Advertisment

ଆସିଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା; ଏରସମାରୁ ଲଢ଼ିବେ ସାରଦା ଜେନା

୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି।

author-image
Manoranjan Behera
ଅଦ୍ୟତନ ହୋଇଛି
BJD Announces 7th Candidate List

BJD

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଆଉ ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା।

Advertisment

ସେହିପରି ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ସୀମା ନାୟକଙ୍କ ଜାଗାରେ ମହେଶ ହେଲେ ନୂଆ ପ୍ରାର୍ଥୀ। ରଘୁନାଥପାଲୀରେ ନୂଆ ମୁହଁ ହେଲେ ଅର୍ଚ୍ଚନା ବେହେରା। ସୁବ୍ରତ ତରାଇଙ୍କ ଜାଗାରେ ପ୍ରାର୍ଥୀ ହେଲେ ଅର୍ଚ୍ଚନା।

ଅଧିକ ପଢ଼ନ୍ତୁ: ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ; ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

Advertisment

ସେହିପରି ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଲେ ବିଶ୍ୱରଂଜନ ମଲ୍ଲିକ। ବାଲିକୁଦା ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ। ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନ ନେଲେ ପତ୍ନୀ ରଂଜିତା।

୧୨ ସିଟରେ ପରିସ୍ଥିତି ଜଟିଳ ଥିବା ବେଳେ ଆଜି ୬ଟି ସିଟ୍‌ର ପ୍ରାର୍ଥୀ ଘୋଷଣା ସରିଛି। ସବୁଠି ହେଭିୱେଟ୍ ବିଦ୍ରୋହୀ। ଯେଉଁଥି ପାଇଁ ବିଳମ୍ବ ହେଉଥିଲା ଟିକେଟ ଘୋଷଣା। ଯାଜପୁରର ବରୀ ସିଟ୍‌ରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍‌ ମିଳିଥିବା ବେଳେ ଏବେ ବି କୋରେଇରୁ ପ୍ରାର୍ଥୀ ଘୋଷଣା କରିନି ଦଳ। କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘଡେଇ ପରିବାର ଭିତରେ ଚାଲିଛି ଲଢେଇ। ଗୋଟିଏ ପଟେ ପ୍ରଣବ ପ୍ରକାଶଙ୍କ ନିଜ ଭାଇ ଭବପ୍ରସାଦ ଦାସ, ଅନ୍ୟପଟେ ନିଜ ପତ୍ନୀ ଝିଲିକଙ୍କ ପାଇଁ ଟିକେଟ ଲବିରେ ଅଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ। ତେଣୁ ଏଠୁ ଦଳ କାହାକୁ ଟିକେଟ ଦେବ ତାକୁ ନେଇ ଦ୍ୱନ୍ଦ୍ୱରେ।

ସେହିଭଳି ଖୋର୍ଦ୍ଧାରେ ବିଧାୟକ ଜିତୁ ମିତ୍ର ଆଶାୟୀ ଥିବା ବେଳେ ଦଳ ଏଠି ନୂଆ ଚେହେରା ଖୋଜୁଛି। ଅନ୍ୟ ପଟେ ପୂର୍ବତନ ବିଧାୟକ ତଥା ଏବେ ବେଗୁନିଆରୁ ବିଧାୟକ ଥିବା ରାଜେନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଫେରାଇ ନେବାକୁ ଦଳ ଅଙ୍କ କଷୁଛି। ଆଉ ବେଗୁନିଆରେ ବି ଆଶାୟୀ ଅଛନ୍ତି ପ୍ରଦୀପ ସାହୁ। ଉଭୟ ମଧ୍ୟ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି। 

ବାଲେଶ୍ୱର ଭୋଗରାଇରେ ବି ଟିକେଟ ପାଇଁ ଅଡି ବସିଛନ୍ତି ବରିଷ୍ଠ ବିଧାୟକ ଅନନ୍ତ ଦାସ। ନିଜ ପୁଅ ସହ ଆସି ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ହେଲେ ସେଠି ବି ୨ ଆଶାୟୀ ଗୌତମବୁଦ୍ଧ ଦାସ ଏବଂ ଭୁବନାନନ୍ଦ ଦାସ।

ସେପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର ପରେ ଖଣ୍ଡପଡ଼ା ଆସନରେ ବିଜେଡି କାହାକୁ ଟିକେଟ ଦେବ ସ୍ଥିର କରିପାରୁନି। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ଲବିରେ ଅଛନ୍ତି, ଅନ୍ୟ ପଟେ ଗ୍ରାଉଣ୍ଡରେ ଉଭୟ ଖଣ୍ଡପଡ଼ା ଓ ଭାପୁର ବ୍ଲକର ଅଧ୍ୟକ୍ଷ ପୃଥକ ପୃଥକ ସଙ୍ଗଠନ କରିଛନ୍ତି।

ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ..

ହିନ୍ଦୋଳ- ମହେଶ ସାହୁ

ରଘୁନାଥପାଲୀ- ଅର୍ଚ୍ଚନା ବେହେରା

ବାଲିକୁଦା ଏରସମା- ସାରଦା ଜେନା

କାକଟପୁର- ତୁଷାରକାନ୍ତି ବେହେରା

ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି

ବରୀ- ବିଶ୍ୱରଂଜନ ମଲ୍ଲିକ

BJD Odisha Politics General Elections 2024
Advertisment
Advertisment