• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୋଟ୍ ବେଳେ ପ୍ରତିଶ୍ରୁତିର ପାହାଡ଼, ଆଉ ଭୋଟ୍ ସରିଗଲେ ନେତା ଉଭାନ୍ । ଇଏ ଆଦୌ ନୂଆ କଥା ନୁହେଁ, କିନ୍ତୁ ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ନଦେବା ପଣ ସହ ରାସ୍ତା-ପାଣି ନାହିଁ ତ ଭୋଟ୍ ନାହିଁର ନାରା ନିଶ୍ଚିତ ପକ୍ଷେ ନୂଆ ଘଟଣା । ଏବେ ପଞ୍ଚାୟତ ନିର୍ବାଚନର ସରଗରମ ମାହୋଲ ଭିତରେ ଏମିତି କିଛି ଗାଁ ଲୋକଙ୍କୁ ଭେଟିଥିଲୁ, ଯାହାଙ୍କୁ ସ୍ୱାଧୀନତାର ୭୫ବର୍ଷ ପରେ ବି ମିଳିନି ସର୍ବନିମ୍ନ ମୌଳିକ ସୁବିଧା ।

ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଥିବା ଲୋକମାନେ ହେଲେ କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା । ଚଣ୍ଡାଳଗୁଡ଼ା, ଥାଟୁଗୁଡ଼ା ଓ ଡୁମୁରିଗୁଡ଼ା ଗାଁ ଲୋକେ ଭୋଟ୍ ବର୍ଜନ ପାଇଁ ମେଳି କରିଥିବାର ଦେଖିବାକୁ ମିଳିଛି ।

କାରଣ ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ ତ ପାଣି କେମିତି ଖାଉଛନ୍ତି, ସେ ଅବସ୍ଥା ବି ଟିକେ ଦେଖିବାକୁ କେହି ନାହାନ୍ତି । ସେମିତି ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ରାଲି କରି ପ୍ଲାକାର୍ଡ ଧରି ଗାଁ ବୁଲିଛନ୍ତି ଲୋକମାନେ । ସିମୁଳିଆ ବ୍ଲକ୍ ବାଟି ପଞ୍ଚାୟତର ସୁଙ୍ଗୁଡ଼ା ପତିପୋଖରୀ ଗାଁ ବାସିନ୍ଦାଙ୍କ ଅଭିଯୋଗ ଯେ, ସ୍ୱାଧୀନତାରେ ୭୫ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡେ ନାହିଁ, ଆଉ ଆବାସ ଘର ଓ ପାଇଖାନା ଗୃହ କଥା ନପଚାରିବା ଭଲ ।

 

ସମାନ ସମସ୍ୟାରେ ଦହଗଞ୍ଜ ହୋଇ ଧାରଣା ଦେଇଛନ୍ତି କାକଟପୁର ପଞ୍ଚାୟତ ବୋଇତକୁଦ ଗାଁର ଲୋକେ । ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ବେସ୍ ଖରାପ ଥିବାର ଦେଖିବାକୁ ମିଳିଛି । ଏମିତି ଭଲ ରାସ୍ତା ପାଇଁ ଯେଉଁ ନେତାଙ୍କ କଥାରେ ଭାସି ଭୋଟ୍ ଦେଉଥିଲେ ସେମାନେ ଭୋଟ୍ ସରିଗଲେ ଉଭାନ୍ ହୋଇଯାଉଛନ୍ତି । ତେଣୁ ଆଉ କାହା କଥାରେ ଭରସା ନାହିଁ, ସିଧା ପଞ୍ଚାୟତ ଭୋଟ୍ ବର୍ଜନ ହିଁ ବିକଳ୍ପ ପନ୍ଥା ବୋଲି ଧରିଛନ୍ତି ଭୋଟର ।

କେନ୍ଦୁଝର ସଦର ବ୍ଲକ୍ ପଦ୍ମପୁରରେ କିନ୍ତୁ ଭିନ୍ନ ଘଟଣା । ଏଠି ଭୋଟ୍ ବର୍ଜନ ନୁହେଁ, ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେବାରୁ ନିଜେ ନିର୍ବାନ ଲଢ଼ିବାକୁ ବାହାରିଛନ୍ତି ଜଣେ ମହିଳା । ଘର ଘର ବୁଲି ଭୋଟ୍ ମାଗୁଥିବା ମହିଳା ଜଣଙ୍କ ହେଲେ ଦେବଶ୍ରୀ ନାଏକ । ସଂରପଞ୍ଚ ପଦ ପାଇଁ ଲଢୁଛନ୍ତି । ତେବେ ନିର୍ବାଚନ ମଇଦାନକୁ ସେ ରାଜନୈତିକ ଆକାଂକ୍ଷା ନେଇ ନୁହେଁ ବରଂ ନିଜ ପରିବାର ସହ କୁଟୁମ୍ବଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଦେବାର ପଣ ନେଇ ଓହ୍ଲାଇଛନ୍ତି ।

ଦେବଶ୍ରୀଙ୍କ ଲଢ଼େଇର ମୁଖ୍ୟ କାରଣ ଏ ଘର ଏଇ ଭଙ୍ଗା ଦଦରା ଘରେ ରୁହନ୍ତି । ଦେବଶ୍ରୀଙ୍କ ପରିବାର ଶ୍ୱଶୁର-ସ୍ବାମୀ ଓ ପଡ଼ୋଶୀ ସରକାରୀ ଘର ଖଣ୍ଡେ ପାଇଁ କେତେ କାହାକୁ ଗୁହାରି ନକରିଛନ୍ତି, ହେଲେ ଅବସ୍ଥା ଯେଉଁ ତିମିରେକୁ ସେଇ ତିମିରେ ଅଧିଂକାଶ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଥିବାବେଳେ, ଆଉ କେହି କେହି ଯାଯାବର ଜୀବନ ବିତାଉଛନ୍ତି । ଭୋଟର ମଧ୍ୟ କହୁଛନ୍ତି, ଜଣେ ଗରିବ ହିଁ ବୁଝି ପାରିବ ଗରିବର ଦୁଃଖ। ତେବେ ମୌଳିକ ସୁବିଧାରୁ ବଞ୍ଚିତ ଏ ଲୋକମାନଙ୍କ ଭୋଟବର୍ଜନ ନିଷ୍ପତ୍ତି, ପଞ୍ଚାୟତ ନିର୍ବାଚନରେ କେତେ ପ୍ରଭାବ ପକାଉଛି, ଏବେ ତାକୁ ଅପେକ୍ଷା ରହିଲା ।