Advertisment

ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।

author-image
Pramod Behera
ଅଦ୍ୟତନ ହୋଇଛି
Nuakhai leave controversy

Nuakhai leave controversy

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଛୁଟିକୁ ନେଇ ବଢୁଛି ବିବାଦ। କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି। ଏହି ପ୍ରସଙ୍ଗ ନେଇ ବରଗଡ଼, ବଲାଙ୍ଗିର, ସମ୍ବଲପୁର ସମେତ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେଡି ନେତା କଳୀକେଶ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଛୁଟି ବଢ଼ାଇବାକୁ ନିବେଦନ କରିଛନ୍ତି।

Advertisment

ଏହାକୁ ନେଇ ବରଗଡ଼ରେ ଜୋରଦାର ଢଙ୍ଗରେ ବର୍ଷିଛି କୋଶଳ ସେନା। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ କରିବା ସହ ଦାବିପତ୍ର ଦେଇଛି। କେବଳ ବରଗଡ଼ ନୁହେଁ, ଦୁଇଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି କୋଶଳ ସେନା ସ୍ମାରକପତ୍ର ଦେଇଥିଲା। ସମସ୍ତଙ୍କ ଦାବି ପଶ୍ଚିମ ଓଡ଼ିଶାବାସୀଙ୍କ ସାମୂହିକ ସ୍ୱାର୍ଥ ଏବଂ ସୁବିଧାକୁ ନେଇ ନୂଆଖାଇ ଛୁଟିକୁ ୩ଦିନ ଘୋଷଣା କରାଯାଉ।

ଆସନ୍ତା ୧ ତାରିଖରେ ପାଳନ ହେବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଖାଇ। ଏହି ଗଣପର୍ବ ପାଇଁ କାମଧନ୍ଧା, ଚାକିରି, ବ୍ୟବସାୟକୁ ଛାଡ଼ି ବହୁ ଦୂର ଦୂରାନ୍ତରୁ ଘରକୁ ଫେରନ୍ତି ସମସ୍ତେ। ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଖାଇକୁ କେବେଳ ଦିନଟିଏ ଛୁଟି ଘୋଷଣା କରାଯାଇଛି। ଫଳରେ ଦୂରଦୂରାନ୍ତରୁ ଘରକୁ ଯାଇଥିବା ଲୋକଙ୍କ ପାଇଁ ସମସ୍ୟା ବଢୁଛି।

Advertisment

ଏପରିକି, କେନ୍ଦ୍ର ସରକାରଙ୍କ କୌଣସି ଅଫିସ କିମ୍ବା ବ୍ୟାଙ୍କ୍‌ ସମୂହର ଛୁଟି ତାଲିକାରେ ନୂଆଖାଇ ନ ଥିବାରୁ ସାରା ପଶ୍ଚିମ ଓଡିଶାରେ ଅସନ୍ତୋଷ ଦେଖାଦେଇଛି। ଏହାର ସମାଧାନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୨ ଦିନ ରାଜ୍ୟସ୍ତରୀୟ ଛୁଟି ଘୋଷଣା ଦାବି କରିଛନ୍ତି।

ତେଣେ ଆଉ ପାଦେ ଆଗକୁ ଯାଇ ୨ ବଦଳରେ ୩ ଦିନ ଛୁଟି ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା କଳୀକେଶ ସିଂଦେଓ। ପଶ୍ଚିମ ଓଡ଼ିଶାର ସବୁ ଅଫିସ୍‌, ବ୍ୟାଙ୍କ୍‌, ଶିକ୍ଷାନୁଷ୍ଠାନ ପାଇଁ ୩ ଦିନ ଛୁଟି ଘୋଷଣା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଳୀକେଶ।

ବଲାଙ୍ଗିର ଜିଲ୍ଲା ପାଇଁ ଉତ୍ତରାଞ୍ଚଳ ଆରଡିସିଙ୍କ ପକ୍ଷରୁ ଏ ବର୍ଷର ଛୁଟି କ୍ୟାଲେଣ୍ଡରରେ ନୂଆଖାଇ ଓ ତା’ପରଦିନକୁ ମିଶାଇ ୨ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛିା ତେବେ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ଏହି ପର୍ବକୁ ନେଇ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାକୁ ଏବେ ଅପେକ୍ଷା।.

(ରିପୋର୍ଟ : ବରଗଡ଼ରୁ ଦୀପକ ଶର୍ମା, ବଲାଙ୍ଗିରରୁ ମନରଂଜନ ଯୋଷୀ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

Nuakhai Celebration Nuakhai
Advertisment
Advertisment