/odishatv-khabar/media/post_attachments/uploadimage/library/16_9/16_9_0/BJP_1714219797.jpg)
BJP
ଆସିଲା ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ଆଉ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଏବେ ବି ୭ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ଏଥର ଖୋର୍ଦ୍ଧାରୁ ଲଢ଼ିବେ ପ୍ରଶାନ୍ତ ଜଗଦ୍ଦେବ। ସେହିପରି ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାଏକ, ସାଲେପୁରରୁ ଅରିନ୍ଦମ ରାୟ ଏବଂ କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି।
ବିଜେପି ୧୪୦ ବିଧାନସଭା ଆସନରେ ଟିକେଟ୍ ଘୋଷଣା କରିସାରିଥିବା ବେଳେ, ଆଉ ୭ଟି ଆସନ ବାକି ରହିଛି। ଘଷିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ ଓ ବରିରେ ପ୍ରାର୍ଥୀ ଘୋଷଣା କରିନି ବିଜେପି। ଦ୍ୱିତୀୟ ପର୍ଯ୍ୟାୟ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ବିଜେପି ପ୍ରଥମ ଦଳ ଭାବରେ ରାଜ୍ୟରେ ଟିକେଟ୍ ଘୋଷଣା କରିଥିଲା। ଦୁଇଟି ପର୍ଯ୍ୟାୟରେ ୨୧ ଲୋକସଭା ଓ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।
କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ ସୀମାରାଣୀ। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ହିନ୍ଦୋଳ ଆସନ ପାଇଁ ସୀମାରାଣୀ ଟିକେଟ୍ ଆଶାୟୀ ଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି ଦଳ ତାଙ୍କୁ ଟିକେଟ୍ ଦେଇଛି।
ଓଡ଼ିଶାରେ ଏଥର ବିଜେପି ସରକାର ନାରା। ଶାହଙ୍କ ସୋନପୁର ଗସ୍ତ ବେଳେ ହମଲା ଓ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁଜ୍ଞାନ ପରେ ଏବେ ଏଇ ନାରାରେ ରାଜ୍ୟରେ ବିଜେଡି ଶାସନକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି। ଶାହଙ୍କ ଟିପ୍ସକୁ ଅକ୍ଷରେ ଅକ୍ଷରେ ମାନି ଏମଏଲ୍ଏ, ଏମପି ପ୍ରାର୍ଥୀ ମିଳିମିଶି ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।
ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି। ସୋନପୁର ସମାବେଶ ପରେ ପରେ ଭୁବନେଶ୍ୱରରେ ୧୩ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଶାହ ଦେଇଥିଲେ ୩ ସୂତ୍ରୀ ବିଜୟମନ୍ତ୍ର। ୨୦ରୁ ଅଧିକ ଲୋକସଭା ସିଟ୍ ସହ ଓଡିଶାରେ ବିଧାନସଭା ଦଖଲ, ବୁଥ୍ ରିଗିଂ ଉପରେ ରୋକ୍, ମନୋମାଳିନ୍ୟ ଭୁଲି ଏକାଠି ଏମଏଲଏ, ଏମପି ପ୍ରାର୍ଥୀଙ୍କ ପ୍ରଚାର ଉପରେ ସେ ଗୁରୁତ୍ୱ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)