/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708099004.jpg)
Election Commission
ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ଭୁବନେଶ୍ୱର ଆସି ଭୋଟ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଇଭିଏମ, ସୁରକ୍ଷା ବ୍ୟବସ୍ଥା, ଭୋଟ୍ ବେଳେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଦିଲ୍ଲୀରୁ ଆସିଥିବା ଟିମ୍ ଆଲୋଚନା କରିଛି। ଅନ୍ୟପକ୍ଷରେ ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କୁ ଭେଟିଥିବା ରାଜନୈତିକ ଦଳଙ୍କ ପ୍ରତିନିଧି।
ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ ବଡ଼ ଘରଣର ପ୍ରସ୍ତୁତି ବି ଆବଶ୍ୟକ। ସେଥିଲାଗି କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚି ଭୋଟ ପାଇଁ ଚାଲିଥିବା ଆୟୋଜନର ଅନୁଧ୍ୟାନ କରିଛନ୍ତି। ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ, ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି, ପ୍ରଚାର ଓ ଭୋଟ ବେଳେ ଶୃଙ୍ଖଳା ରକ୍ଷା ଲାଗି କି ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛି ଇସି ଟିମ୍।
ରାଜନୈତିକ ଦଳଙ୍କ ସହଯୋଗ ବିନା ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଇବା ଅସମ୍ଭବ। ସେଥିଲାଗି ଇଲେକସନ କମିଶନଙ୍କ ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବି ଆଲୋଚନା କରିଛନ୍ତି। ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଲାଗି ଦଳୀୟ ପ୍ରତିନିଧିମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି।
ତିନି ଦିନିଆ ଓଡ଼ିଶା ଗସ୍ତର ଆସିଥିବା ନିର୍ବାଚନ କମିଶନଙ୍କ ଟିମ୍ ଆସନ୍ତାକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ପୋଲିସ ଜିଡି ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବେ। ସେହିପରି ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହେଉଥିବା ଏନଫୋର୍ସମେଣ୍ଟ ଟିମ୍ ସହ ବି ସିଇସି ଟିମ୍ ଆଲୋଚନା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)