଉଛି ।

ସେପଟେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ପକ୍ଷରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା କୁମାରୀ ସିଂଦେଓ । ଯିଏ ସର୍ବାଧିକ ଥର ହୋଇଛନ୍ତି ଦଳୀୟ ପ୍ରାର୍ଥୀ । ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସଙ୍ଗୀତା ଏଥର ଅଷ୍ଟମ ଥର ପାଇଁ ଏ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ସେ ମୋଟ ୭ ଥର ଲଢେଇ କରିଥିବା ବେଳେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

୧୯୯୮, ୧୯୯୯ ଓ ୨୦୦୦ରେ ସେ ଲଗାତର ୩ ଥର ଜିତି ହାଟ୍ରିକ କରିଥିବା ବେଳେ ୨୦୧୯ରେ ପୁଣି ବିଜୟ ହାସଲ କରିଥିଲେ । ୨୦୧୯ ନିର୍ବାଚନରେ ସେ କଣ୍ଟାବାଞ୍ଜିରୁ ସର୍ବାଧିକ ୪୪.୨ ପ୍ରତିଶତ ଭୋଟ୍ ପାଇଥିଲେ । ୧୯୯୬ରୁ ସେ ଲଗାତର ଭାବେ ଏଇ ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ଆସୁଛନ୍ତି । ସଙ୍ଗୀତାଙ୍କ ବ୍ୟତୀତ ଦଳ ଆଉ ଦ୍ୱିତୀୟ ବ୍ୟକ୍ତିଙ୍କୁ ସୁଯୋଗ ଦେବା କଥା ଚିନ୍ତା କରିନି ।

ବଲାଙ୍ଗିର ରାଜ ପରିବାରର ସଦସ୍ୟ ତଥା ପାଟଣା ମହାରାଣୀ ସଙ୍ଗୀତା ସିଂଦେଓ ପୂର୍ବତନ ମନ୍ତ୍ରୀ, ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ । ଆଜିକୁ ପ୍ରାୟ ୩୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ଥିବା ବେଳେ ଏଥର ବି ନିର୍ବାଚନ ଜିତି ସର୍ବାଧିକ ୫ ଥରର ରେକର୍ଡ ନିଜ ନାଁରେ କରାଇବାକୁ ଆଶା ରଖିଛନ୍ତି ।

ସେପଟେ ବଲାଙ୍ଗିର ଲୋକସଭା ଆସନରେ ସରପ୍ରାଇଜ୍ ହେଉଛନ୍ତି ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ । ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ସେ ବିଜେଡିରୁ ହୋଇଛନ୍ତି ସାଂସଦ ପ୍ରାର୍ଥୀ । ବଲାଙ୍ଗିର ରାଜନୀତିରେ ବେଶ୍ ପରିଚିତି ଥିବା ସୁରେନ୍ଦ୍ର ସିଂ ଭୋଇ ୩ ଥରର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ । ଗତ ୩୮ ବର୍ଷ ଧରି ସେ କଂଗ୍ରେସରେ ଥିଲେ ।

୧୯୯୫ ଓ ୨୦୦୦ରେ ସଇଁତଳାରୁ ଏବଂ ୨୦୦୯ରେ ସେ ଟିଟିଲାଗଡ଼ ଆସନରୁ ବିଧାୟକ ଥିଲେ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ବିଜେଡିକୁ ଆସିବା ପୂର୍ବରୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭାପତି ଥିଲେ । ଲୋକସଭା ନିର୍ବାଚନ ଲଢିବା ତାଙ୍କ ପାଇଁ ପ୍ରଥମ। ସୁରେନ୍ଦ୍ର ସିଂ ଭୋଇ ବଲାଙ୍ଗିରରୁ ବିଜେଡି ପ୍ରାର୍ଥୀ ହେବା ପରେ ଏଥର ପ୍ରଥମ ଥର ରାଜ ପରିବାର ସଦସ୍ୟ ବିଜେଡି ଟିକେଟରୁ ବଞ୍ଚିତ ହୋଇଛନ୍ତି ।

ସେହିପରି ଅଭିନେତାରୁ ପ୍ରଥମ ଥର ନେତା ହେବାକୁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ମନୋଜ ମିଶ୍ର । ଜାତୀୟ ସ୍ତରରେ ହିନ୍ଦୀ ଧାରାବାହିକରେ ଅଭିନୟ, ପରେ ଓଡ଼ିଆ ସିନେମାରେ ଅଭିନୟ ଓ ପ୍ରଯୋଜନା ପରେ ଏବେ କଂଗ୍ରେସ ଦଳରେ ଯୋଗ ଦେଇ ବଲାଙ୍ଗିର ସଂସଦୀୟ କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି ମନୋଜ ।

