ରାଜନୀତିର ପରିଭାଷା ବଦଳାଇଛନ୍ତି ମୋଦି, ଯାହା କୁହନ୍ତି ତାହା କରନ୍ତି: ନଡ୍ଡା

ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି ।

JP Nadda

ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ ବୋଲି କହିଛନ୍ତି । ୨୦୧୪ ପୂର୍ବର ଭାରତ ଓ ପରର ଭାରତ ମଧ୍ୟରେ ବର୍ତ୍ତମାନ ଆକାଶ ପାତାଳ ତଫାତ୍ ରହିଛି । ଆଜି ୨୦୨୪ରେ ଲୋକେ ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି ।

ରାଜନୀତିରେ କାମ କରିବାର ତରିକା ବଦଳାଇଦେଲେ ମୋଦି । ୧୦ ବର୍ଷ ତଳେ ନେତା ତୁଷ୍ଟୀକରଣର ରାଜନୀତି କରୁଥିଲେ ବୋଲି କହିଛନ୍ତି ନଡ୍ଡା । ଜାତି, ଧର୍ମର ଲଢ଼େଇ କରି ଭୋଟବ୍ୟାଙ୍କର ରାଜନୀତି କରୁଥିଲେ । ମୋଦି ଆସିବା ପରେ ଜାତି ରାଜନୀତିକୁ ଧକ୍କା ଦେଇ ବିକାଶ ଚାଲିଲା । ଆଜି ରାଜନୀତିର ପରିଭାଷା ମୋଦି ବଦଳାଇ ଦେଇଛନ୍ତି । ମୋଦି ଯାହା କହିଥିଲେ କରିଛନ୍ତି, ଯାହା ନକହିଥିଲେ ତାହା ବି କରିଛନ୍ତି ବୋଲି କହିଛନ୍ତି ନଡ୍ଡା।

ଅଧିକ ପଢ଼ନ୍ତୁ: ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର । ଏହା ଓଡ଼ିଶାର ସ୍ୱାଭିମାନର କଥା ବୋଲି କହିଛନ୍ତି ଜେପି ନଡ୍ଡା । ସୁଭଦ୍ରା ଯୋଜନା ଲାଗୁ କରିବାର ଅଛି ତ ବିଜେପିକୁ ଶାସନକୁ ଆଣିହାକୁ କହିଛନ୍ତି । ରତ୍ନ ଭଣ୍ଡାରରେ ଚାବି ହଜିଛି, ସେ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ । ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି । ଆଉ ଅତ୍ୟାଚାର ସହିବାନି, ବିଜେପିକୁ ଶାସନକୁ ଆଣିବା ବୋଲି କହିଛନ୍ତି ନଡ୍ଡା ।

ଅନ୍ୟପଟେ ଆଜି ସକାଳେ ରାଜଧାନୀରେ ରୋଡ ସୋ’ କରିଥିଲେ ନଡ୍ଡା । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା ରୋଡ୍‌ ସୋ । ତାଙ୍କ ସହ ଥିଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ । ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତା’ପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଥିଲେ ନଡ୍ଡା । 'ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’