• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଓ୍ୱାର କରିଡରରେ ବଡ଼ ହଲ୍‌ଚଲ୍ ମନ୍ତ୍ରିମଣ୍ଡଳ । ନବକଳେବରର ମାର୍ଗ ପ୍ରଶସ୍ତ କରିବା ପାଇଁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ୨୨ ବର୍ଷର ଶାସନକାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବାଚସ୍ପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଗତ ଏପ୍ରିଲ୍ ୧୧ ତାରିଖରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ଜଗନ୍‌ମୋହନ୍ ରେଡ୍ଡୀ ଯାହା କରିଥିଲେ ଓଡ଼ିଶାରେ ତାର ରିପିଟ୍ କରେଇଛନ୍ତି । ଓଡ଼ିଶା ଇତିହାସରେ ସର୍ବକାଳୀନ ଦୀର୍ଘ ସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳ ଅଦଳବଦଳ ତ ହେବାର ଥିଲା ହେଲେ ଟିମ୍‌ର କେଉଁ ସଦସ୍ୟଙ୍କ ହାତ ଛାଡ଼ିବେ ? କାହା ହାତକୁ ଧରି ରଖିବେ ? ସେ ଦ୍ୱନ୍ଦ୍ୱ, ସମ୍ଭାବ୍ୟ ବିବାଦ ଓ ଅସନ୍ତୋଷକୁ ଏଡ଼ାଇବା ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ସହ ସରକାରର ପରିବର୍ତ୍ତିତ ଚେହେରାକୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣିବା ପାଇଁ ଆଜି ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆସନ୍ତାକାଲି ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଶପଥଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ରହିଛି ।

ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ତ ଥିଲା, ହେଲେ ପଞ୍ଚମପାଳିର ତୃତୀୟ ବର୍ଷରେ କାହିଁକି? ୟାକୁ ନେଇ ଯେତିକି ଚର୍ଚ୍ଚା, ପ୍ରଥମ ଥର ପାଇଁ ଆମୂଳଚୂଳ ପୂରା ଟିମ୍ ପରିବର୍ତ୍ତନ ନିଷ୍ପତ୍ତି ପଛର କାରଣକୁ ନେଇ ବି ପାଓ୍ୱାର କରିଡରରେ ହଲ୍‌ଚଲ୍‌ । ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ସହ ପଞ୍ଚମ ପାଳିରେ ଦଳ ସାମ୍ନା କରିଥିବା ସବୁ ଉପନିର୍ବାଚନ ଏପରିକି ସଦ୍ୟ ସମାପ୍ତ ବ୍ରଜରାଜନଗର ଉପନିର୍ବାଚନରେ ସଂପୂର୍ଣ୍ଣ ଏକପାଖିଆ ବିଜୟ ହାସଲ କରିଛି ବିଜେଡି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଥମରୁ ବ୍ୟାକ୍‌ଫୁଟ୍‌ରେ ଥିବା ସରକାରଙ୍କୁ ସୁପ୍ରିମ୍‌କୋର୍ଟରୁ ବଡ଼ ବିଜୟ ବି ମିଳିଛି । ତେଣୁ କୁହାଯାଉଛି, ଏଭଳି ସ୍ଥିତିରେ ୨୪ ନିର୍ବାଚନ ପୂର୍ବରୁ ସରକାରର ନବ କଳେବର ପାଇଁ ଏହାକୁ ହିଁ ମନ୍ତ୍ରିମଣ୍ଡଳର ପ୍ରକୃଷ୍ଟ ସମୟ ।

ସେହିପରି କିଛି ସିଲେଡେ୍ ମନ୍ତ୍ରୀଙ୍କୁ ବାଦ୍ ଦିଆଗଲେ, ଅସନ୍ତୋଷ ଓ ଅନ୍ତଃକନ୍ଦଳ ବଢ଼ିବା ଆଶଙ୍କାରେ ଏକାଥରେ ସବୁ ମନ୍ତ୍ରୀଙ୍କ ଇସ୍ତଫା କରାଯାଇଛି । ଏହାସହ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଇ କ୍ଷମତା କେନ୍ଦ୍ରରେ ଥିବା ଗୋଷ୍ଠୀ ମଧ୍ୟ ନିଜ ବର୍ଚସ୍ୱ ଜାହିର ସହ ଦଳ ଭିତରେ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଥିବା କୁହାଯାଉଛି । ତେବେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ତାର ଯଥେଷ୍ଟ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ କେବଳ ସରକାର ନୁହେଁ, ଦଳୀୟ ସଂଗଠନ ଓ ପ୍ରଶାସନକୁ ମଧ୍ୟ ନୂଆ ରୂପ ଦେବା ପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।