Advertisment

ନିଜ ମନ୍ତ୍ରୀଙ୍କୁ ବିଦା କରିବାକୁ ରଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ! ହେଲେ କହିଁକି..?

ଖରାପ ପ୍ରଦର୍ଶନ ନା ଅନ୍ୟ କିଛି ରାଜନୈତିକ କାରଣ ? ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି କହିଲେ ରୋହିତ ।

author-image
Satyendu Shekher Mishra
undefined

Rohit Pujari

ମନ୍ତ୍ରିମଣ୍ଡଳରୁ ହଠାତ୍ କାହିଁକି ବାଦ୍ ପଡିଲେ ରୋହିତ ପୂଜାରୀ । ସାଧାରଣ ନିର୍ବାଚନ ବର୍ଷେରୁ କମ୍ ସମୟ ଥିବା ବେଳେ କାହିଁକି ହେଲା ଆକ୍ସନ ? ବିଭାଗରେ ଅତିଖରାପ ପ୍ରଦର୍ଶନ ନା ଆଉ କିଛି ଭିତିରି କାରଣ ? ତାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ବିଭାଗ ୱାରୀ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠାରୁ ଖରାପ ଥିବାରୁ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଯଦି ଏହାପଛର କାରଣ ତର୍ଜମା କରାଯାଏ-ତାହାଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀ ଦାୟିତ୍ୱ ନେବା ପରେ ତାଙ୍କ ବିଭାଗ ରସାତଳକୁ ଚାଲିଯାଇଥିବା ଆଲୋଚନା ହେଉଛି। ନାକ୍ ଗ୍ରେଡ୍ ଓ ଏନ୍ଆଇଆରଏଫ୍ ରାକିଂରେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକ ଅତି ଖରାପ ପ୍ରଦର୍ଶନ କରିଛନ୍ତି । ସେହିପରି ମାଗଣା ଆଇଏଏସ୍ କୋଚିଂ ବ୍ୟବସ୍ଥା ଫେଲ୍ ଓ ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଓଡିଆଙ୍କ ସଫଳତା ବି ଆଶାନୁରୂପ ହୋଇପାରିନାହିଁ ।

ସେହିପରି କୂଳାଧିପତିଙ୍କ ନିର୍ଦ୍ଦେଶର ରୋକ୍ ଲାଗିଥିବା ସେଲ୍ଫ ଫାଇନାନ୍ସିଂ କୋର୍ସ ଗୁଡିକୁ ପୁଣି ଥରେ କଲେଜ ଗୁଡିକରେ ଛତୁ ଫୁଟିଲା ଭଳି ଖୋଲିବାକୁ ଅନୁମତି ଦେବା ନେଇ ବି ବିବାଦ ଘେରକୁ ଆସିଥିଲେ ରୋହିତ । ତେଣେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିବା ପରେ ନିଜ ପ୍ରତିକ୍ରିୟାରେ ରୋହିତ କହିଛନ୍ତି, ‘ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି, କିନ୍ତୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ନଥିବାରୁ ମୋର କିଛି ଦୁଃଖ ନାହିଁ ।’ 

Advertisment

ଅନ୍ୟପଟେ ରୋହିତଙ୍କ ସମର୍ଥକ କିନ୍ତୁ ଆଜିର ନିଷ୍ପତ୍ତିକୁ ସହଜରେ ହଜମ କରିପାରୁନାହାଁନ୍ତି । ପ୍ରଶ୍ନ କରିଛନ୍ତି, ଖାଲି କଣ ଉଚ୍ଚ ଶିକ୍ଷା ବିଭାଗକୁ ଛାଡି ଅନ୍ୟ ସବୁ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ? 

ତେବେ କେବଳ ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ୍ ପୂଜାରୀ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଲେ ନା ୟା ପଛରେ ଅଛି ଆଉ କିଛି ରାଜନୈତିକ ଅଭିସନ୍ଧି। ଯେହେତୁ କିଛି ଦିନ ତଳେ ରୋହିତ୍ ଏକ ବିବାଦୀୟ ବୟାନ ଦେଇ ଦଳର ପୁରୁଖା ନେତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ, ତାକୁ ବି ବଡ଼ କାରଣ ଭାବେ ବିବେଚନା କରାଯାଉଛି। ରୋହିତ କହିଥିଲେ-୬୦ ବର୍ଷ ବୟସ ହୋଇଗଲେ ରାଜନୀତିରୁ ଅବସର ନେଇଯିବା ଉଚିତ୍ । ତେବେ ସବୁବେଳେ ଗଣମାଧ୍ୟମ ଠାରୁ ଦୂରେଇ ରହୁଥିବା ରୋହିତ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ତାକୁ ନେଇ ବି ଚର୍ଚ୍ଚା ।

ସେପଟେ ଦଳ ଭିତରେ ସ୍ଥିତି ବିଗୁଡୁଥିବା ଦେଖି ରୋହିତ ବିରୋଧୀଙ୍କ ସଂସ୍ପର୍ଶରେ ଆସିନାହାଁନ୍ତି ତ ? ଯେହେତୁ ତାଙ୍କୁ ଗତ ଝାରସୁଗୁଡ଼ା ବାଇ-ଇଲେକ୍ସନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଥିଲା। ତେଣୁ ଡାର୍ଟି ପଲିଟିକ୍ସ ଜରିଆରେ ଦଳରେ ଦବ୍ ଦବା ଜାହିର କରିବା ଷ୍ଟ୍ରାଟେଜି ଆପଣାଇଥିଲେ କି ରୋହିତ ? ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ବିଜେଡି କହିଛି- ମନ୍ତ୍ରୀମଣ୍ଡଳରେ କିଏ ରହିବେ ନରହିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ।

କିଛିଦିନ ତଳେ ଗଣଶିକ୍ଷାମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁଙ୍କୁ ଇସ୍ତଫା ମାଗି ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇଥିଲେ ନବୀନ। ହେଲେ ପ୍ରଶ୍ନ ରୋହିତଙ୍କୁ ଇସ୍ତଫା ମାଗିବା ବଦଳରେ ହଠାତ୍ ମନ୍ତ୍ରୀ ପଦରୁ ଡ୍ରପ୍ କରିବାକୁ ସୁପାରିଶ କାହିଁକି କଲେ ମୁଖ୍ୟମନ୍ତ୍ରୀ ?

BJD Odisha Politics
Advertisment
Advertisment