Advertisment

ପୁଣି ବୁଲିଛି କ୍ଷମତା ଚକ; ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା ।

undefined

BJD leader

Advertisment

୫ ବର୍ଷ ପରେ ପୁଣି ବୁଲିଛି ଚକ। କ୍ଷମତା ଆସିଛି ଭୋଟରଙ୍କ ହାତକୁ। ନେତାଙ୍କୁ ଘେରୁଛନ୍ତି ଓ ମୁହେଁ ମୁହେଁ ଜବାବ ମାଗୁଛନ୍ତି ଜନତା । ଶାସକ ଦଳର ନେତା ମନ୍ତ୍ରୀଙ୍କୁ ମାଗୁଛନ୍ତି ୫ ବର୍ଷ କାମର କଡ଼ାଗଣ୍ଡାର ହିସାବ । ୨୫ ବର୍ଷର ଶାସନ ସତ୍ତ୍ବେ ମୌଳିକ ସମସ୍ୟାର ସମାଧାନ ହୋଇନଥିବାରୁ, ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ ହେଉଥିବା ନଜରକୁ ଆସୁଛି । ଫଳରେ ଅନେକ ସ୍ଥାନରେ ପ୍ରାର୍ଥୀମାନଙ୍କୁ ହଟହଟା ହୋଇ ଫେରିବାକୁ ପଡ଼ୁଛି। ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ରୁ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । 

Advertisment

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ରଘୁବାରି ଗାଁରେ । ଖୋଦ୍ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ବିଜେଡି ନେତା ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । 

ରଘୁବାରି ଗାଁ, ଯେଉଁଠି ୬ଟି ନଳକୂଅ ଥିଲେ ବି, ଗୋଟିଏ ଚାଲୁଛି । ମାସ ମାସ ଧରି ବସୁଧା ପ୍ରକଳ୍ପ ବି ଅଚଳ ପଡ଼ିଛି । ନିଇତି ରାତି ପାହିଲେ ପାଣି ପାଇଁ ଡହଳବିକଳ ୨୨୫ ପରିବାର । ଏଠାକୁ ଗତକାଲି ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା । ହେଲେ ଦୀର୍ଘଦିନର ପାଣି ସମସ୍ୟାକୁ ନେଇ ଗରା ହାଣ୍ଡି ଧରି ମନ୍ତ୍ରୀଙ୍କ ରାସ୍ତା ରୋକିଥିଲେ ଗାଁଲୋକେ। ହୋଇଥିଲା ପ୍ରବଳ ବିରୋଧ। ତେବେ ମନ୍ତ୍ରୀ ସେମାନଙ୍କ ଅଭିଯୋଗ ଶୁଣିବେ କଣ, ଓଲଟି ହଙ୍ଗାମା ଆରମ୍ଭ କରିଦେଲେ ସାଙ୍ଗରେ ଆସିଥିବା ନେତା ଓ କର୍ମୀ। ବିଜେଡି ସାଧାରଣ ସଂପାଦକ ସୁଧୀର ଦାସ ମଧ୍ୟ ସେଠାରେ ମହଜୁଦ ଥିଲେ। ଏହି ସମୟରେ ଯୁବ ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଉତ୍ୟକ୍ତ ହୋଇ ଗାଁର ଜଣେ ଯୁବକଙ୍କୁ ଠେଲାପେଲା କରିବା ସହ ଚାପୁଡ଼ା ମାରିଥିବା 
ଅଭିଯୋଗ ହୋଇଛି। ଆଜି ଏନେଇ ଉଭୟ ପକ୍ଷରୁ ଅମ୍ବାଦୋଳା ଥାନାରେ ଏତଲା ବି ଦିଆଯାଇଛି।

Advertisment

ସେମିତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳର ଘଟଣା । କେନ୍ଦୁଗୁଡ଼ା ପଞ୍ଚାୟତ ଭାଲୁଗୁଡ଼ାରେ ଜନତାଙ୍କ ରୋଷର ଶିକାର ହୋଇଛନ୍ତି କୋରାପୁଟ ବିଧାୟକ ତଥା ଆଗାମୀ ନିର୍ବାଚନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ରଘୁରାମ ପୋଡାଲ୍ । ବିଧାୟକଙ୍କୁ ଘେରିଯାଇ, ରାସ୍ତାଘାଟ ଓ ବିଜୁଳି ସମସ୍ୟାର ସମାଧାନ ହୋଇନଥିବାରୁ, କେଉଁ ମୁହଁରେ ଭୋଟ୍ ମାଗିବାକୁ ଆସିଛ ବୋଲି ଖୋଲାଖୋଲି ପଚାରିଥିଲେ। ଅନ୍ୟପକ୍ଷରେ ଏଭଳି ବିରୋଧ ଓ ଅସନ୍ତୋଷକୁ ବିରୋଧୀଙ୍କର ଚାଲ୍ ବୋଲି କହିଛନ୍ତି ରଘୁରାମ।

ସେପଟେ ଭୋଟ୍ ମାଗିବାକୁ ଯାଇ ହଟହଟା ହେବାକୁ ପଡ଼ିଛି ବିଜେଡିର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ତଳସରା ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋଙ୍କୁ । ଶାଗବାହାଲ ପଞ୍ଚାୟତ କିଲକିଲା ଗାଁରେ ଦିଲ୍ଲୀପ ରାଜ୍ୟ ସରକାରଙ୍କ ଗୁଣଗାନ ଆରମ୍ଭ କରିବା ମାତ୍ରେ, ଜଣେ ସ୍ଥାନୀୟ ଲୋକ ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା କଥା ଉଠାଇ ତାଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ। ଉପାୟ ନପାଇ, ଉଭୟ ପ୍ରାର୍ଥୀ ତୁରନ୍ତ ଜାଗା ଛାଡ଼ି ଗାଡ଼ିରେ ଅନ୍ୟତ୍ର ପଳାଇଥିବା କୁହାଯାଉଛି । ତେବେ ଏନେଇ ସେମାନଙ୍କର କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
General Elections 2024 BJD Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