• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ଯେ, ବନ୍ୟା ସମୟରେ ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ଅବହେଳା । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେବ ସମୀକ୍ଷା ବୈଠକ କରାଯାଇନାହିଁ । ତେଣୁ ଲୋକେ ଏବେ ବିପନ୍ନ ଅବସ୍ଥାରେ ଅଛନ୍ତି । ସରକାର କେବଳ ବୈଠକ, ନିର୍ଦ୍ଦେଶ ଓ ନୋଟିସ୍‌ରେ ସୀମିତ ରହିଛନ୍ତି । ଲୋକଙ୍କ ପାଖରେ କିନ୍ତୁ ପହଞ୍ଚି ନାହାନ୍ତି ।

୨୨ ବର୍ଷ ଶାସନ ଭିତରେ ମହାନଦୀକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ହୀରାକୁଦର ରୁଲ୍ କର୍ଭ ୧୦ ବର୍ଷ ମଧ୍ୟରେ ସଂଶୋଧନ ହେବା କଥା, କିନ୍ତୁ ୩୮ ବର୍ଷ ହେଲା ତାହା ହୋଇନାହିଁ । ମହାନଦୀକୁ କେବଳ ଏକ ରାଜନୈତିକ ପ୍ରସଙ୍ଗ କରି ସରକାର ଓ ସରକାରୀ ଦଳ ଭେଳିକି ଦେଖାଉଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି । ତେବେ ଏହି ଘଟଣାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ଫୁଲୁଛି ଦୟା ନଦୀ । ବନ୍ୟା ଜଳ ଏବେ ବନ୍ଧ ପାଇଁ ବିପଦ ସାଜିଲାଣି । ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଧଉଳି ପଞ୍ଚାୟତ କୁମାରଡିହି ନଦୀ ବନ୍ଧରେ ଏକାଧିକ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ଗ୍ରାମବାସୀ ନିଜେ ଶ୍ରମ ଦାନ କରି ଘାଇ ମରାମତି କାମରେ ଲାଗିଛନ୍ତି । ରାତି ରାତି ଉଜାଗର ରହି ପାଳି କରି ନଦୀ ବନ୍ଧକୁ ଜଗି ରହୁଛନ୍ତି । ବନ୍ୟା ଜଳ ଆସି ଚାଷ ଉଜାଡି ଦେଇଛି । 

ସେପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ନିଜେ ଘଳିଆ ହୋଇଥିବା ସ୍ଥାନ ପରିଦର୍ଶନ କରି ପ୍ରଶାସନ ସଜାଗ ଥିବା ପ୍ରତିକ୍ରିୟାରେ କହିଛନ୍ତି ।

ସେହିଭଳି ତିନିଦିନ ହେବ ଭୋକ ଉପାସରେ ରହିଛନ୍ତି ବନ୍ୟା ପୀଡ଼ିତ । ଦିନରେ ଖାଇଲେ ରାତି କି ନାହିଁ । ବନ୍ୟା ପାଣି ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତ ବାସିନ୍ଦା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । କେତେ ଜଣଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଗାଁ ଦାଣ୍ଡରେ ଚାଲିଛି ପାଣି । ଗୋରୁ ଗାଈ ଛୁଆ ପିଲାଙ୍କୁ ନେଇ ଲୋକମାନେ ରାସ୍ତା ଉପରେ ପଡ଼ି ରହିଛନ୍ତି ।