ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।

Drinking Water Scheme

ବିଚ୍ ରାସ୍ତାରେ ଗରା, ବାଲଟିର ଲାଗିଛି ଧାଡି । ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ। ଏକମାତ୍ର ଜିଦ୍, ପାଣି ଦିଅ, ନହେଲେ ରାସ୍ତାରୁ ହଟିବୁନି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ରତ୍ନପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ବ୍ରହ୍ମପୁର ସହରରୁ ପ୍ରାୟ ୬ କିମି ଦୂର । ଏଠି, ପିଇବା ପାଣି ଟୋପେ ପାଇଁ ବର୍ଷସାରା ହନ୍ତସନ୍ତ ହେଉଛନ୍ତି ୩ ଶହରୁ ଅଧିକ ପରିବାର । ଗାଁରେ ଓଭରହେଡ ଟ୍ୟାଙ୍କ ରହିଛି, ହେଲେ ତାହା ଅଚଳ । ବସୁଧା ଯୋଜନାରେ ଘର ଆଗରେ ପାଇପ୍ କନେକ୍ସନ, ହେଲେ ସେଥିରେ ପାଣିର ନାଁ ଗନ୍ଧ ନାହଁ । ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି ବିଜେପି, ଉତ୍ତର ରଖୁନାହାନ୍ତି ମୁଖ୍ୟମନ୍ତ୍ରୀ

ଚାନ୍ଦବାଲିରେ ବି ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ସ୍ୱଚ୍ଛ ପିଇବା ପାଣି ପ୍ରକଳ୍ପ । ଭଦ୍ରକ ଚାନ୍ଦବାଲି ବ୍ଲକର ଜଗନ୍ନାଥପୁର। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ହୋଇଛି ସତ। ହେଲେ ତାହା କେତେ କାର୍ଯ୍ୟକ୍ଷମ ଚିତ୍ର ସମସ୍ତଙ୍କ ସାମ୍ନାରେ। ପ୍ରକଳ୍ପ ସରିବାର ୨ ବର୍ଷ ହେଲାଣି, ଏଯାଏଁ ଗୋଟିଏ ଘରକୁ ପିଇବା ପାଣି ପହଁଚି ପାରିନି । ବାଧ୍ୟ ହୋଇ ଲୋକେ କେନାଲର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି। ସେଥିରେ ରୋଷେଇ, ଲୁଗା ସଫା ଆଉ ଶୋଷ ବି ମେଣ୍ଟୁଛି ।

ରାଜ୍ୟରେ ପିଇବା ପାଣି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଦଳ କହିଛି, ଜଳ ଜୀବନ ମିଶନରେ କେନ୍ଦ୍ର, ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୮୩୪ କୋଟି ଟଙ୍କା ଖର୍ଚ୍ଚ କରି ପାରିଛନ୍ତି । ସେପଟେ ନିର୍ବାଚନ ବେଳରେ ପିଇବା ପାଣି ସମସ୍ୟାକୁ ପ୍ରସଙ୍ଗ କରି ଗତକାଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କହିଥିଲେ, ଓଡ଼ିଶାର ୨୬ ଲକ୍ଷ ଘରେ ଆଜିବି ପିଇବା ପାଣି ପହଁଚି ପାରିନି । ରାଜ୍ୟରେ ବିଜେପି ସରକାର ହେଲେ, ୨ ବର୍ଷ ଭିତରେ ସମସ୍ତଙ୍କୁ ଘର ଏବଂ ପିଇବା ପାଣି ମିଳିବ।

ଅଧିକ ପଢ଼ନ୍ତୁ: ନବୀନଙ୍କ ରୋଡ୍ ସୋ’ ଦେଖିବାକୁ ଆସୁନାହାନ୍ତି ଲୋକ

କହିବାକୁ ଗଲେ, ରାଜ୍ୟରେ ପିଇବା ପାଣିର ସମସ୍ୟା ଚିରଦିନର। ଖରାଦିନେ ତ ସ୍ଥିତି ସାଂଘାତିକ । ସରକାରଙ୍କ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବାରୁ ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି ।