Advertisment

ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

୫ ମାର୍ଚ୍ଚ ୨୦୦୦ରୁ ଆରମ୍ଭ, ୨୪ ଜୁନ୍ ୨୦୨୪ରେ ଶେଷ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Naveen Patnaik

ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରା । ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼। ତା’ସହ ଚୁରମାର୍ ହେଇଗଲା ଲଗାତର ଷଷ୍ଠଥର ପାଇଁ ସିଏମ୍ ଗାଦିରେ ବସି ସର୍ବାଧିକ ସମୟ କାଳ ଶାସକ ହେବାର ସ୍ବପ୍ନ। ଯେଉଁ ୫ ତାରିଖରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ, ମାସ ଅଲଗା ହେଲେ ବି ୨୪ ବର୍ଷ ପରେ ସେଇ ୫ ତାରିଖରେ ପଦରୁ ଇସ୍ତଫା ଦେଇ ଇତିହାସ ପାଲଟିଗଲେ ନବୀନ ପଟ୍ଟନାୟକ। ହେଲେ କଣ ପାଇଁ ହେଲା ଏମିତି, କେଉଁ କାରଣ ପାଇଁ ଗୋଟିଏ ଝଟ୍‌କାରେ ବଦଳିଗଲା ରାଜ୍ୟ ରାଜନୀତି ।

Advertisment

୫ ମାର୍ଚ୍ଚ, ୨୦୦୦ରୁ ଆରମ୍ଭ । ୫ ଜୁନ୍ ୨୦୨୪ରେ ଶେଷ। ୨୪ ବର୍ଷ ୩ ମାସରେ ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଉଦୟ । ସେଦିନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ୍‌ଙ୍କଠୁ  ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ଆଉ ଲଗାତର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ, ଶେଷରେ ଷଷ୍ଠପାଳି ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ଦେଲେ ନବୀନ। 

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

Advertisment

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଗଲେ ନବୀନ। ନୂଆ ବିଜେପି ସରକାର ଗଠନ ହେବା ଯାଏ ଯଦିଓ ଏବେ ସେ କାମଚଳା ବା ବିଦାୟୀ ମୁଖ୍ୟମନ୍ତ୍ରୀ। ହେଲେ ବିଧାନସଭା ରାଜନୈତିକ ଜୀବନ ଆରମ୍ଭରୁ କେବେ ବି ପରାଜୟର ସ୍ବାଦ ଚାଖିନଥିବା, ନବୀନଙ୍କ ନାଁରେ ପ୍ରଥମଥର ପାଇଁ ଲାଗିବାକୁ ଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀର ଟ୍ୟାଗ୍। 

୧୯୯୯ ମହାବାତ୍ୟା ପରବର୍ତ୍ତୀ ସଂକଟର ପରିଚାଳନାରେ ତତ୍କାଳୀନ ସରକାରର ବିଫଳତାର ପୃଷ୍ଠଭୂମରେ ରାଜ୍ୟ ରାଜନୀତିରେ ଯେଉଁ ନବୀନ ଯୁଗ ଆରମ୍ଭ ହୋଇଥିଲା, ୨୪ ବର୍ଷ ପରେ ତାକୁ ନିମିଷକେ ଧରାଶାୟୀ କରିଦେଲା ୨୪ ରାଜନୀତିର ମୋଦି ମହାବାତ୍ୟା। ବାତ୍ୟା ଏମିତି ବହିଲା. ନିଜ ସିଟ୍କୁ ବି ବଞ୍ଚେଇ ପାରିଲେନି, ପୱନ ଚାମଲିଂଙ୍ଗଙ୍କ ପରେ ଅପ୍ରତିଦ୍ବନ୍ଦ୍ବୀର ଟ୍ୟାଗ୍ ପିନ୍ଧିଥିବା ଦେଶର ସବୁଠୁ ଲମ୍ବା ସମୟ ଅବଧିର ମୁଖ୍ୟମନ୍ତ୍ରୀ। ଲଢ଼ିଥିବା ଦୁଇଟି ଆସନରୁ, କଣ୍ଟାବାଞ୍ଜିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠୁ ଶୋଚନୀୟ ଭାବେ ୧୬ ହଜାରରୁ ଅଧିକ ଭୋଟରେ ହାରିଲେ, ପୁଣି ନିଜର ପାରମ୍ପରିକ ସିଟ୍ ହିଞ୍ଜିଳିରୁ ହାରୁ ହାରୁ ଜିତିଲେ। 

ତେବେ ସବୁ ନିର୍ବାଚନରେ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରିବାରେ ମାହିର ବିଜେଡି ଓ ଏହାର ସୁପ୍ରିମୋ ନବୀନ ଏଥର ବିଫଳତାର ଏଭଳି ତିକ୍ତ ସ୍ବାଦ ଚାଖିବାର କାରଣ କଣ ? ବିଜେପି ହାତ ଛାଡ଼ିବା ପରେ ତୃତୀୟ ପାଳିରେ ୧୦୩, ଚତୁର୍ଥ ପାଳିରେ ୧୧୭ ଓ ପଞ୍ଚମ ପାଳିରେ ୧୧୩ ଏମିତି ବିଶାଳ ବିଶାଳ ସଂଖ୍ୟା ସହ ବିଜେଡିକୁ ଅବିଶ୍ବସନୀୟ ବିଜୟ ଦେଇ ଆସୁଥିବା ନବୀନ ଜୀବନର ଷଷ୍ଠପାଳି ଲଢ଼େଇରେ କାହିଁକି ଗୋଟିଏ ଝଟକାରେ ୫୧କୁ ଖସିଆସିଲେ ?

