ଆଜି ବିଜେପିରେ ଯୋଗ ଦେଇପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏନେଇ ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ମିଳିଛି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ମହତାବ ପଦ୍ମ ଧରିପାରନ୍ତି। ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା।
ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି।
Also Read
ସେହିପରି ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା। ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିପାରନ୍ତି।
ସେହିପରି ମୟୂରଭଂଜ ଜିଲ୍ଲାର ଆଦିବାସୀ ଚେହେରା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ପଦ୍ମ ଧରିପାରନ୍ତି। ସେପଟେ ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସାଢ଼େ ୨ଟାରେ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ହେବ।