Advertisment

ଦଳ ଏତେ ସରି ଭୋଗିଲା, ତଥାପି ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

author-image
Manoranjan Behera
undefined

Naveen Patnaik & VK Pandian

ବିଜେଡି ବିପର୍ଯ୍ୟୟର ୪ ଦିନ ପରେ ମୁହଁ ଖୋଲିଲେ। ପରାଜୟ ସଂପର୍କରେ କମ୍, ପାଣ୍ଡିଆନ୍‌ଙ୍କ ପାଇଁ ବେଶି ବ୍ୟାଟିଂ କଲେ ଦଳପତି ନବୀନ ପଟ୍ଟନାୟକ। ଶୋଚନୀୟ ପରାଜୟକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ପାଣ୍ଡିଆନ୍‌ଙ୍କୁ ଦାୟୀ କରି ବର୍ଷୁଥିଲା ବେଳେ, ନବୀନଙ୍କ ମୁହଁରେ ପାଣ୍ଡିଆନ୍‌ଙ୍କ ପ୍ରଶଂସାର କାରଣ-ଚାପ ନା ଅସହାୟତା ତାକୁ ନେଇ ଉଠିଛି ପ୍ରଶ୍ନ। ଘେରିଛି ବିଜେପି।

Advertisment

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ପରାଜୟ ସମ୍ପର୍କରେ କମ୍, ପାଣ୍ଡିଆନ୍‌ଙ୍କ ଗୁଣଗାନରେ ଅଧିକ ଶବ୍ଦ ବିନିମୟ କରି ନବୀନ କହିଛନ୍ତି, ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ସେ ଅଫିସର ଭାବେ ବହୁତ୍ ବଢ଼ିଆ କାମ କରି ଦଳରେ ମିଶିବା ପରେ ଦଳ ପାଇଁ ବି ବହୁତ ଭଲ କାମ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ମନ୍ଦିର ରୂପାନ୍ତରୀକରଣ ଭଳି ସବୁ କ୍ଷେତ୍ରରେ ତାଙ୍କ ଅବଦାନ ରହିଛି।

ଏମିତିକି ଦଳରେ କୌଣସି ପଦପଦବୀରେ ନଥାଇ, ନିର୍ବାଚନ ନ ଲଢ଼ି ସେ ଦଳ ପାଇଁ ଯାହା କରିଛନ୍ତି, ତାଙ୍କ ନିଷ୍ଠା ଓ ସଚ୍ଚୋଟତା ପାଇଁ ସେ ମନେ ରହିବେ ବୋଲି କହିବା ସହ ପାଣ୍ଡିଆନଙ୍କୁ ଯେମିତି ଏକ ପ୍ରକାର ମସିହା ସଜାଇବାକୁ ବି ପଛାଇ ନାହାନ୍ତି ନବୀନ।

Advertisment

ଏସବୁ ଭିତରେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହଁନ୍ତି, ମୋ ଉତ୍ତରାଧିକାରୀ ଲୋକେ ବାଛିବେ ବୋଲି ବି ନବୀନ କହିଛନ୍ତି। ହେଲେ ପାଞ୍ଚ ପାଞ୍ଚ ଥରର ନିରଙ୍କୁଶ ଶାସନ ସତ୍ତ୍ୱେ ଷଷ୍ଠପାଳିରେ ବିଧାନଭାରେ ଦଳର ସଂଖ୍ୟା ୧୧୩ରୁ ଏକାଥରେ ୫୧କୁ ଖସିଆସିବା, ଖୋଦ୍ ନବୀନ ବି କଣ୍ଟାବାଞ୍ଜି ସିଟ୍ ହାରିଯିବା, ଏପରିକି ହିଂଜିଳିରେ ମାତ୍ର ୪ ହଜାର ଭୋଟ୍ ବ୍ୟବଧାନରେ ଜିତିବା ଭଳି, ଦଳର ଶୋଚନୀୟ ଦୟନୀୟ ପ୍ରଦର୍ଶନ ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ଯେତେବେଳେ ସିଧାସଳଖ ପାଣ୍ଡିଆନ୍‌ଙ୍କୁ ଦାୟୀ କରି ବର୍ଷୁଛନ୍ତି, ଖୋଦ୍ ଶଙ୍ଖଭବନରେ ପାଣ୍ଡିଆନ୍‌ଙ୍କ ବିରୋଧରେ ନାରାବାଜି ଚାଲୁଛି, ସେତେବେଳେ ନବୀନଙ୍କ ଏ ପାଣ୍ଡିଆନ୍ ଚାଳିଶାର କାରଣ କଣ ?

