• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୪ ମହାଯୁଦ୍ଧ ପାଇଁ ପ୍ରଥମ ପ୍ରଚାରରେ ନବୀନ ସରକାର ଉପରେ ପିଏମ୍ ମୋଦିଙ୍କ ଜୋରଦାର ହମଲା। ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନାହାନ୍ତି, ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଛନ୍ତି। ମାତ୍ର ୬ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରକୁ ନେଇ ମୋଦିଙ୍କ ଆତ୍ମବିଶ୍ୱାସଭରା ଦୃଢୋକ୍ତି ପ୍ରଚାର ତାତିକୁ ସରଗରମ କରିଛି।

୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବ୍ରହ୍ମପୁରର କନିଷି, ନବରଙ୍ଗପୁରର ଚିକିଲି..ଜନତାଙ୍କ ଭିଡ଼ ଯେମିତି, ଉତ୍ସାହ ବି ସେମିତି। ୨୪ ମହାଯୁଦ୍ଧ ପାଇଁ ପ୍ରଥମ ପ୍ରଚାରରେ ଆସି ଦୁଇ ଦୁଇଟି ଜନସଭାରେ ନିର୍ବାଚନ ପରିଣାମର ଡେଟ୍ ଦେଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେଡି ସରକାର ପାଇଁ ଏକ୍ସପାଏରୀର ତାରିଖ ଦେବା ସାଙ୍ଗକୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ଡେଟ୍ ଦେଇ ଉତ୍ସବକୁ ଆସିବାକୁ ଜନତାଙ୍କୁ ଆମନ୍ତ୍ରଣ ବି ଦେଇ ଦେଲେ ପ୍ରଧାନମନ୍ତ୍ରୀ।

ଦକ୍ଷିଣ ଓଡ଼ିଶାରେ ଦୁଇ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧନ ବେଳେ ନାଁ ନନେଇ ଦୁର୍ନୀତି, ଅପାରଗତାଠୁ ନେଇ ଦାଦନ, କେନ୍ଦ୍ରୀୟ ଯୋଜନାର ହାଇଜାକ୍, ଚାଷୀ ସମସ୍ୟା, ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ଭଳି ପ୍ରସଙ୍ଗ ଉଠାଇ ନବୀନ ସରକାର ଉପରେ ଜୋରଦାର୍ ହମଲା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଚୁର ପ୍ରାକୃତିକ ସଂପଦରେ ଭରା ଧନୀ ଓଡ଼ିଶାର ଲୋକେ ଗରିବ କାହିଁକି ବୋଲି ପ୍ରଶ୍ନ କରି ଏହି ପାପ ପାଇଁ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍ ଦାୟୀ ବୋଲି କହିଛନ୍ତି। ବିଜେଡି ସରକାରର ଭ୍ରଷ୍ଟାଚାରୀ ରୂପକୁ ଉଜାଗର କରିବାକୁ ଯାଇ, ବିଜେଡିର ଛୋଟରୁ ଛୋଟ ନେତା ବି ବଡ଼ ବଡ଼ ବଙ୍ଗଳାର ମାଲିକ୍ କେମିତି ହେଇଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାରିଲାପଣିଆ ଉପରେ ବର୍ଷି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ସର୍ବାଧିକ ଶ୍ରମିକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି, ହିଞ୍ଜିଳିଲେ ଶୀତଳଭଣ୍ଡାର ଓ ପିଇବାପାଣିର ସୁବିଧା କାହିଁକି ନାହିଁ ବୋଲି ପଚାରିଛନ୍ତି।

କେବଳ ସେତିକି ନୁହେଁ ଭାଷଣ ମଝିରେ ମଝିରେ ଓଡ଼ିଆ ତଡ଼କା ଦେବା ସହ ଓଡ଼ିଆ ଅସ୍ମିତାକୁ ୨୪ ମହାଯୁଦ୍ଧ ପ୍ରସଙ୍ଗର କେନ୍ଦ୍ରରେ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏମିତିକି ସଭାକୁ ମୋଦିଙ୍କ ପେଣ୍ଟିଂ ନେଇ ଆସିଥିବା କିଛି ଯୁବାବର୍ଗଙ୍କୁ ପେଣ୍ଟିଂ ପଛରେ ଠିକଣା ଲେଖିବା ସହ ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି କହି ତାଛଲ୍ୟ କରିଛନ୍ତି।

ସେହିପରି ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରର ଦୃଢୋକ୍ତି ସହ ଓଡ଼ିଶାର ପୁଅ କିମ୍ବା ଝିଅ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ, ଓଡ଼ିଶା ଲୋକଙ୍କୁ ଯିଏ ଜାଣିଥିବ, ବୁଝିଥିବ, ଏଠା ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ ସେ ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ବିଗତ ୧୦ ବର୍ଷରେ ଓଡ଼ିଶାକୁ ମୋଦି ସରକାରଙ୍କ ଅନୁଦାନର ତାଲିକା ଗଣେଇ, ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ, ମୋଦି ୧୦ ବର୍ଷରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି MSP ଉପରେ ବଡ଼ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିଯିବା, ଏବଂ ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବାର ମୋଦି ଗ୍ୟାରେଣ୍ଟି ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତୀକରଣ ଲାଗି ପ୍ରତିବଦ୍ଧତାକୁ ଦୋହରାଇ ଓଡ଼ିଶା ପାଇଁ ଦଳର ସଂକଳ୍ପପତ୍ରରେ ଥିବା ସୁଭଦ୍ରା ଯୋଜନା, ରାଜ୍ୟର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ, ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୟ ଜଗନ୍ନାଥରୁ ଭାଷଣର ଆରମ୍ଭ ଓ ସେଇ ଜୟ ଜଗନ୍ନାଥରୁ ଭାଷଣ ଶେଷ କରି ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ।

ଇଏ ତ ଥିଲା ଆରମ୍ଭ। ଆସନ୍ତା ୧୦ ତାରିଖରେ ପୁଣି ଦୁଇ ଦିନିଆ ଗସ୍ତ ଓ ୩୦ ତାରିଖ ଭିତରେ ଓଡିଶାକୁ ଏକାଧିକ ବାର ଆସି, ଏମିତି ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ, ବିଜେପି କର୍ମୀଙ୍କ ଭିତରେ ଯୋଶ୍ ଭରିବେ ପ୍ରଧାନମନ୍ତ୍ରୀ। ତେବେ ଆଜି ରାଜ୍ୟରେ ବିଜେପି ସରକାର ଗଠନର ତାରିଖ ଦେଇ ପ୍ରଧାନମନ୍ତ୍ରୀଙ୍କ ଏ ରଣହୁଙ୍କାର, ରାଜ୍ୟ ନିର୍ବାଚନୀ ପାରାକୁ ବେଶ୍ ଉପରମୁହାଁ କରି ଦେଇଛି।