/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713593100.jpg)
Chiranjib Biswal
‘ମୁଁ ଆଶା କରିଥିଲି ବିଜେଡିରୁ ଟିକେଟ୍ ପାଇବି ବୋଲି, ହେଲେ ବିଭିନ୍ନ କାରଣରୁ ପ୍ରଶାନ୍ତ ମୁଦୁଲିଙ୍କୁ ସେଠୁ ଟିକେଟ୍ ଦେଲେ । ଆଉ ଆପଣ ଯଦି ଭାବୁଛନ୍ତି ପ୍ରଶାନ୍ତ ବାବୁ ଏମ୍ଏଲ୍ଏ ହେଲା ପରେ, ଆପଣଙ୍କୁ ନିର୍ଯାତନା ଦେବେ କି ନିର୍ଯାତିତ କରିବେ, ତାର ସ୍କୋପ ହିଁ ନାହିଁ । ଆପଣମାନଙ୍କୁ ଭଗବାନଙ୍କ ଦ୍ୱାହି ଦେଇ କହୁଛି ଆପଣମାନଙ୍କ ଦାୟିତ୍ୱ ମୁଁ ନିଜେ ନେବି।’
ନିଜ ସମର୍ଥକଙ୍କୁ କିଛି ଏଭଳି ଢଙ୍ଗରେ ପ୍ରତିଶ୍ରୁତି ଦେବା ସହ, ପରୋକ୍ଷରେ ବିଜେଡି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସରୁ ନିଲମ୍ବିତ ହେବା ପରେ ବିଜେଡିରେ ଯୋଗ ଦେଇଥିବା ଚିରଞ୍ଜୀବ ଜଗତସିଂହପୁର ଆସନ ପାଇଁ ଏଥର ଟିକେଟ୍ ଆଶାୟୀ ଥିଲେ ।
ତେବେ ବିଜେଡି ସେଠାରେ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣି ଥରେ ରିପିଟ୍ କରିଛି। ଯାହାକୁ ନେଇ ଚିରଞ୍ଜୀବ ନିଜ ସମର୍ଥକଙ୍କ ଗହଣରେ କ୍ଷୋଭ ପ୍ରକାଶ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହା କେବେର ଓ କେଉଁ ସ୍ଥାନର ଭିଡିଓ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏଥିରେ ଚିରଞ୍ଜୀବଙ୍କ କ୍ଷୋଭ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
ସେ କହିଛନ୍ତି, ‘ବିଜେଡିରେ ଆମେ ମିଶିଛେ । ଆମର ଲକ୍ଷ୍ୟ ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବା । ମୁଁ ବିଜେଡିର ତୁଙ୍ଗ ନେତୃମଣ୍ଡଳୀ ସହ ଯାହା କଥାବାର୍ତ୍ତା ହୋଇଛି ଆପଣଙ୍କୁ ଖୋଲି କହିପାରିବିନି । କିନ୍ତୁ ପ୍ରଭୁ ଜଗନ୍ନାଥ ଓ ମାଆ ଶାରଳାଙ୍କ ନାଁନେଇ ଶପଥ କରୁଛି ଆପଣମାନଙ୍କ ଦାୟିତ୍ୱ ମୁଁ ନିଜେ ନେବି । ଜୁନ୍-ଜୁଲାଇ ଯାଏଁ ଅପେକ୍ଷା କରନ୍ତୁ, ପାଣି ପାଣି ଓ କ୍ଷୀର କ୍ଷୀର ହୋଇଯିବ। ମୋତେ କଟକ ଟିକେଟ୍ ମିଳୁଥିଲା, କିନ୍ତୁ ଜଗତସିଂହପୁରରେ ରହିବା ପାଇଁ ମୁଁ ନିଷ୍ପତ୍ତି ନେଲି ବୋଲି କହିଛନ୍ତି ଚିରଞ୍ଜୀବ। କଣ ପାଇଁ ଟିକେଟ୍ ଦେଲେନି, ସେଇଟା ମୁଁ ନେତୃମଣ୍ଡଳୀ ସହ ପୃଥକ ଭାବେ ଆଲୋଚନା କରିବି । ଜଗତସିଂହପୁର ରାଜନୀତିରେ ମୁଁ ଓତପ୍ରୋତ ଭାବେ ଜଡ଼ିତ ହୋଇ ରହିବି ବୋଲି କହିଛନ୍ତି ଚିରଞ୍ଜୀବ ।
ଅନ୍ୟପଟେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏବେ ଯାଏଁ କେବଳ ବାଲିକୁଦା-ଏରସମା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ, ଚିରଞ୍ଜୀବ ତା ଉପରେ ନଜର ରଖିଛନ୍ତି କି ବୋଲି ଏହି ଭିଡିଓ ସାମ୍ନାକୁ ଆସିବା ପରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେପଟେ ଏହି ଭିଡିଓରେ ଚିରଞ୍ଜୀବ କଂଗ୍ରେସ ଉପରେ ମଧ୍ୟ ରୋଷ ଝାଡ଼ୁଥିବା ଦେଖିବାକୁ ମିଳୁଛି । କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)