ମନୋଜଙ୍କର ଆଗରୁ ରାଜନୀତି କ୍ଷେତ୍ରରେ ଅଭିଜ୍ଞତା ନଥିଲେ ବି ରାଜନୀତିରେ ତାଙ୍କର ରୁଚି ଦେଖିବାକୁ ମିଳୁଛି । ଆଞ୍ଚଳିକ ସମସ୍ୟା ଓ ପ୍ରସଙ୍ଗକୁ ସେ ନିର୍ବାଚନୀ ମୁଦ୍ଦା କରିଛନ୍ତି । ପଶ୍ଚିମ ଓଡ଼ିଶାର ଉନ୍ନତି ପାଇଁ କିଛି କରିବାକୁ ସେ ରାଜନୀତି କ୍ଷେତ୍ରକୁ ଓହ୍ଲାଇଥିବା କୁହନ୍ତି । ତେବେ ବଲାଙ୍ଗିର ଲୋକସଭା ଆସନରେ କଂଗ୍ରେସ ଅନେକ ବର୍ଷ ହେବ ରେସରୁ ବାହାରେ ଥିବା ବେଳେ ଏଥର କିନ୍ତୁ କଂଗ୍ରେସ ପାଇଁ ସେ ସଞ୍ଜୀବନୀ ସାଜିବେ ବୋଲି ଆଶା ରଖିଛନ୍ତି ମନୋଜ ।

ତେବେ ତିନି ପ୍ରାର୍ଥୀଙ୍କ ସାମର୍ଥ୍ୟ ଏବଂ ଦୁର୍ବଳତା ଉପରେ ନଜର ପକାଇଲେ ବିଜେପିର ସଙ୍ଗୀତା ସିଂଦେଓଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି । ସେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ପାଟଣା ମହାରାଣୀ ଭାବେ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ତାଙ୍କର ପ୍ରଭାବ ରହିଛି । ତେବେ ତାଙ୍କ ପାଇଁ କଣ୍ଟାବାଞ୍ଜି ଭୋଟ୍ ଏଥର ସାଜିପାରେ ଅଡୁଆ । କାହିଁକି ନା ଏଥର କଣ୍ଟାବାଞ୍ଜିରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଫଳରେ ଏଠାରେ ବଦଳିପାରେ ରାଜନୈତିକ ସମୀକରଣ ।

ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ କଥା ଦେଖିଲେ ସେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ । ତାଙ୍କ ପାଖରେ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ତେବେ ସେ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । କଂଗ୍ରେସ ସହ ସେ ୩୮ ବର୍ଷର ସଂପର୍କ ତୁଟାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ରଙ୍କ କଥା ଦେଖିଲେ ସେ ଜଣେ ସିନିୟର ଅଭିନେତା ।

ତେବେ ତାଙ୍କ ଦୁର୍ବଳତା କଥା ଦେଖିଲେ ରାଜନୀତିରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ । କଂଗ୍ରେସର ଦୁର୍ବଳ ସଂଗଠନକୁ ନେଇ ନିର୍ବାଚନ ଜିତିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ । ବଲାଙ୍ଗିର ଲୋକସଭା କ୍ଷେତ୍ରରେ ତିନି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରସଙ୍ଗ ଉପରେ ନଜର ପକାଇଲେ ବିଜେପି ଏଥର ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଲଢୁଛି । ଦାଦନ ସମସ୍ୟାର ସମାଧାନ ସହ ଛାତ୍ରଛାତ୍ରୀଙ୍କୁ କ୍ୱାଲିଟି ଏଜୁକେସନ ଦିଆଯିବ ବୋଲି ବିଜେପି କହିଛି ।

ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ । ବଲାଙ୍ଗିରରେ ଟେକ୍ସଟାଇଲ ମିଲ୍ ନିର୍ମାଣ କରାଯିବ । ସେହିପରି ବିଜେଡି ବିକାଶମୂଳକ କାମ ସଂପର୍କରେ ଲୋକଙ୍କୁ ଅବଗତ କରିବ । ଆଗାମୀ ଦିନରେ ଅଞ୍ଚଳରେ ଆହୁରି ବିକାଶ କରାଯିବ ବୋଲି କହିଛି । କଂଗ୍ରେସ ମଧ୍ୟ ଦାଦନ ସମସ୍ୟାର ସମାଧାନ ସହ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛି । ଆଞ୍ଚଳିକ ବୈଷମ୍ୟତା ଦୂର କରିବା ସହ ଏ ଅଞ୍ଚଳର ଭାଷା, ସଂସ୍କୃତିକୁ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ କହିଛି ।