• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟ ବିଜେପି ସାଂସଦ । ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ଫେରାଦ ହେଲେ । ରାଜ୍ୟରେ ଧାନ କିଣାରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନର ଖୋଲା ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଛନ୍ତି । ସମସ୍ତ RMC/PACS/PPCSରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଲେ ରାଜ୍ୟ ବିଜେପି ସାଂସଦ ।

ଖାଲି ସେତିକି ନୁହେଁ ଧାନ କିଣା ନେଇ ଯେଉଁ ଟାଇମଲାଇନ୍‌ ଥିଲା ତାକୁ କାଣ୍ଟ ଛାଣ୍ଟ କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି । ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଛି ବୋଲି ମନ୍ତ୍ରୀଙ୍କୁ କହିଲେ ବିଜେପି ସାଂସଦ ।

 

ସୂଚନାଯୋଗ୍ୟ, ଏବେ ଖୋଲା ଆକାଶ ଆଉ ହାଡ଼ଭଙ୍ଗା ଜାଡ଼ରେ, ମଣ୍ଡିରେ ଧାନ ଜଗି ବସିଛି ଚାଷୀ । ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା ମନାପଡ଼ା ମାର୍କେଟ ୟାର୍ଡରେ ଥାକ ମରା ହୋଇ ଥୁଆ ହୋଇଛି ହଜାର ହଜାର ବସ୍ତା ଧାନ । କେବେ ଉଠିବ କାହାକୁ ଜଣା ନାହିଁ । ଏଣେ ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀଙ୍କ ଭିତରୁ କିଏ ଶୋଇନପାରି ନିଆଁ ଜାଳି ରାତି ଉଜାଗର ହୋଇ ବସିଛି, ତ ପୁଣି କିଏ ସେଇ ଧାନ ବସ୍ତା ଉପରେ କିଛି ଘଣ୍ଟା ପତଳା ଚାଦର ଖଣ୍ଡେ ଘୋଡ଼େଇ ହୋଇ ବିଶ୍ରାମ ନେଉଛି ।

ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡି ଦୁଃସ୍ଥିତିର ସମାନ ଚିତ୍ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡାଲଗୁମାରେ ମଧ୍ୟ ଦେଖିବାକୁ ମିଳିଛି । ଏଠି ବି ମଣ୍ଡିରେ ରାତିବେଳେ ଅସହ୍ୟ ଶୀତରେ କଲବଲ ହେଉଛି ଚାଷୀ । ଟୋକନ ପାଇ ମଣ୍ଡିକୁ ଧାନ ନେଇ ଆସିଛନ୍ତି । ହେଲେ ସରକାରୀ ଷ୍ଟୋରେଜ୍ ଅଭାବରୁ କେବଳ ମିଲର୍ସଙ୍କ ଉପରେ ଭରସା । ମିଲର୍ସଙ୍କ ମନ ମୁତାବକ ଗାଡ଼ି ଧାନ ନେବାକୁ ଆସୁଛି, ତେଣୁ କେତେବେଳେ କାହା ଧାନ ଉଠିବ ତାକୁ ନେଇ ବି ସନ୍ଦିହାନ ସ୍ଥିତିରେ ଅନ୍ନଦାତା ।

ସେପଟେ ଏଯାଏଁ ମଣ୍ଡି ଖୋଲିନଥିବାରୁ ଧାନ ବିକ୍ରିରେ ଦଲାଲଙ୍କ ଅନୁପ୍ରବେଶ ଭଳି ସ୍ଥିତି ଉପୁଜିଲାଣି । ଗଂଜାମ ଜିଲ୍ଲା ଆସ୍କାରେ ବାତ୍ୟା ଜଓ୍ୱାଦ୍ ଯୋଗୁଁ କ୍ଷତିଗ୍ରସ୍ତ ଜମିରୁ ଯାହା କିଛି ଧାନ, ଚାଷୀ ଅମଳ କରି ଆଣିଛି, ତାକୁ ଏବେ ଆଦାୟ କରିବାରେ ଲାଗିଛି । କେହି କେହି ଖଳାରେ ଅମଳ କରି ବସ୍ତାରେ ଭର୍ତ୍ତି କରି ସେଇଠି ସାଇତିବାରେ ଲାଗିଥିବା ବେଳେ ଆଉ କିଛି ନିଜ ଘର ଦୁଆରେ ଥାକ ମାରିଛନ୍ତି । କେବେ ମଣ୍ଡି ଖୋଲିବ ସେ ସୂଚନା ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ତେଣୁ ଏଭଳି ସ୍ଥିତିରେ ଦଲାଲ ସେମାନଙ୍କ ପାଖେ ପହଞ୍ଚିଯିବା ଅସମ୍ଭବ ନୁହେଁ ।