Advertisment

ନୂଆ ଓ' ପାଇଁ ପାଠକୁ ବଳି... ପ୍ରିନ୍ସପାଲଙ୍କ ଅଫର୍; ପରୀକ୍ଷା ଦିଅନି, ମାର୍କ ଆପେ ବଢ଼ିବ !

ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରିନସପାଲଙ୍କ ଫତୱା । ଛାତ୍ର ଅସନ୍ତୋଷ ସାଙ୍ଗକୁ ତେଜିଲା ରାଜନୀତି ।

author-image
Satyendu Shekher Mishra
undefined

Odisha Politics

ନୂଆ ଓ' କାର୍ଯ୍ୟକ୍ରମ ପାଇଁ ପାଠକୁ ବଳି। କ୍ଲାସ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫତୱା। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସଫଳ ପାଇଁ ପରୀକ୍ଷା ବାତିଲ । ନୂଆ ଓ' କାର୍ଯ୍ୟକ୍ରମ ପରେ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏମିତି ସ୍ଥିତି । ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଏକ ଭାଇରାଲ ହ୍ବାଟସପ୍ ଚାଟ୍ ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ୁଛି ।

Advertisment

ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କୁ ଅଫର ଦେଇଥିଲେ କଲେଜ ପ୍ରିନ୍ସିପାଲ। କାର୍ଯ୍ୟକ୍ରମରେ ଯୋଗଦେଲେ ୧୫୦ ଟଙ୍କିଆ ଟିଫିନ ସାଙ୍ଗକୁ ମିଳିବ ୩୫୦ ଟଙ୍କିଆ ବିରିୟାନି। ପରୀକ୍ଷା ଥାଇ ବି କାର୍ଯ୍ୟକ୍ରମରେ ପହଞ୍ଚିଲେ ଇଣ୍ଟରନାଲ ଏବଂ ପ୍ରାକ୍ଟିକାଲ ମାର୍କ ବଢାଯିବ ବୋଲି କୁହାଯାଇଛି। ନହେଲେ ପରୋକ୍ଷରେ ଧମକ ମଧ୍ୟ ଦେଇଛନ୍ତି ଅଧ୍ୟକ୍ଷ।

ସମାନ ଢଙ୍ଗରେ ମୟୂରଭଞ୍ଜ ଗୋରୁ ମହିଷାଣୀ କଲେଜରେ ଅଧ୍ୟକ୍ଷଙ୍କ ଏକ ଚିଠି ମଧ୍ୟ ସାମ୍ନାକୁ ଆସିଛି। ନୂଆ ଓ' ଉଦଯାପନୀ ଦିବସରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଫତୱା କହିଲେ ମଧ୍ୟ ଭୁଲ ହେବନି। ନିର୍ଦ୍ଦେଶନାମାର ଖିଲାପ କଲେ ଯେଉଁ ସମସ୍ୟା ସୃଷ୍ଟି ହେବ ସେଥିପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

Advertisment

ଅନ୍ୟ ପଟେ ଆଜି କେନ୍ଦୁଝରରେ ନୂଆ ଓ' ଉଦଯାପନୀ ଦିବସରେ ଫାଇଭ ଟି ଅଧ୍ୟକ୍ଷ ଯୋଗ ଦେବାର ଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ କଲେଜ ବନ୍ଦ କରି ପିଲା ବୁହା ହେଲେ । ହେଲେ ଫାଇଭ ଟି ଅଧ୍ୟକ୍ଷ ନଆସିବାରୁ ଆଜି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ।

ତେବେ ଖାଲି କ୍ଲାସ ବନ୍ଦ ନୁହେଁ, ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଆଉ ନୂଆ ଓ' କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରୀକ୍ଷା ବାତିଲ କରିବାକୁ ମଧ୍ୟ ପଛାଉ ନାହାନ୍ତି ସରକାର। ନିକଟରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ କରାଯାଇଥିବା ନଜରକୁ ଆସିଥିଲା । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି,ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସଫଳ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଧମକ ଦେବାକୁ କେମିତି ସାହାସ କଲେ ସରକାର। ପାଠ ପଢା ବନ୍ଦ ଆଉ ପରୀକ୍ଷା ବାତିଲ ସରକାର ନିଜର ପ୍ରଚାର ପ୍ରସାର କରିବା ଅଧିକାର ଦେଲା କିଏ।

କଲେଜଗୁଡିକୁ ୩ରୁ ୯ ଲକ୍ଷ ଯାଏଁ ଅନୁଦାନ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ, କ୍ରୀଡା ଓ ସାମାଜିକ ପ୍ରତିଯୋଗିତା କରି ନୂଆ ଭୋଟରଙ୍କ ସହ ଯୋଡି ହୋଇ ରହିବାକୁ ଯୋଜନା କରିଥିଲେ ରାଜ୍ୟ ସରକାର। ହେଲେ ନୂଆ ଓକୁ ନେଇ ଦିନକୁ ଦିନ ନୂଆ ନୂଆ ବିବାଦ ତିଆରି ହେବାରେ ଲାଗିଛି।

BJD BJP Congress Odisha Politics
Advertisment
Advertisment