/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717861952.jpg)
Manmohan Samal
ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ଜନତା ମୈଦାନରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ପ୍ରତିଫଳନ। ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ବିଜେପିର ସଂସଦୀୟ କମିଟି ନିଷ୍ପତ୍ତି ନେବ। ଏଯାଏଁ ସେନେଇ ନିଷ୍ପତ୍ତି ହୋଇନି। ଆଉ ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ ବୋଲି କହିଛନ୍ତି ମନମୋହନ ସାମଲ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଦଳର ଶୀର୍ଷ ନେତୃବୃନ୍ଦ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ମୁଁ ଆଦୌ ରେସରେ ନାହିଁ ବୋଲି କହିଛନ୍ତି ମନମୋହନ। ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ମନ୍ତ୍ରୀ ହେବାର ଆଧାର ରହିଛି- ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବ, ପ୍ରଶାସନିକ ଦକ୍ଷତା ଓ ଲୋକସଂପର୍କ। ତେବେ କେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି?
ଅଭିଜ୍ଞତା ସଂପନ୍ନ ବିଧାୟକ ଭାବେ ହେଭିୱେଟ୍ ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ ଓ ସୂରମା ପାଢ଼ୀ ଥିବା ବେଳେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁଗୁଡ଼ିକ ହେଉଛି- ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂହ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡ଼ା।
ଆସନ୍ତା ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ସେପଟେ ନୂଆ ବିଜେପି ସରକାରର ଶପଥଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର। ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି ପୋଲିସ। ଏସପିଜି ଟିମ୍, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ପହଞ୍ଚି ସମାରୋହ ସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଏହି ସମାରୋହରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ଅତିଥିଙ୍କ ଆଗମନ ହେବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)