Advertisment

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ; ବାରିହେଲା ଅସନ୍ତୋଷ ପ୍ରଶମନ ପାଇଁ କସରତର ଛାପ...

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ ।

undefined

Election 2024

Advertisment

ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିତରେ ପୁଅ, ଝିଅ ଓ ପତ୍ନୀଙ୍କ ଲମ୍ବା ତାଲିକା । କେବଳ ପୁରୁଖା ନେତା ନୁହଁନ୍ତି, ବର୍ତ୍ତମାନର ବିଧାୟକମାନଙ୍କୁ ବି ବାଦ୍ ଦେଇ ସେମାନଙ୍କ ଉତ୍ତରାଧିକାରୀଙ୍କୁ ସମ୍ମୁଖ ଯୋଦ୍ଧା ସଜାଇଛି ଦଳ। ନୂଆ ଯୁବ ଚେହେରା ସହ ଦଳ ଲିଗାସି କାର୍ଡ ଖେଳିଥିବା କୁହାଯାଉଥିଲେ ବି, ଏଥିରେ ଥଇଥାନ ଓ ଅସନ୍ତୋଷ ପ୍ରଶମନ ପାଇଁ କସରତର ଛାପ ବି ସ୍ପଷ୍ଟ ବାରି ହେଉଛି ।

Advertisment

କେଉଁଠି ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ୍ । ତ ଆଉ କେଉଁଠି ହେଭିୱେଟଙ୍କ ବେଟର୍-ହାଫ୍ । ଡଜନେରୁ ଅଧିକ ଆସନରେ 'ଉତ୍ତରାଧିକାରୀ'ଙ୍କ ଅଭ୍ୟୁଦୟ । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଆଜି ଦିନ ୧୨ଟା ବେଳେ ବିଜେଡିରେ ମିଶିଲେ, ୨ଟା ବେଳକୁ ମିଳିଲା ହାଇ-ପ୍ରୋଫାଇଲ୍ ସିଟ୍ ଭୁବନେଶ୍ବର ଲୋକସଭା ଟିକେଟ୍ । ସୁର ଏଥର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିସାରିଥିବା ବେଳେ, ତାଙ୍କ ବ୍ୟକ୍ତିଗତ ଭୋଟ ବ୍ୟାଙ୍କକୁ ମନ୍ମଥ ନୂଆ ଦଳ ଆଡ଼କୁ ଟାଣିବାକୁ ଭରପୁର ଚେଷ୍ଟା କରିବେ । 

ସେପଟେ କେନ୍ଦ୍ରାପଡ଼ାରୁ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଏବଂ ଆସ୍କାରୁ ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ସାହୁଙ୍କୁ ଲୋକସଭା ଯୋଦ୍ଧା କରିଛି ବିଜେଡି । ରାଜନଗରର ବହୁଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବଂଗତ ନଳିନୀ ମହାନ୍ତିଙ୍କ ଉତ୍ତରାଧିକାରୀ ଅଂଶୁମାନ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସେପଟେ କବିସୂର୍ଯ୍ୟନଗର ବିଧାନସଭା ଟିକେଟ୍ ପାଇଁ ଏଥର ହର ସାହୁ ଖୁବ୍ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ଏବଂ ଜୋରଦାର ସଂଗଠନ ବି ଚଳାଇଥିଲେ। ତେଣୁ ବିଧାୟିତା ଲତିକା ପ୍ରଧାନଙ୍କ ପଥ ପରିଷ୍କାର କରିବାକୁ ହରଙ୍କ ଝିଅ ରଞ୍ଜିତାଙ୍କୁ ଆସ୍କାରୁ ସାଂସଦ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଲା ବୋଲି ମଧ୍ୟ କୁହାଯାଉଛି ।

