• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ । ରେସରେ ଆଗରେ କିଏ । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ । କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ହିଁ ଓଡିଶା ଆସି ବିଧାୟକ ଦଳ ବୈଠକରେ ଫାଇନାଲ୍ ହେବ ନାଁ ।

ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପୂର୍ବରୁ ଇସ୍ତଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥଇଥାନ ହୋଇଥିବା ଅଧିକାରୀ । ବିଜେପି ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ କିଏ ? କାହା ଉପରେ ଭରସା କରିବ କେନ୍ଦ୍ର ବିଜେପି ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର? ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କିନ୍ତୁ ସସ୍‌ପେନ୍ସ ।

ଯୁବ ହେବେ ନା ଅଭିଜ୍ଞ ? ରାଜ୍ୟରେ ଅଭିଜ୍ଞ ତଥା ଟାଣୁଣା ବିରୋଧୀ ଥିବା ବେଳେ ସେମାନଙ୍କୁ କାଉଣ୍ଟର କରିବା ସହ ଉଭୟ ଦଳ ଏବଂ ସରକାରକୁ ଚଲାଇଲା ଭଳି ପ୍ରଶାସନରେ ଦକ୍ଷତା ଥିବା ନେତାଙ୍କ ଉପରେ ଦଳ ଭରସା କରିପାରେ । ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ମେଣ୍ଟ ଚର୍ଚ୍ଚାରୁ ଦଳକୁ ବାହାର କରି ଏକାକୀ ଲଢି ବିପୁଳ ବିଜୟ ପଛରେ ମନମୋହନଙ୍କର ରହିଛି ବଡ ଶ୍ରେୟ । ତେଣୁ ତାଙ୍କ ନାଁ ଉପରେ ବିଚାର ଚାଲିଥିବା କୁହାଯାଉଛି । ୪୦ ବର୍ଷର ରାଜନୈତିକ କ୍ୟାରିୟରରେ, ମେଣ୍ଟ ସରକାରରେ ମନ୍ତ୍ରୀ ହୋଇ ମନମୋହନଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ପ୍ରଶାସନିକ ଅଭିଜ୍ଞତା ବି ରହିଛି ।

ତାଙ୍କ ସହ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ବି ଚର୍ଚ୍ଚାରେ । ଉଭୟ ନେତା ଦକ୍ଷ ଏବଂ ଅଭିଜ୍ଞ । ସେହିପରି ନୂଆ ଚେହେରା ଭିତରେ ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂଦେଓ, ସୁରେଶ ପୂଜାରୀଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ଅନ୍ୟପଟେ ଯଦି ବିଜେପି ଶାସିତ ଅନ୍ୟ ରାଜ୍ୟ ଢାଞ୍ଚାରେ ଯଦି ସରକାର ଗଢାଯାଏ, ତାହେଲେ ଉପମୁଖ୍ୟମନ୍ତ୍ରୀ ପାଇଁ ମୋହନ ମାଝୀଙ୍କ ନାଁ ବି ଆଲୋଚନା ହେଉଛି ।

ଅନ୍ୟପଟେ ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବାର ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ । ପର୍ଯ୍ୟବେକ୍ଷକ ଓଡିଶା ଆସି ବିଧାୟକ ଦଳ ବୈଠକରେ ଯୋଗ ଦେଇ ବିଧାୟକ ଦଳ ନେତା ବାଛିବେ ।

ଏପଟେ ଆସନ୍ତା ୧୦ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛି ଜନତା ମୈଦାନ । ଶପଥ ଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ, ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ, SPG ସହ ପୋଲିସ ଓ ପ୍ରଶାସନର ଅଧିକାରୀ ପହଞ୍ଚି ପୂରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଏପଟେ ନୂଆ ସରକାର ଗଠନ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ କାର୍ଯ୍ୟାଳୟ ଏବଂ ସରକାରରେ ନିଯୁକ୍ତ ତଥା ଥଇଥାନ ଅଧିକାରୀଙ୍କ ଇସ୍ତଫା ପର୍ବ ବି ଆରମ୍ଭ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଥିବା ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ଏବଂ ଆର୍. ବାଲକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି । ସେହିପରି IRTS ଚାକିରି ଛାଡ଼ି ନବୀନ ସରକାରରେ ଆଇଟି ସଚିବ ଥିବା ମନୋଜ ମିଶ୍ର ମଧ୍ୟ ଇସ୍ତଫା ଦେଇଛନ୍ତି ।

  • Reported by:
  • SIBANANDA ROUT , SOUMYA RANJAN SAHOO , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now