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ବିଜେଡି ଗଡ଼, ମାଟି କାମୁଡ଼ିଲେ ଟାଣୁଆ ବିଜେଡି ନେତା

ନଜର ପକାନ୍ତୁ ଦଳର ସୁପ୍ରିମୋ ଭାବେ ନବୀନ ଓ ବିଜେଡି ପରାଜୟର ପ୍ରମୁଖ ୧୦ କାରଣ ଉପରେ...

୧- ପାଣ୍ଡିଆନ୍ଙ୍କ ଏକଛତ୍ରବାଦ ରାଜନୀତି ।
୨- ଦଳ ଓ ସରକାରର ପାଣ୍ଡିଆନ୍କର ।
୩- ପ୍ରଚାରରେ ପାଣ୍ଡିଆନ୍ ଆଗ ନବୀନ ପଛ ।
୪- ଓଡ଼ିଆ ଅସ୍ମିତା ଭାବନାକୁ ତୁଚ୍ଛ ମଣିବା ।
୫- ରତ୍ନଭଣ୍ଡାର ଚାବି ହଜିବା, ଚାରିଦ୍ବାର ନଖୋଲିବା ।
୬- ନବୀନ ଶାସନରେ ଅଣ ଓଡ଼ିଆଙ୍କ ପ୍ରାଦୁର୍ଭାବ।
୭- ନେତା କିଛି ନୁହେଁ, ଅଫିସର ହିଁ ସର୍ବେସର୍ବା ଭାବନା ।
୮- ଚରମରେ ଦୁର୍ନୀତି ଓ ପିସି କାରବାର ।
୯- ମହିଳା ବିରୋଧୀ ହିଂସା, ଶିଶୁ ନିଖୋଜ ଓ ହତ୍ୟା ମାମଲା ବୃଦ୍ଧି ।
୧୦- 5T ରୂପାନ୍ତରୀକରଣ ନାଁରେ ତୁଚ୍ଛା ଭେଳିକି ।

ବିଶେଷ କରି ପଞ୍ଚମପାଳି ଆରମ୍ଭରୁ ରାଜ୍ୟ ଶାସନ ବ୍ୟବସ୍ଥା ଯେ ମୁଖ୍ୟମନ୍ତ୍ରୀଙ୍କ ନୁହେଁ ବରଂ ସୁପର ଚିଫ୍ ମିନିଷ୍ଟର କୁହାଯାଉଥିବା ଭି.କେ.ପାଣ୍ଡିଆନ୍‌ଙ୍କ ଦ୍ବାରା ଚାଲୁଛି ସେ ଧାରଣା ଧିରେ ଧିରେ ବଡ଼ ହେବାକୁ ଲାଗିବା, କ୍ରମେ ଶେଷ ଆଡ଼କୁ ଏହା ନବୀନଙ୍କ ଭାବମୂର୍ତ୍ତିକୁ ଜନମାନସରେ ଗଭୀର ସଂକଟକୁ ଠେଲିଦେବା ଏବଂ ପୁରା ୨୪ ଲଢ଼େଇ ଓଡ଼ିଆ ଅସ୍ମିତାର ସୁରକ୍ଷାରେ ବଦଳିଯିବା ନବୀନ ସରକାରର ଶୋଚନୀୟ ପତନର ବଡ଼ କାରଣ ବୋଲି କୁହାଯାଉଛି। 

ଏମିତିକି ରାଜ୍ୟବାସୀ ତାଙ୍କୁ ଦେଇଥିବା କ୍ଷମତାକୁ ସେ ପାଣ୍ଡିଆନଙ୍କୁ ଟେକି ଦେବା ଚର୍ଚ୍ଚାରେ ବିରାମ ଲଗାଇବାକୁ ତାଙ୍କ ଶେଷ ମୁହୂର୍ତ୍ତର ଚେଷ୍ଟା ବି ବିଫଳ ହୋଇଥିଲା। ଆଉ ବିଶ୍ବାସ କରିବା ମୁଡ୍ ରେ ନଥିଲେ ରାଜ୍ୟବାସୀ।

Rephrase with Ginger (Ctrl+Alt+E)
Naveen Patnaik BJD Politics General Elections 2024
Advertisment
Advertisment