Advertisment

ଗୋଳମାଳ ଗଞ୍ଜାମ ରାଜନୀତି; BJD ହାତରୁ ଖସିଯିବ କି ଗଡ଼ ?

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।

author-image
Manoranjan Behera
undefined

Ganjam Politics

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ଜଣଙ୍କ ପରେ ଜଣେ ଗଞ୍ଜାମ ନେତା। ବିଜେଡି ବିଦ୍ରୋହୀ ବିପିନ ପ୍ରଧାନଙ୍କ ପରେ ଟିକଟ୍ ଆଶାୟୀ ଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଗତକାଲି ପଦ୍ମ ଧରିଛନ୍ତି। ଏବେ ବି ଆହୁରି ଅନେକ ବିଦ୍ରୋହୀ ଏବଂ ଆଶାୟୀ ନେତା ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ପୁଣି ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ କ'ଣ ହେବ ଗଞ୍ଜାମ ସମୀକରଣ?

Advertisment

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ। ଉଭୟ ନେତା ଏବେ ପଦ୍ମ ଶିବିରରେ। ଦିଗପହଣ୍ଡିରେ ବିଦ୍ରୋହୀ ସାଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିକୁ ମାତ୍ ଦେଇଥିଲେ ବିପିନ ପ୍ରଧାନ। ଆଉ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରେ ସେ ପଦ୍ମ କ୍ୟାମ୍ପକୁ ଡିଆଁ ମାରିଥିଲେ।

ସେହିପରି ଖଲ୍ଲିକୋଟରୁ ଦୁଇ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଦଳରେ କୋଣଠେସା ଅଭିଯୋଗ ଆଣି ଗତକାଲି ବିଜେଡି ଛାଡ଼ିବା ସହ ବିଜେପିରେ ସାମିଲ ହୋଇଛନ୍ତି। ବିପିନ ଆଉ ପୂର୍ଣ୍ଣଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ। ଚର୍ଚ୍ଚା ହେଉଛି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏଥର ଗୋପାଳପୁରରୁ ପ୍ରାର୍ଥୀ ହୋଇପାରନ୍ତି।

Advertisment

ଏପଟେ ବ୍ରହ୍ମପୁରରୁ ଆଶାୟୀ ଅଛନ୍ତି ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ। ସେହିପରି ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଆଉ ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ଆସୁଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ।

ସେପଟେ ଆସ୍କାରେ ବି ବିଧାୟିକା ମଞ୍ଜୁଳା ସ୍ୱାଇଁ ପୁଣି ଥରେ ଟିକେଟ୍ ଆଶାୟୀ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ନାରାୟଣ ସ୍ୱାଇଁ ବି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ କବିସୂର୍ଯ୍ୟନଗର ବିଜେଡି ନେତା ହର ସାହୁ ବି ଟିକେଟ ଲବିରେ। ପୋଲସରାରେ ବିବାଦୀୟ ବିଧାୟକ ଶ୍ରୀକାନ୍ତ ସାହୁ ଟିକେଟ ଦାବି କରୁଥିବା ବେଳେ ଆରତୀ ଦେବୀ ଓ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ବି ଟିକଟ୍ ଆଶା ରଖିଛନ୍ତି। ଏମିତି ସ୍ଥିତିରେ ଯାହାର ଟିକେଟ କଟିବ ସେମାନେ ବିଦ୍ରୋହୀ ହେବା ଏକ ପ୍ରକାର ଥୟ। ପ୍ରଦୀପ ପାଣିଗ୍ରାହୀ ବି ଦାବି କରୁଛନ୍ତି ଅନେକ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏପଟେ କିନ୍ତୁ ବିଜେଡି କହୁଛି କିଛି ଟେନସନ ନାହଁ।

ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ୪ ଆସନ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି। ମୋହନା କଂଗ୍ରେସ ପାଖରେ ଥିବା ବେଳେ ପାରଳାଖେମୁଣ୍ଡିରେ ଜିତିଥିଲା ବିଜେପି। ଆଉ ପ୍ରଦୀପ ବିଜେପିରେ ଯୋଗ ଦେବା ପରେ ଗୋପାଳପୁର ଆସନ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ପ୍ରଦୀପ ଯଦିଓ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ପୁରା ଜିଲ୍ଲାରେ ରହିଛି ଦବଦବା। ତେଣୁ ଗଞ୍ଜାମ ଗଡ଼ ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠୁ ବଡ଼ ଟେନସନ।

BJD Pradeep Panigrahi General Elections 2024
Advertisment
Advertisment