• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ରଖିବା ସହ ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ବି କହିଛନ୍ତି ।

ଅବସର ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ .. ନିଶାନାରେ ବିଜେଡି । ଯାଜପୁର ବଡ଼ଚଣା ସଭାମଞ୍ଚରୁ ଆଜି ବିଜେଡି ଓ ଜିଲ୍ଲା ତଥା ରାଜ୍ୟରେ ଏହାର ତୁଙ୍ଗ ନେତାମାନଙ୍କୁ ଏମିତି ଢଙ୍ଗରେ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି- ବିଜୁବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ତଥାପି ସ୍ୱପ୍ନ ପୂରା କରିପାରିଲେନି, ଆହୁରି ସମୟ ମାଗୁଛନ୍ତି ।

ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନର ନାରାକୁ ଟାର୍ଗେଟ୍ କରି ପ୍ରାଚୁର୍ଯ୍ୟରେ ଭରା ଯାଜପୁରରେ ବିକାଶର ଅଧୋଗତିକୁ ସାମ୍ନାରେ ଥୋଇଛନ୍ତି, ଅପପୁଷ୍ଟିରେ ଶିଶୁମୃତ୍ୟୁ ପାଇଁ ଅପଖ୍ୟାତ ନଗଡ଼ାର ଉଦାହରଣ ଦେଇ ପୂର୍ବ ସରକାରର ତଥାକଥିତ ବିକାଶର ପୋଲ୍ ଖୋଲିଛନ୍ତି । ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ କଥା ଉଠାଇ ଜୋରଦାର ଧୂଲେଇ ବି କରିଛନ୍ତି ।

କହିଛନ୍ତି, ସ୍ମିତାରାଣୀଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା, ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କ ଘଣ୍ଟ ଘୋଡ଼ାଗଲା, ତାହା ତତ୍କାଳୀନ ବିଜେଡି ସରକାରର ନାରୀକୁ ସମ୍ମାନର ପ୍ରମାଣ । ହେଲେ ଏବେ ବିଜେପି ସରକାରରେ ମାମଲାର ପୁଣି ତଦନ୍ତ ହେବ, ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ସେତିକି ନୁହେଁ, ନାଁ ନନେଇ ବିଜେଡିର ତିନି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗୋଟିଏ ନୁହେଁ ତିନି ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ଲୁଟିଛନ୍ତି । ଯିଏ ନବୀନଙ୍କ କ୍ରୀତଦାସ କହୁଥିଲେ, ଯାଜପୁରକୁ ସମୃଦ୍ଧ କରିଦେବୁ ବୋଲି କହୁଥିଲେ, ସେମାନଙ୍କୁ ଆପଣ ଉଚିତ୍ ଜବାବ ଦେଇଛନ୍ତି ।

ବିଗତ ସରକାରରେ ଅବହେଳିତ ସବୁ ଲୋକଙ୍କୁ ସୁବିଧା ମିଳିବ ବୋଲି କହି ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ଯାଜପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳୀୟ ସଭାମଞ୍ଚରୁ ବିଜେଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ହମଲାର କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି ।

OTV is now on Whatsapp

Join and get latest news update delivered to you via whatsapp

Join Now