• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ଭୋଟ୍‌ରେ ରହିବ ନୋଟା ଚିହ୍ନ । ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA ବିକଳ୍ପ । ନୋଟା ବିକଳ୍ପ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ।

ପୌର ନିର୍ବାଚନରେ ଏଥର ପ୍ରାର୍ଥୀଙ୍କୁ ଦାଖଲ କରିବାକୁ ପଡ଼ିବ ସତ୍ୟପାଠ। ଏହି ସତ୍ୟପାଠରେ ସେମାନେ ନିଜର ସଂପତ୍ତି ତାଲିକା ଦେବେ, ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେବେ। ତା ସହିତ ଯଦି ସେମାନଙ୍କ ନାଁରେ କୌଣସି ଅପରାଧ ମାମଲା ଥିବ, ତାର ମଧ୍ୟ ସୂଚନା ଦେବେ। ଯଦି କିଏ ଭୁଲ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିଥିବ, ତେବେ ତାଙ୍କର ପ୍ରାର୍ଥିପତ୍ର ନାକଚ ହେବ।

ଏଥର ପୌର ନିର୍ବାଚନରେ ମଧ୍ୟ ବ୍ୟବହୃତ ହେବ ଇଭିଏମ୍। ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଇଭିଏମ୍ ରହିବ। ଗୋଟିଏ କାଉନ୍ସିଲର ପାଇଁ ଓ ଆରଟି ମେୟର ବା ଅଧ୍ୟକ୍ଷ ପଦ ପାଇଁ। ପ୍ରାର୍ଥୀ ମନୋନୀତ ହେବାଠାରୁ ଫଳାଫଳ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନିଜର ଖର୍ଚ୍ଚ ବିବରଣୀ ଦେବେ। ମହାନଗର ନିଗମର କାଉନ୍ସିଲର ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ମେୟର ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୧୨ ଲକ୍ଷ ଟଙ୍କା।

୫୦ ହଜାର ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କର୍ପୋରେଟର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ରହିଛି ୫୦ ହଜାର ଟଙ୍କା। ଚେୟାରମ୍ୟାନଙ୍କ ସର୍ବାଧିକ ଖର୍ଚ୍ଚ ସୀମା ରହିଛି ୨ ଲକ୍ଷ ଟଙ୍କା। ସେହିପରି ୫୦ ହଜାରରୁ ଲକ୍ଷେ ଜନସଂଖ୍ୟାର ପୌର ପାଳିକାରେ କାଉନ୍ସିଲର ପ୍ରାର୍ଥୀ ସର୍ବାଧିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏଠାରେ ଚେୟାରମ୍ୟାନ ଖର୍ଚ୍ଚ କରିପାରିବେ ୫ ଲକ୍ଷ ଟଙ୍କା।

ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ଭୋଟର ତାଲିକା ପ୍ରକାଶ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ଏଥର ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ହେବ।

OTV is now on Whatsapp

Join and get latest news update delivered to you via whatsapp

Join Now