Advertisment

କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ?

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Mining Mafia

ସତରେ କଣ ଖଣି ଲବିରେ କଟିଲା କୈଳାସ କୁଲେସିକାଙ୍କ ଟିକେଟ। ଗତକାଲି କୈଳାସଙ୍କ ଏମିତି ସାଂଘାତିକ ଅଭିଯୋଗ ପରଠୁ କୋରାପୁଟ ରାଜନୀତିରେ ହଟଚମଟ। କୁହାଯାଉଛି ଖାଲି ଲକ୍ଷ୍ମୀପୁର ନୁହେଁ, କୋରାପୁଟ ଲୋକସଭାର ପଟାଙ୍ଗୀ ଆଉ ରାୟଗଡ଼ାରେ ବି ସମାନ ସମୀକରଣ ଥିବା ଚର୍ଚ୍ଚା ହେଉଛି। ସେଠିକାର ୩ ଖଣି ମାଲିକାନାରେ ଥିବା ସଂସ୍ଥା ସହ ଶାସକ ଦଳର କିଛି ହେଭିୱେଟ ନେତାଙ୍କ ସହ ବି ଲିଙ୍କ ଥିବା ଅଭିଯୋଗ ହେଉଛି।

Advertisment

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ? ଗତକାଲି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ପୂରା ଜିଲ୍ଲାରେ ଚାଲିଛି ଏମିତି ଚର୍ଚ୍ଚା। କାହିଁକିନା କୈଳାସ ସିଧାସଳଖ ଏହି ଅଭିଯୋଗ ଆଣି ଦଳ ଛାଡ଼ିଥିଲେ। ଦଳ ତାଙ୍କୁ ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିବାକୁ କହିଥିଲା ହେଲେ ମାଇନ୍ସ ଲବି ଯୋଗୁଁ ପ୍ରଭୁ ଜାନି ପୁଣି ଟିକେଟ ପାଇଲେ।

କଂଗ୍ରେସରେ ଥିବା ବେଳେ ଲକ୍ଷ୍ମୀପୁରରେ ଥିବା କୋଡିଙ୍ଗାମାଳି ମାଇନ୍ସକୁ ଜୋରଦାର ବିରୋଧ କରିଥିଲେ କୈଳାସ କୁଲେସିକା। ଆଉ ତାଙ୍କୁ ମ୍ୟାନେଜ କରିବାକୁ ଟିକେଟ ଥୋପ ଦେଇ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା। ତେଣୁ ବିଧାୟକ ହେବା ପରେ କୁଲେସିକା ପୁଣି ମାଇନ୍ସ ପାଇଁ କଣ୍ଟା ହେବାର ଆଶଙ୍କା କରି ତାଙ୍କ ଟିକେଟ କଟାଯାଇଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏୟା ବି ହେଉଛି ଯେ ସଂପୃକ୍ତ ଖଣି ସଂସ୍ଥାର ଲିଙ୍କ୍ ତୃତୀୟ ମହଲା ସହ ଥିବା ବେଳେ ସ୍ଥାନୀୟ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ ଏବଂ ଦଳ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟାବସାୟିକ ସଂପର୍କ ବି ରହିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ବି ତେଜିଛି।

Advertisment

ଲକ୍ଷ୍ମୀପୁର କୋଡ଼ିଙ୍ଗା ମାଳି ମାଇନ୍ସ ସଂସ୍ଥା ହାତରେ ଆଉ ୨ ଖଣି ବି ରହିଛି। ପଟାଙ୍ଗୀର ମାଳି ମାଇନ୍ସ ଏବଂ ରାୟଗଡା କାଶୀପୁରର ସିଜିମାଳି ମାଇନ୍ସ। କୁହାଯାଉଛି, ଖାଲି ଲକ୍ଷ୍ମୀପୁର ନୁହେଁ କୋରାପୁଟ ଲୋକସଭା କ୍ଷେତ୍ରର ଦୁଇ ବିଧାନସଭା ଆସନ ପଟାଙ୍ଗୀ, ରାୟଗଡାରେ ସମାନ ଲବି କାମ କରିଛି। ପଟାଙ୍ଗୀରେ ଏବେ ବିଜେଡି ବିଧାୟକ ଅଛନ୍ତି ପୀତମ ପାଢୀ। ହେଲେ ସେଠି ବିଜେଡି ବିଧାୟକ ଥିବା ସତ୍ତ୍ୱେ ବି ମାଳି ପର୍ବତ ଖନନ ପାଇଁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ପୀତମଙ୍କ ଘର ଖଣି ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ସ୍ଥାନୀୟ ଅସନ୍ତୋଷକୁ ଏତେଟା ମ୍ୟାନେଜ୍ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ସେ। ସେଇଥିପାଇଁ ଦଳ ଏଠି ଏଥର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଟିକେଟ୍ ଦେଇଥିବା କୁହାଯାଉଛି।

ଅନ୍ୟପଟେ ରାୟଗଡ଼ା ବିଧାନସଭା ଆସନ କଥା ଦେଖିଲେ ଏଠି ଅନସୂୟା ମାଝୀଙ୍କୁ ଟିକେଟ ମିଳିବା ପରଠୁ ବିଜେଡିରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ବିଧାନସଭାରେ କାଶୀପୁର ଭୋଟ୍ ସବୁବେଳେ ନିର୍ଣ୍ଣାୟକ ହୋଇଥାଏ। ଆଉ କାଶୀପୁର ଅଞ୍ଚଳରେ ଥିବା ସିଜମାଳି ମାଇନ୍ସରେ ବି ସମାନ ସ୍ଥିତି। ଗ୍ରାମସଭାରେ ଗ୍ରାମବାସୀଙ୍କ ଜୋରଦାର ବିରୋଧ ଯୋଗୁଁ ଖଣି ଖନନ ଅଟକିଛି। ଏଠି ଏବେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଥିବା ବେଳେ ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରାହେଉଥିଲା, ହେଲେ ସମ୍ଭବ ହୋଇପାରିଲାନି। ତେଣୁ ସୁଧୀର ଦାସଙ୍କ ଗୋଷ୍ଠୀର ଅନସୂୟା ମାଝୀଙ୍କୁ ଦଳ ଟିକେଟ ଦେବାରୁ ତାଙ୍କୁ ବିରୋଧ କରୁଛନ୍ତି ଏନ୍. ଭାସ୍କର ରାଓଙ୍କ ଗୋଷ୍ଠୀ। ତା ସତ୍ତ୍ୱେ ବି ଦଳ ଏଠି ପୂରା ଚୁପ୍।

କୋରାପୁଟର ଏଇ ୩ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥିତ୍ୱକୁ ନେଇ ଶଙ୍ଖଦଳରେ ଅସନ୍ତୋଷ ତେଜିବାରେ ଲାଗିଛି। ତେଣୁ ମାଇନ୍ସ ଲବିରେ ଟିକେଟ ଦେଇ ଦଳ ଏଠି ଅକଳରେ ପଡିଥିବା ଚର୍ଚ୍ଚା ହେଉଛି। ହେଲେ ଖଣି ଲବି ଅଭିଯୋଗ ପ୍ରସଙ୍ଗରେ ଯୋଗାଯୋଗ ପାଇଁ ଉଦ୍ୟମ ସତ୍ତ୍ୱେ ସଂପୃକ୍ତ ଖଣି ସଂସ୍ଥାର ମାଲିକ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଈଶ୍ୱର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BJD Mining Mafia Odisha Politics General Elections 2024
Advertisment
Advertisment