• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚର୍ଚ୍ଚାରେ ବିରାମ । ମନମୋହନ ସାମଲ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୧୦ ଉପସଭାପତି, ୫ ସାଧାରଣ ସଂପାଦକ ଓ ୧୦ ସମ୍ପାଦକଙ୍କ ସହ ୩୫ ଜଣିଆ ଟିମ୍ ତାଲିକା ଜାରି ହୋଇଛି । ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚାର ସଭାପତି ବଦଳିଥିଲା ବେଳେ ସଙ୍ଗଠନ ମହାମନ୍ତ୍ରୀ ଭାବେ ମାନସ ମହାନ୍ତିଙ୍କୁ ପୁଣି ଥରେ ଦାୟିତ୍ୱ ଦିଆଯାଇଛି । ଏସବୁ ଭିତରେ କିଛି ବରିଷ୍ଠ ନେତାଙ୍କୁ ବାଦ୍ ବି ଦିଆଯାଇଛି ।

ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ । ଯେଉଁଥିରେ ଅଛନ୍ତି ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସଂପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟାକ୍ଷ ଓ ସହ କୋଷାଧ୍ୟକ୍ଷ।

ମାନସ ମହାନ୍ତିଙ୍କୁ ସଙ୍ଗଠନ ମହାମନ୍ତ୍ରୀ ଭାବେ ପୁଣି ଥରେ ଦାୟିତ୍ୱ ଦିଆଯାଇଛି । ସାରଦା ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା, ସିମାଚଂଳ ଖଟେଇଙ୍କୁ ସାଧାରଣ ସଂପାଦକର ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିରଞ୍ଚି ତ୍ରିପାଠୀ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭଳି ନେତାଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ।

ସେପଟେ ବଦଳିଛନ୍ତି ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ସଭାପତି । ଅଭିଳାଶ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି, ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ଓ ମହେଶ୍ୱର ସାହୁ କିଷାନ ମୋର୍ଚ୍ଚାର ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ନିତ୍ୟାନନ୍ଦ ଗଣ୍ଡଙ୍କୁ ଏସ୍. ଟି ମୋର୍ଚ୍ଚାର ସଭାପତି, ବିଭୁ ପ୍ରସାଦ ତରାଇଙ୍କୁ ଏସ.ସି ଓ ସୁରଥ ବିଶ୍ୱାଳଙ୍କୁ ଓବିସି ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି । ଉମାକାନ୍ତ ପଟ୍ଟନାୟକଙ୍କୁ ମିଳିଛି ସୋସିଆଲ୍ ମିଡିଆ ଇନ୍ ଚାର୍ଜ ଦାୟିତ୍ୱ।

ସେପଟେ ପୂର୍ବ ଟିମ୍‌ରୁ ବାଦ୍ ପଡିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ସଂଗିତା ସିଂହଦଓ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଭଳଭଦ୍ର ମାଝୀ, ଭାସ୍କର ମଢେଇ, କାଳନ୍ଦୀ ସାମଲ ଓ ପିଙ୍କି ପ୍ରଧାନ ପ୍ରମୁଖ । ପ୍ରଦୀପ ପୁରୋହିତ, ସ୍ମତି ପଟ୍ଟନାୟକଙ୍କୁ ବି ବାଦ୍ ଦିଆଯାଇଛି । ନିର୍ବାଚନ ଲଢିବାକୁ ଥିବା ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବା ପାଇଁ କମିଟିରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ସେପଟେ ନୂଆ ଟିମ୍ ଆଗରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଲା ଆଗାମୀ ସାଧାରଣ ନିର୍ବାଚନ । ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ମଜଭୁତ କରିବା, ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଲଢେଇ ପାଇଁ ପ୍ରସ୍ତୁତ ହେବା, ମୋଦୀ ସରକାରଙ୍କ ସଫଳ ବାର୍ତ୍ତାକୁ ଲୋକଙ୍କ ପାଖରେ ରଖିବା ଓ ସମନ୍ୱୟର ସହ ଦଳ ପାଇଁ କାର୍ଯ୍ୟ କରିବା ବି ଟିମ୍ ମନମୋହନ ପାଇଁ ଚ୍ୟାଲେଂଜ ହେବ ।

ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ହେଉଛି । ଏପରିିକି ଅନ୍ୟ ରାଜ୍ୟ ସହ ଡିସେମ୍ବରରେ ବିଧାନସଭା ଭୋଟ ହୋଇପାରେ ବୋଲି ବି କୁହାଯାଉଛି । ଏସବୁ ଭିତରେ ମନମୋହନଙ୍କ ଏ ନୂଆ ଟିମ୍ ଏତିକି ସମୟରେ ରାଜ୍ୟ ବିଜେପି ପାଇଁ ସଫଳତା ଆଣିବାରେ କେତେ ସହାୟକ ହେବ ତା’ଉପରେ ନଜର ରହିଛି ।

  • Reported by:
  • HARIHARA CHAND