• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପ ଭେଟି ଦେଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଥିଲେ।

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ। ସେ କହିଛନ୍ତି, ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ। ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା। ବଳକା ବିଜୁଳି ବିକି ଲାଭବାନ ହୋଇପାରିବେ ଉପଭୋକ୍ତା।

ମୋଦି ଆହୁରି କହିଛନ୍ତି, ଓଡ଼ିଶାର ସଂକଳ୍ପ କଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି। ଦେଶରେ ପୁଣି ଥରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଗଢ଼ିବାକୁ ଯାଉଛି। ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ। ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି। ଓଡ଼ିଶା ବିକଶିତ ଭାରତର ଗେଟ୍‌ ୱେ ହେଉ। ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି।

ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ମୋଦି। କହିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା କଂଗ୍ରେସ। ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ, ଚାଷୀଙ୍କୁ ଶସ୍ତାରେ କେମିତି ଦେବ। ଗରିବ ଲୋକ ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା। ଛାତ୍ର, କୃଷକ କିଛି ସହାୟତା ମାଗିଲେ, ଗ୍ୟାରେଣ୍ଟି ମଗାଯାଉଥିଲା। ୨୦୧୪ ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା। ଯିଏ ଗ୍ୟାରେଣ୍ଟି ମାଗିଲା, ତାର ଗ୍ୟାରେଣ୍ଟି ମୋଦି ନେଲା। ଜନଧନ ଖାତା ଖୋଲିଲୁ, ମୋଦି ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା। ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ। ଆଜି ବିଶ୍ୱାସ ଜନ୍ମିଛି, ମୋଦି ଗରିବଙ୍କ ସାଥିରେ ଅଛି। ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି। ପିଏମ୍‌ ସ୍ବନିଧି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମିଳୁଛି। ପିଏମ୍‌ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି। ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ବାସ୍ତବତା ପାଲଟିଛି। ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦିର ଆରମ୍ଭ ହୁଏ। ଏହା ହିଁ ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ।

ଇଣ୍ତିଆ ମେଣ୍ଟକୁ ଟାର୍ଗେଟ କରି ମୋଦି କହିଛନ୍ତି, କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି। ଇଣ୍ଡି ମେଣ୍ଟ ଲୋକମାନେ ଏବେ ମୋଦିକୁ ସମାଲୋଚନା କରୁଛନ୍ତି। ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି। ଇଣ୍ଡି ମେଣ୍ଟର ବିଚାରଧାରା ପରିବାର ପ୍ରଥମ ହେଲେ ମୋଦିର ବିଚାରଧାରା ଦେଶ ପ୍ରଥମ। ସେମାନେ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ। ମୋଦି କୋଟି କୋଟି ପୁଅଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ। ଇଣ୍ଡି ମେଣ୍ଟର ଲକ୍ଷ୍ୟ ମୋଦିକୁ ହଟାଇବା। ମୋଦିର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା। ସେମାନେ ନିଜ ପରିବାର ପାଇଁ ବଡ଼ ବଡ଼ ମହଲ ବନାଉଛନ୍ତି। ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି। ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛି। ମୋଦିର ନାରା ମେରା ଭାରତ ମେରା ପରିବାର। ଏହି କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି। କାଲିଠାରୁ କୋଟି କୋଟି ଲୋକ ମୁଁ ମୋଦି ପରିବାରର କହୁଛନ୍ତି। ଓଡ଼ିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ଆଶା ରଖିଛି।

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି। ପାରଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡର ମନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ମୋଦି ଉଦଘାଟନ କରିଛନ୍ତି। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ MMTPA ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

ଜୟ ଜଗନ୍ନାଥ କହି ଚଣ୍ତିଖୋଲରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଯାଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ। ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି। ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା। ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ। ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ। ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ। ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ। 

ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦି। ଆପଣମାନଙ୍କ ଭଲପାଇବା ଦେଖି ମୁଁ ଅଭିଭୂତ ବୋଲି କହିଲେ ମୋଦି। ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି ବୋଲି କହିଛନ୍ତି। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରି କହିଛନ୍ତି, ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି। ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଖୁବ୍‌ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଓଡ଼ିଶାକୁ ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ କୃତଜ୍ଞତା ଜଣାଇଲେ। ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି।