Advertisment

ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

ADR Report

ବିଧାୟକ ଜିତିଗଲେ ଲାଗୁଛି ଲଟେରୀ, ବନୁଛନ୍ତି ମାଲାମାଲ। ୫ ବର୍ଷରେ କିଏ କିଏ ଲକ୍ଷପତିରୁ କୋଟିପତି ବନୁଛନ୍ତି ତ ୧୦ ଗୁଣାରୁ ୨୩ ଗୁଣା ଯାଏଁ ବଢ଼ିଯାଉଛି କାହା କାହା ସଂପତ୍ତି। ୨୦୧୯ରେ ବିଧାୟକ ଜିତିବା ପରେ ୨୦୨୪ରେ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୦୩ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣରୁ ଏମିତି ତଥ୍ୟ ପାଇଛି ଏଡିଆର୍ ଓ ଓଡ଼ିଶା ଇଲେକ୍ସନ ୱାଚ୍।

Advertisment

ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକଙ୍କ ସମ୍ପତ୍ତି ମୂଲ୍ୟ ୨୦୧୯ରେ ୧୩ ଲକ୍ଷ ୩୦ ହଜାର ଟଙ୍କା ତୁଳନାରେ ୮ ଗୁଣାରୁ ଅଧିକ ବଢ଼ି ୧ କୋଟି ୨୧ ଲକ୍ଷ ଟଙ୍କା ହୋଇଛି।

ସେହିପରି ଖଲିକୋଟ ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ସମ୍ପତ୍ତି ୪୯୬ ପ୍ରତିଶତ ବଢ଼ିଥିବା ବେଳେ ମୋହନା କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କ ସମ୍ପତ୍ତି ୩୮୬ ପ୍ରତିଶତ, ଘଷିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତି ୩୦୬ ପ୍ରତିଶତ ବଢ଼ିଯାଇଛି।

Advertisment

ଖାଲି ସେତିକି ନୁହେଁ, ଚଳିତ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୪୧୨ ଜଣ ପ୍ରାର୍ଥୀ କୋଟିପତି। ୩୧୩ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ସହ ରାଉରାକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ ହୋଇଥିଲା ବେଳେ ୨୨୭ କୋଟି ୬୭ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ସହ ଚମ୍ପୁଆ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଦ୍ୱିତୀୟ ଓ ୧୩୫ କୋଟି ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ସହ ବସ୍ତା ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ଜେନା ହେଉଛନ୍ତି ତୃତୀୟ ଧନୀ। ଅପରପକ୍ଷେ ରାଜ୍ୟରେ ୫ ଜଣ ବିଧାୟକ ପ୍ରାର୍ଥୀ- ରମେଶ କୁମାର ମହାନନ୍ଦ, ପୂର୍ଣ୍ଣଚନ୍ଦ୍ର ମାଝୀ, ସୋହନ ସିପକା, ସଞ୍ଜୟ କୁମାର ଦାସ, ଗୋପାଳ କୃଷ୍ଣ ମହାନ୍ତିଙ୍କ ପାଖରେ ଫୁଟି କଉଡ଼ିଟିଏ ବି ନ ଥିବା ନିର୍ବାଚନୀ ସତ୍ୟପାଠରେ ଦର୍ଶାଯାଇଛି।

ରିପୋର୍ଟ କହୁଛି, ଚଳିତ ଥର ୨୭ ପ୍ରତିଶତ ଅର୍ଥାତ୍ ୩୪୮ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା। ୨୯୨ ଜଣ ଅର୍ଥାତ୍ ୨୩ ପ୍ରତିଶତଙ୍କ ନାମରେ ଗୁରୁତର ଅପରାଧ ମାମଲା ଥିବା ବେଳେ ୬୬ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି। ୪ ଜଣଙ୍କ ନାମରେ ଧର୍ଷଣ ଭଳି ସଙ୍ଗୀନ ଅଭିଯୋଗ ଥିବା ୧୦ ଜଣଙ୍କ ନାମରେ ହତ୍ୟା, ୭୦ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି।

ଅନ୍ୟପକ୍ଷରେ ଚଳିତ ଥର ୧୪୮ ପ୍ରାର୍ଥୀ ଦଶମ ଡେଇଁ ନାହାନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବିଧାୟକ ପ୍ରାର୍ଥୀ ଆଦୌ ସ୍କୁଲ ହତା ମାଡ଼ି ନ ଥିବା ବେଳେ ୧୨ ଜଣ ଅତିବେଶିରେ ଚତୁର୍ଥ ଶ୍ରେଣୀ ଯାଏଁ, ୪୮ ଜଣ ପଞ୍ଚମ ପାସ, ୧୦୪ ଜଣ ଅଷ୍ଟମ ପାସ କରିଛନ୍ତି। ତେବେ ୨୭୨ ଜଣ ପ୍ରାର୍ଥୀ ସ୍ନାତକ ପାସ କରିଥିବା ବେଳେ ୧୮ ଜଣ ଡକ୍ଟରେଟ୍ କରିଛନ୍ତି।

ଚଳିତ ବିଧାନସଭା ନିର୍ବାଚନୀ ମୈଦାନରେ ଥିବା ପ୍ରାର୍ଥୀଙ୍କ ଭିତରୁ ୪ ଜଣଙ୍କର ବୟସ ୮୦ ବର୍ଷରୁ ଅଧିକ ଥିବା ଜଣାପଡ଼ିଛି। ସେମନଙ୍କ ଭିତରୁ ସବୁଠୁ ବୟସ୍କ ହେଉଛନ୍ତି ୮୩ ବର୍ଷୀୟ ପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ହୃଷିକେଶ ନାୟକ। ଭଣ୍ଡାରୀପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ବୟସ ୮୧ ବର୍ଷ ହୋଇଥିବା ବେଳେ ୮୦ ବର୍ଷ ବୟସରେ ନିର୍ବାଚନ ଲଢୁଛନ୍ତି ବିଜେଡି ବ୍ରହ୍ମପୁର ପ୍ରାର୍ଥୀ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଓ ଘଷିପୁରା ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର।

Odisha Politics ADR Report General Election 2024
Advertisment
Advertisment