• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୦୯ ଓ ୨୦୧୪ରେ ବିଜେଡି..୨୦୧୯ ଓ ୨୦୨୨ରେ ବିଜେପି। କିଏ ଜିତିବ ୨୦୨୪ ବାଜି? ଭଦ୍ରକ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ଓ ସମ୍ବେଦନଶୀଳ ବିଧାନସଭା ଆସନ ଧାମନଗର। ପାଖାପାଖି ୨ ବର୍ଷ ପରେ ପୁଣି ନିର୍ବାଚନ ଦେଖୁଛି ଏହି ନିର୍ବାଚନ ମଣ୍ଡଳୀ। ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।

ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ। ଦଳରେ ବି ବେଶ୍ ଡିମାଣ୍ଡ। ବାପାଙ୍କ ଲିଗାସୀ ଓ ସଂଗଠନକୁ ଆହୁରି ସୁଦୃଢ କରି ପୁଣି ଧାମନଗର ଜିତିବାକୁ ଚଳାଇଛନ୍ତି ପ୍ରୟାସ।

ଏଥର ସୂରଜଙ୍କ ସାଙ୍ଗରେ ଅଛି ଗତଥରର ବିରୋଧୀ ରାଜେନ୍ଦ୍ର ଦାସଙ୍କ ସାଥ୍। ସେପଟେ ବିଜେଡିର ନୂଆ କ୍ୟାଣ୍ଡିଡେଟ୍, ଡାକ୍ତର ସଂଜୟ ଦାସ। ଲୋକପ୍ରିୟ ଚେହେରା। ଭୁବନେଶ୍ୱର ଓ କଟକ ଏସସିବି ସାଙ୍ଗକୁ ଅନେକ ସ୍ଥାନରେ ସେବା ଯୋଗାଇଥିବା ସଂଜୟଙ୍କୁ ଦଳ କିଛି ଦିନ ତଳେ ଆମ ଓଡିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ କରିଥିଲା। ଏପରିକି ଉପନିର୍ବାଚନରେ ବି ତାଙ୍କ ନାଁ ଚର୍ଚ୍ଚା ହେଉଥିଲା। ଏବେ ଟିକେଟ୍ ମିଳିବା ପରେ ଧାମନଗରରେ ସକ୍ରିୟ ହୋଇଯାଇଛନ୍ତି ସଂଜୟ। ତେବେ ଏହି ନିର୍ବାଚନ ଯୁଦ୍ଧରେ ପଛରେ ପଡିଯାଇଛି କଂଗ୍ରେସ। ଦଳ କାହାକୁ ପ୍ରାର୍ଥୀ କରିବ ଏଯାଏଁ ସ୍ଥିର କରିପାରିନି।

ଧାମନଗର ଥିଲା କଂଗ୍ରେସର ଗଡ଼। ଦଳ ଏଠି ୬ରୁ ଅଧିକ ଥର ଜିତିଛି। ତେବେ ୨୦୦୦ ପରଠୁ କମିଛି କଂଗ୍ରେସର ପତିଆରା। ଧାମନଗରରେ ଧଶେଇ ପଶିଥିଲା ବିଜେଡି। ୨୦୦୯ରେ ରାଜେନ୍ଦ୍ର ଦାସ ଓ ୨୦୧୪ରେ ଏଠୁ ବିଧାୟକ ଥିଲେ ମୁକ୍ତିକାନ୍ତ ମଣ୍ଡଳ। ତେବେ ୨୦୧୯ରେ ବିଜେଡି ଏଠି ମୁକ୍ତିକାନ୍ତଙ୍କୁ ହଟାଇ ପୁଣି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିପକ୍ଷରେ ଥିଲେ ବିଜେପିର ଭେଟେରାନ୍ ବିଷ୍ଣୁ ସେଠୀ। କଡା ଫାଇଟ୍ ଭିତରେ ୪ ହଜାର ୬୨୫ ଭୋଟରେ ରାଜୁ ଦାସଙ୍କୁ ମାତ୍ ଦେଇଥିଲେ ବିଷ୍ଣୁ।

ତେବେ ୨୦୨୨ରେ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ହୋଇଥିଲା ଉପନିର୍ବାଚନ। ପ୍ରାର୍ଥୀ ହୋଇଥିଲେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ। ଉପନିର୍ବାଚନରେ ବିଜେଡି ପୁଣି ପ୍ରାର୍ଥୀ ବଦଳାଇବା ସହ ଖେଳିଥିଲା ମହିଳା କାର୍ଡ। ଅବନ୍ତୀ ଦାସଙ୍କୁ ଟିକେଟ୍ ଦେଇଥିଲା ଦଳ। କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ଟିକେଟ୍ ନପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୮୦ ହଜାର ୩୫୧, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩ ହଜାର ୫୩୩ ଭୋଟ୍ ପାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଥିଲେ ୮ ହଜାର ୧୫୩ ଖଣ୍ଡ ଭୋଟ୍। ୯ ହଜାର ୮୮୧ ଭୋଟରେ ବିଜୟୀ ହୋଇଥିଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ।

ଧାମନଗର ନିର୍ବାଚନମଣ୍ଡଳୀରେ ରହିଛି ତିହିଡି ବ୍ଲକର ୧୩ ଏବଂ ଧାମନଗର ବ୍ଲକର ୩୧ଟି ପଂଚାୟତ ଓ ୧୧ ଟି ୱାର୍ଡ ବିଶିଷ୍ଟ ଗୋଟିଏ NAC। ଧାମନଗର ଓ ତିହିଡି ବ୍ଲକ୍ ସମେତ ଏନଏସିକୁ ନିଜ ଦଖଲରେ ରଖିଛି ବିଜେଡି।

  • Reported by:
  • Partha Sarathi nayak