• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ। ବର୍ତ୍ତମାନ ଖଡିଆଳ ବିଧାୟକ ଅଛନ୍ତି ଅଧିରାଜ। ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ନିଜେ କହିଛନ୍ତି। ତେବେ ଇସ୍ତଫା ପରେ ସେ କେଉଁ ଦଳର ହାତ ଧରିବେ, ସେନେଇ ସେ ସ୍ପଷ୍ଟ କରିନଥିଲେ ବି ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଛି।

ଦଳ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି। ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି। ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି। କଂଗ୍ରେସରେ କୌଣସି ନେତାଙ୍କ ସହ ମତାନ୍ତର ନାହିଁ।

ସେପଟେ ଅଧିରାଜ ଦଳ ଛାଡ଼ିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଖଡ଼ିଆଳରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ଯାଆନ୍ତି। ସ୍ୱାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥାନ୍ତି।

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। 

ମମିତା ମେହେର ଘଟଣା ହେଉ ଅବା ଦରବୃଦ୍ଧି ବା ଅନ୍ୟ କିଛି, ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ। ହେଲେ ବେଶ୍ କିଛି ଦିନ ହେବ ସେ ଚୁପ୍ ହୋଇଯାଇଥିଲେ। ତେଣୁ ଅଧିରାଜ ମନ ପରିବର୍ତ୍ତନ କରିଥିବା ଓ  ଦଳ ବଦଳାଇବାକୁ ଚିନ୍ତା କରୁଥିବା ଆଲୋଚନା ହେଉଥିଲା। ତେବେ ସେ ଏନେଇ କିଛି କହୁ ନଥିଲେ। ଆଉ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।