• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ୍ ଗଡ଼ । ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ୍ ମୋଟ ୧୬ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ ହାର ଥିଲା ୨୫.୭୪ ପ୍ରତିଶତ । କିନ୍ତୁ ୧୯ ନିର୍ବାଚନରେ କଂଗ୍ରେସ ଦୁର୍ଗ ଭୁଶୁଡି ୧ ଅଙ୍କରେ ପହଁଚିଥିଲା ସିଟ୍ ସଂଖ୍ୟା । ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା । ଆଉ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସର ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଏଇ ଭିତରେ ଦଳର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ହାତ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ନିକଟରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡି ବିଜେଡିରୁ ଟିକେଟ ନେଇ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟାମାନଙ୍କ ଭିତରେ ସୁରେନ୍ଦ୍ର ସିଂଭୋଇ, ନିହାର ମହାନନ୍ଦ, ଚିରଞ୍ଜୀବ ବିଶ୍ୱାଳ, କେ. ସୂରିୟା ରାଓଙ୍କ ଭଳି ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି ।

ସେପଟେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କଂଗ୍ରେସ୍ ଛାଡିବା ନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଜଣକ ପରେ ନେତା କଂଗ୍ରେସରୁ ମୁହଁ ଫେରାଉଛନ୍ତି, ଅନ୍ୟପଟେ ପ୍ରାର୍ଥୀ ଘୋଷଣାରେ ବି ଦଳ ଅନ୍ୟମାନଙ୍କ ତୁଳନାରେ ପଛରେ ପଡ଼ିଛି । ବିଜେଡି ୧୦୮ ବିଧାନସଭା ସିଟ୍ ଏବଂ ବିଜେପି ୧୧୨ ସିଟ୍ ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା କରିଥିବା ବେଳେ କଂଗ୍ରେସ ମାତ୍ର ୪୭ଟି ସିଟରେ ପ୍ରାର୍ଥୀ ଘୋଷଣାକରି ଚୁପ୍ ବସିଛି । ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି କଂଗ୍ରେସରେ ମଧ୍ୟ ପ୍ରତିଦିନ ବହୁ ନେତା ମିଶୁଛନ୍ତି । ଯିଏ ଗଲେବି କଂଗ୍ରେସ ଦୁର୍ବଳ ହେବନି ।

ଏପଟେ କିନ୍ତୁ ବିଜେପି ଓ ବିଜେଡିର ଭୋଟ୍ ପ୍ରତିଶତ ବଢିବାରେ ଲାଗିଛି । ୨୦୧୪ରେ ବିଜେଡି ୪୩.୪୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୧୯ର ଏହା ୪୪.୭୧ ପ୍ରତିଶତକୁ ବଢ଼ିଥିଲା । ଅନ୍ୟପକ୍ଷରେ ବିଜେପିର ଭୋଟ୍ ପ୍ରତିଶତ କିନ୍ତୁ ୨୦୧୪ରେ ୧୮.୦୨ ପ୍ରତିଶତ ତୁଳନାରେ ୨୦୧୯ରେ ୩୨.୪୯ ପ୍ରତିଶତରେ ପହଞ୍ଚିଥିଲା । ୧୯ ନିର୍ବାଚନରେ ଯେଉଁଠି କଂଗ୍ରେସ୍ ୮.୭୨ ପ୍ରତିଶତ ଭୋଟ୍ ହରାଇଥିଲା, ସେଠି ବିଜେପି ୧୪. ୪୭ ପ୍ରତିଶତ ଭୋଟ୍ ଅଧିକ ପାଇଥିଲା । ଏବେ ଦେଖିବାର କଥା, ୨୪ ନିର୍ବାଚନରେ କଂଗ୍ରେସ୍ ଦୁର୍ବଳ ହେବାର ଫାଇଦା କେଉଁ ଦଳକୁ ଅଧିକ ମିଳୁଛି।

  • Reported by:
  • RASHMIRANJAN DAS