• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା । ଏଥିପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ଗଲା ସେପ୍ଟେମ୍ବର ମାସରୁ ଏନ୍ଏମ୍ଏ ଚିଠି ଲେଖିଥିଲା । ହେଲେ ଅଭିଯୋଗ ହେଉଛି ଏଥିପାଇଁ ଅନୁମତି ନଥାଇ ବି ଏବେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଥିବାରୁ ଏନ୍ଏମ୍ଏ ପୁଣି ଥରେ କୁଆଡ଼େ ତାଗିଦ କରି ନୂଆ ପ୍ରସ୍ତାବ ଦେବାକୁ କହିଛି, ଯାହାକୁ ନେଇ ସରକାରଙ୍କ ଅଡୁଆ ବଢ଼ିଛି ।

ଫାଉଣ୍ଡେସନ୍ ପଡ଼ିସାରିଲାଣି । ପିଲାର ଉଠୁଛି । ଶ୍ରୀନଅର ସମ୍ମୁଖରେ ଯୁଦ୍ଧକାଳିନୀ ଭିତ୍ତିରେ ଚାଲିଛି ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରାଶାସନିକ କୋଠାର ନିର୍ମାଣ କାମ । ହେଲେ ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ । ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ନିର୍ମାଣ ପାଇଁ ସ୍ୱତନ୍ତ୍ର ଓ ନୂଆ ପ୍ରସ୍ତାବ ପଠାଇବାକୁ ନ୍ୟାନନାଲଲ୍ ମମୁମେଣ୍ଟ ଅଥରିଟି ଏନ୍ଏମ୍ଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା । ତା ସତ୍ତ୍ୱେ ବି ନିର୍ମାଣ କାମ ଜାରି ରହିଥିବାରୁ ଏବେ ପୁଣି ଏଥିପାଇଁ ଏନ୍ଏମ୍ଏ ତାଗିଦ କରିଥିବା ଜଣାପଡ଼ିଛି ମିଳିଥିବା ସୂଚନା ଅନୁଯାୟୀ ଏନ୍ଏମ୍ଏ ସ୍ପଷ୍ଟ କରିଛି ଯେ, ଏଥିପାଇଁ ନୂଆ ଅନୁମତି ମଗାଯାଉ ।

୧୪.୧୫ ମିଟର ଉଚ୍ଚତା ବିଶିଷ୍ଟ କୋଠା ନକରି ଏହାକୁ ୧୦ ମିଟର ତଳେ ସୀମିତ ରଖାଯାଉ, ଯାହା ଦ୍ୱାରା କି ମେଘନାଦ ପାଚେରୀ ସ୍ପଷ୍ଟ ଦୃଶ୍ୟମାନ ହେବ । ସେପଟେ ଡିପିଆର୍ ଓ ଇମ୍ପା ଆସେସମେଣ୍ଟ ବିନା କିଭଳି କାମ ଚାଲିଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଅପରପକ୍ଷେ ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ନିଷ୍ପତ୍ତିକୁ ନେଇ ବି ବିବାଦ ବଢୁଛି । ଏଥିପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ପଡୁଥିବାରୁ ଜମି ମିଳିବ ନା ନାହିଁ, ତାକୁ ନେଇ ସନ୍ଦେହ ଉପୁଜିଛି ।

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୀତି ବି ତେଜିଛି । ବେଆଇନ୍ ନିର୍ମାଣ ହୋଇଛି କହି ବିଜେପି ସାଂସଦ ଜୁଏଲ୍ ଓରାମ୍ ଏନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପ୍ରକଳ୍ପ କାମ ଚଳାଇଛନ୍ତି । କାମ ସ୍ଥଗିତ ରହିବା ଦରକାର । ସେହିପରି ଏହି ପ୍ରସଙ୍ଗରେ ସଂସଦରେ ମିଛ କହିଥିବା କହି ସାଂସଦ ପିନାକୀ ମିଶ୍ରଙ୍କୁ ବି ଟାର୍ଗେଟ୍ କରିଛନ୍ତି ଜୁଏଲ୍ । କଂଗ୍ରେସ ମଧ୍ୟ ତୁରନ୍ତ ପ୍ରକଳ୍ପ କାମ ବନ୍ଦ ପାଇଁ ଦାବି କରିଛି । ସେପଟେ ବିଜେଡି କହିଛି ପ୍ରକଳ୍ପକୁ ନେଇ ଯେତେ ଯାହା ରାଜନୀତି ହେଲେ ବି ଏହା କାମରେ ପ୍ରତିବନ୍ଧକ ସାଜିପାରିବନି ।