ସାରା ନିର୍ବାଚନରେ ପାଣ୍ଡିଆନ୍ ଓ ଅସ୍ମିତାକୁ ବଡ଼ ମୁଦ୍ଦା କରିଥିବା ବିଜେପି ହାତରୁ ଏତେବଡ଼ ପରାଭବ ପରେ ବି କଣ ପାଇଁ ପାଣ୍ଡିଆନ୍ ପ୍ରେମ ? ଚାପ ନା ଅସହାୟତା ? ବିଶେଷ କରି ନବୀନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ସନ୍ନ୍ୟାସ ନେଇଯିବ ବୋଲି ଭୋଟ୍ ପୂର୍ବରୁ ବାହାସ୍ପୋଟ ମାରିଥିବା ପାଣ୍ଡିଆନ୍ ଏପର୍ଯ୍ୟନ୍ତ ମିଡିଆ ସାମ୍ନାକୁ ଆସିବାର ସାହସ କୁଳେଇ ନପାରିବା, ବିଜେଡିର ପରାଜୟ ପରଠୁ ଦିଲ୍ଲୀ ପଳେଇ ଯାଇ ଗତକାଲି ପୁଣି ନବୀନ ନିବାସ ଫେରିବା ପରେ ଦଳପତି ନବୀନଙ୍କ ଏ ବୟାନ୍ ବଡ଼ ପ୍ରଶ୍ନବାଚୀ ଠିଆ କରିଛି। ବିଜେପି କହିଛି, ନବୀନଙ୍କ ଏ ବୟାନରୁ ଦଳରେ ଯେ ସବୁକିଛି ବିଲୁକୁଲ୍ ଠିକ୍‌ଠାକ୍ ନାହିଁ,ତାହା ସ୍ପଷ୍ଟ ହୋଇଥିଲା ବେଳେ ଆଗକୁ ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ।

ଅପରପକ୍ଷେ ପରାଜୟ ପାଇଁ ନିଜ ମୁଣ୍ଡକୁ ଏକ ପ୍ରକାର ଦୋଷ ନେବା ସହ ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା, ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି ନବୀନ। ତେବେ ବିପର୍ଯ୍ୟୟକୁ ନେଇ ଦଳ ଭିତରେ ଫାଟ ବଢ଼ୁଥିଲା ବେଳେ ପାଣ୍ଡିଆନ୍‌ଙ୍କ ସପକ୍ଷରେ ନବୀନଙ୍କ ଏ ବ୍ୟାଟିଂ, ପାଣ୍ଡିଆନ୍ ବିରୋଧୀ ନିଆଁରେ ଘିଅ ଢାଳିଥିବା କୁହାଯାଉଛି।

ବିଜେଡି ବିପର୍ଯ୍ୟୟର ୪ ଦିନ ପରେ ମୁହଁ ଖୋଲିଲେ ଦଳପତି
ପରାଜୟ ସଂପର୍କରେ କମ୍, ପାଣ୍ଡିଆନ୍ଙ୍କ ସପକ୍ଷରେ ବେଶି ବ୍ୟାଟିଂ
ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ: ନବୀନ
ନବୀନଙ୍କ ଉପରେ ଚାପ ନା ଅସହାୟତା ଉଠିଲା ପ୍ରଶ୍ନ

Naveen Patnaik BJD Odisha Politics VK Pandian General Election 2024
Advertisment
Advertisment