Advertisment

ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦେଖିଲେ, ଉତ୍ତରାଧିକାରୀଙ୍କ ଲମ୍ବା ତାଲିକା । ଯେଉଁମାନେ ପୂର୍ବରୁ ନିର୍ବାଚନ ଲଢ଼ିସାରିଛନ୍ତି ସେମାନଙ୍କ ସହ ଅନେକ ନୂଆ ଚେହେରା ଭାବେ ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ବି ମୈଦାନକୁ ଉତାରିଛି ଦଳ । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦିଗପହଣ୍ଡି ଟିକେଟ୍ ହେଉ, ଅବା ପୁରୀରୁ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ବାପାଙ୍କ ଅନ୍ତେ, ପୁଅଙ୍କୁ ସେମାନଙ୍କ ଲିଗାସି ଆଗକୁ ବଢ଼ାଇବାକୁ ସୁଯୋଗ ଦେଇଛନ୍ତି ନବୀନ। ପୂର୍ବତନ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷା ଦେବୀଙ୍କ ବଦଳରେ ସେଠୁ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଏଥର ପ୍ରୋଜେକ୍ଟ କରାଯାଇଛି । ସେପଟେ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଅରବିନ୍ଦ ମହାପାତ୍ର। ବାପା ବିଜୟ ମହାପାତ୍ର ପୁରୁଖା ବିଜେପି ନେତା ହୋଇଥିବା ବେଳେ, ଅରବିନ୍ଦ ବିଜେଡିରେ କିଛି ଦିନ ତଳେ ଯୋଗ ଦେଇଥିଲେ ।

କେବଳ ପୁଅ ଝିଅ ନୁହଁନ୍ତି, ବିଭିନ୍ନ ସିଟ୍‌ରେ ଏଥର ମିସେସ୍ ହେଭିୱେଟ ମାନଙ୍କୁ ବି ମୈଦାନକୁ ଉତାରିଛି ବିଜେଡି । ବସ୍ତାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା । ଏଥର ରବୀନ୍ଦ୍ରଙ୍କ ଟିକେଟ୍ ଆଶା କ୍ଷୀଣ ବୋଲି ଚର୍ଚ୍ଚା ହେଉଥିବା ବେଳେ, ତାଙ୍କ ଧର୍ମପତ୍ନୀଙ୍କୁ ବସ୍ତାରେ ଛିଡ଼ା କରାଇଛି ବିଜେଡି । ବହୁ ଆସନରେ ସିଟି ଏମ୍‌ଏଲ୍‌ଏ ଓ ଏକ୍ସ-ଏମ୍‌ଏଲ୍‌ଏଙ୍କ 'ବେଟର୍‌ ହାଫ୍' ମାନଙ୍କୁ ବି ଟିକେଟ୍ ମିଳିଛି । ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ସ୍ବାଇଁ । ବର୍ତ୍ତମାନକୁ ମିଶାଇ ସେଠାକାର ଲଗାତାର ୩ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ। ନବରଙ୍ଗପୁରର ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ, ଉମରକୋଟରୁ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ ଏବଂ ଭବାନୀପାଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲଳିତା ନାୟକଙ୍କୁ ଚାନ୍ସ ମିଳିଛି। ଦଳ ବଦଳାଇବା ପରେ, ୨୦୧୯ରେ ବିଜେଡି ଟିକେଟ୍ ପାଇଥିଲେ ଦୁଷ୍ମନ୍ତ, ହେଲେ ପରାଜିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକଙ୍କ ଠାରୁ ।

Advertisment

ରାଜନୀତିରେ ବଂଶବାଦ କିଛି ନୂଆ କଥା ନୁହେଁ । ତେବେ ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସୁଥିବା ବେଳେ, ଲୋକେ ଉତ୍ତରାଧିକାରୀଙ୍କୁ ସେମାନଙ୍କ ବାପା ମାଆ ଓ ସ୍ବାମୀଙ୍କ ଭଳି ଗ୍ରହଣ କରୁଛନ୍ତି କି ନାହିଁ, ତା ଉପରେ ନଜର ।

Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