• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାଁର ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ । ଭଲ ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଓ ମୋବାଇଲ ନେଟଓ୍ୱାର୍କ ଭଳି ସୁବିଧା ନଥିବାରୁ ଲୋକେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ହେବ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ଦାବି ପୂରଣ ନହେବାରୁ ପାକଟମୁଣ୍ଡା ଗାଁର ୬ ନମ୍ବର ବୁଥର ୩୩୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି ।

ସେହିପରି ରାୟଗଡା ଜିଲ୍ଲା କୋଲନରା ବ୍ଲକ ସୁରୀ ପଞ୍ଚାୟତର କମ୍ମୁଗୁଡା ବୁଥ ସ୍ତାନାନ୍ତର ଓ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି । ପୂର୍ବରୁ କମ୍ମୁଗୁଡା ଠାରେ ଅସ୍ଥାୟୀ ବୁଥ ଜରିଆରେ ଭୋଟ ଗ୍ରହଣ ହେଉଥିଲା । ତେବେ ଚଳିତ ଥର ବୁଥ ସ୍ଥାନାନ୍ତର ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଭୋଟ ବର୍ଜନ କରିଛନ୍ତି କମ୍ମୁଗୁଡା ଗ୍ରାମବାସୀ ।

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ବରିପଦର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପାଉନଥିବା ଅଭିଯୋଗ କରି ଭୋଟ ବର୍ଜନ କରିଛନ୍ତି ଲୋକେ । ଅନ୍ୟପଟେ ପୋଲିଂ ପାର୍ଟି ବରିପଦର ଗ୍ରାମରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଲୋକେ ମାନିବାକୁ ନାରାଜ । ଏମିତିକି ପାପଡାହାଣ୍ଡି ବିଡ଼ିଓ ସେଠାକୁ ଯାଇ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ସେପଟେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ତେବେ ଦିନ ୧ଟା ସୁଦ୍ଧା ଯେଉଁମାନେ ବୁଥ ପରିସରରେ ଅଛନ୍ତି ସେମାନଙ୍କୁ ସମୟ ଶେଷ ପରେ ମଧ୍ୟ ଭୋଟ ଦେବାକୁ ସୁଯୋଗ ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି । ତେବେ କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।