• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୋମ୍ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିସଂଘର ଓ୍ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମରେ ସାରା ବିଶ୍ୱକୁ ଓଡ଼ିଶାର ସଫଳ କାହାଣୀ ବଖାଣିବେ । ୧୯୯୯ ମହାବାତ୍ୟା ପରେ ନବୀନ କେମିତି ଓଡିଶାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି ଏବଂ ବିପର୍ଯ୍ୟୟ ପିରଚାଳନା କରିଛନ୍ତି ,ବଂ ଭୋକର ଭୂଗୋଳ କୁହାଯାଉଥିବା ଓଡିଶାରେ ବିଭିନ୍ନ ଯୋଜନା ମାଧ୍ୟମରେ ଖାଦ୍ୟ ସଙ୍କଟର ସମାଧାନ କରିଛନ୍ତି । ତାହା ବିଶ୍ୱ ଦରବାର ସମ୍ମୁଖରେ ଉପସ୍ଥାପନ କରିବେ ।

ଗତ ବର୍ଷ ଓ୍ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କିଭଳି ସଦୃଢ କରାଯାଇପାରିବ ସେନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହିପରି ଓଡିଶାର ମିଲେଟ ମିଶନ ଓ ମିଶନ ଶକ୍ତି ଦ୍ୱାରା ହେଉଥିବା କାମକୁ ବେଶ୍ ପ୍ରଶଂସା କରିଥିଲା WFC । ଗତ ଫେବୃଆରୀରେ ଓ୍ୱାର୍ଲଡ ଫୁଡ ପ୍ରୋଗ୍ରାମ୍, WFCର କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି ନବୀନ ନିବାସ ଆସି ରୋମ ଆସିବା ପାଇଁ ନମନ୍ତ୍ରଣ କରିଥିଲେ ।

ଏହାସହ ନବୀନ ଭାଟିକାନ୍ ସିଟି ଯାଇ ପୋପ ଫ୍ରାନସିସ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି । କଂଗ୍ରେସ, ନବୀନଙ୍କ ଏହି ଗସ୍ତରୁ ଭୋଟ ରାଜନୀତିର ବାସ୍ନା ବାରିଲାଣି । ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ୍ ହାତେଇବା ଲାଗି, ବିଜେଡି ସୁପ୍ରିମୋ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ନବୀନ-ପୋପ୍ ସାକ୍ଷାତ ନେଇ ପ୍ରତିକ୍ରିୟାଶୀଳ । ଦଳର ଯୁକ୍ତି, ଯେଉଁ ମୁଖ୍ୟମନ୍ତ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦିନଟେ ହେଲେ ଭେଟି ନାହାଁନ୍ତି । ସେ କାହିଁକି ସୁଦୂର ରୋମ୍‌କୁ ଯାଇ ପୋପ୍‌ଙ୍କୁ ଭେଟିବେ ? ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ତାହା ଜନସାଧାରଣ ବିଚାର କରିବେ ବୋଲି ବିଜେପି କହିଛି ।

ଖାଲି ସେତିକି ନୁହେଁ ଇଟାଲୀ ପରେ ନବୀନ ଦୁବାଇ ଗସ୍ତ କରିବେ । ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନସୁଲେଟ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଓଡିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆହ୍ୱାନ କରିବେ । ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ଗସ୍ତ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନି ।