• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ-ହରିହର ଚାନ୍ଦ): ରାଜ୍ୟ ସରକାରଙ୍କ ଅଧିକାରୀ ଓ ନିତି ଆୟୋଗ ଟିମ୍ ମଧ୍ୟରେ ମାନସ ମନ୍ଥନ । ଓଡ଼ିଶାର ବିକାଶ ଗାଡ଼ି କିଭଳି ଦ୍ରୁତ ଗତିରେ ଗଡ଼ିବ ସେଥିପାଇଁ ନିତି ଆୟୋଗ ଟିମ୍ ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍‌ରେ ବୈଠକରେ ଯୋଗ ଦେଇ ରାଜ୍ୟର ବିକାଶର ଚିତ୍ର ଉପସ୍ଥାପନ କରିଥିଲେ । ତାସହ ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ଯେଉଁଥିରେ ଫୋକସ୍‌ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁଁ ଓଡ଼ିଶା ନାନା ସମସ୍ୟା ଭୋଗୁଛି ।

ତେଣୁ ଅଗ୍ରଣୀ ରାଜ୍ୟଗୁଡ଼ିକ ସହ ପାଦ ମିଳାଇ ଚାଲିବାକୁ କେନ୍ଦ୍ର ସରକାର ଓଡ଼ିଶା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବୈଠକରେ ଦାବି ଉଠିଛି । ଆଉ ଏଥିପାଇଁ କେନ୍ଦ୍ର କୋହଳ ମନୋଭାବ ପୋଷଣ କରିବାକୁ ଅପିଲ୍ ହୋଇଛି । ତାସହ କେନ୍ଦ୍ର ପାଖରେ ଦୀର୍ଘ ଦିନ ହେଲା ରାଜ୍ୟର ଅନେକ ଇସ୍ୟୁ ପଡ଼ି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମାଓ ଦମନ, ୭୦ ଲକ୍ଷ ସ୍ୱୟଂ ସହାୟକ ସଦସ୍ୟଙ୍କ ଆର୍ଥିକ ବିକାଶ, ବିଏସ୍‌କେଓ୍ୱାଇ ଓ ଭିତ୍ତିଭୂମିର ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ବି ଦୃଷ୍ଟି ଆକର୍ଷଣ କରିଥିଲେ ନବୀନ । ଏହାସହ ବ୍ଲଡ୍ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସୁବିଧା ବଢାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆବଶ୍ୟକ ସହାୟତା ପାଇଁ ରାଜ୍ୟ ଦାବି କରିଛି ।

ସେପଟେ ପୋଷଣ, ସ୍ୱାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡିପି ଅଭିବୃଦ୍ଧି ଲାଗି ରାଜ୍ୟ ଏସ୍‌ଡିଜି ୟୁନିଟ୍ ବା ନିରନ୍ତର ବିକାଶ ଲକ୍ଷ୍ୟର ୟୁନିଟ ଜିଲ୍ଲା ଓ ବ୍ଲକ ସ୍ତରରେ ଗଠନ କରିବାକୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି, କୃଷି ଓ ଖଣିଜ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଏବଂ ବିତ୍ତୀୟ ନିଅଣ୍ଟକୁ ୫ ପ୍ରତିଶତ ତଳେ ରଖିବାରେ ସମର୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏଥିସହିତ ଖଣିିଜ ଉତ୍ପାଦନ ବଢାଇବା ଓ ରାସାୟନିକ ମୁକ୍ତ ଚାଷ ଲାଗି ପରାମର୍ଶ ଦେଇଛନ୍ତି ପ୍ରତି ରାଜ୍ୟର ନିଜସ୍ୱ ବୈଶିଷ୍ଟତା ଥାଏ । କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ, ତାକୁ ଆଧାର କରି ବିକାଶ ବ୍ଳୁପ୍ରିଣ୍ଟ ପ୍ରସ୍ତୁତିରେ ସହଯୋଗ ଲାଗି ନିତି ଆୟୋଗ ଆଗ୍ରହୀ ବୋଲି କହିଛି । ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିଥିଲେ ।

ନିତି ଆୟୋଗର ୮ ଜଣିଆ ଟିମ୍ ୩ ଦନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚାନ କରିବା ପରେ ସନ୍ଧ୍ୟାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।